ଆତଙ୍କବାଦୀଙ୍କୁ ସମର୍ଥନ କରି ବିବାଦରେ ଆଫ୍ରିଦି

ଆଫ୍ରିଦିଙ୍କୁ ଗମ୍ଭୀରଙ୍କ ସମାଲୋଚନା

କରାଚି: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ୧୩ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ରବିବାର ନିପାତ କରିଛି। ଏହା ପାକିସ୍ତାନ ସରକାରଙ୍କ ସହ ସେଠାକାର କ୍ରିକେଟ୍‌ ଅଲ୍‌ରାଉଣ୍ଡର ସାହିଦ ଆଫ୍ରିଦିଙ୍କୁ ବି ବେଶ୍‌ ଦୁଃଖିତ କରିଥିଲା। ଆତଙ୍କବାଦୀଙ୍କୁ ସମର୍ଥନ କରି ଆଫ୍ରିଦି ସ୍ୱର ଉଠାଇଥିବାରୁ ଏବେ ବିବାଦରେ ଫସିଯାଇଛନ୍ତି। ତାଙ୍କୁ ଏକାଧିକ ଟ୍ଵିଟର୍‌ ଆକାଉଣ୍ଟଧାରୀ ସମାଲୋଚନା କରିବା ଘଟଣା ମଙ୍ଗଳବାର ଚର୍ଚାର ବିଷୟ ହୋଇଛି।
ଆଫ୍ରିଦି ଜଣେ ଅନ୍ତର୍ଜାତୀୟସ୍ତରର କ୍ରିକେଟର ହୋଇଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଆତଙ୍କବାଦୀଙ୍କ ପାଇଁ ସମବେଦନା ଦେଖାଇଥିଲେ।। ଏପରିକି ଭାରତ ସରକାର କଶ୍ମୀରରେ ଦମନଲୀଳା ଚଳାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣା ତାଙ୍କୁ ବିଚଳିତ କରିଛି ବୋଲି ଆଫ୍ରିଦି ମଙ୍ଗଳବାର ଟ୍ଵିଟ୍‌ କରିଛନ୍ତି। ତା’ ସହ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ମିଳିତ ଜାତିସଂଘ ସହ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଘଙ୍କୁ ଆହ୍ଵାନ କରିଛନ୍ତି। ଆଫ୍ରିଦି ତାଙ୍କ ଟ୍ଵିଟ୍‌ରେ ଲେଖିଥିଲେ, ଭାରତ ଅଧିକୃତ କଶ୍ମୀରର (ପିଓକେ) ସାଂପ୍ରତିକ ସ୍ଥିତି ବେଶ୍‌ ଚିନ୍ତାଜନକ। ସେଠାରେ ନୀରିହ ଓ ନିର୍ଦୋଷଙ୍କୁ ହତ୍ୟା କରାଯାଉଛି। ସେମାନଙ୍କ ସ୍ୱାଧୀନତା ଏବଂ ମତ ଦେବାର ଅଧିକାରକୁ ଦମନ କରାଯାଉଛି।

ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଘ ଏବେ କୋଉଠି ଅଛନ୍ତି? ଏହି ରକ୍ତାକ୍ତ ସଂଘର୍ଷକୁ ରୋକିବାକୁ କାହିଁକି କିଛି କରୁନାହାନ୍ତି? ଆଫ୍ରିଦି ପୂର୍ବରୁ ମଧ୍ୟ ଏକାଧିକବାର କଶ୍ମୀର ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଗତବର୍ଷ ମଧ୍ୟ ସେ ଏଭଳି ଏକ ଟ୍ଵିଟ୍‌ କରିଥିଲେ। କଶ୍ମୀର ବହୁ ଦଶକ ଧରି କ୍ରୁର ଶାସନର ଶିକାର ହୋଇ ଆସୁଛି। ଏହି ମାମଲା ସମାଧାନ କରିବାର ସମୟ ଆସି ଯାଇଛି ବୋଲି ସେ ସେତେବେଳେ ଟ୍ଵିଟ୍‌ କରିଥିଲେ। ଯାହାକୁ ନେଇ ବିବାଦ ଦେଖା ଦେଇଥିଲା। ହେଲେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସେ ଏଥିଲାଗି ଭାରତୀୟ ଟ୍ଵିଟର ବ୍ୟବହାରକାରୀଙ୍କ ରୋଷର ଶିକାର ହୋଇଛନ୍ତି। ଏଥିଲାଗି ଆଫ୍ରିଦିଙ୍କୁ ସେମାନେ କଟୁ ସମାଲୋଚନା କରିଛନ୍ତି। ଆଫ୍ରିଦିଙ୍କ ଟ୍ଵିଟର୍‌ ପରେ ବହୁ ଭାରତୀୟ ତାଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଜଣେ ଟ୍ଵିଟରାଟୀ ଲେଖିଛନ୍ତି ଯେ କାଶ୍ମୀର କଥା ଛାଡ଼ି ତୁମେ ତୁମ ବିଶ୍ୱବ୍ୟାଙ୍କ ଋଣ ଓ ରୁଟି ମକାନ କଥା ଚିନ୍ତା କର।

ଅନ୍ୟତମ ପାକିସ୍ତାନୀ ଅବସରପ୍ରାପ୍ତ କ୍ରିକେଟର୍‌ ତଥା ରାଜନେତା ଇମ୍ରାନ୍‌ ଖାଁ ମଧ୍ୟ ଏହି ବିବାଦରେ ପ୍ରବେଶ କରିଛନ୍ତି। ଆତ୍ମସମ୍ମାନ ପାଇଁ ସଂଗ୍ରାମ କରୁଥିବା କାଶ୍ମୀରବାସୀଙ୍କ ସହିତ ପାକିସ୍ତାନ ଲୋକ ଅଛନ୍ତି। ନିରସ୍ତ୍ର ନୀରିହ ନାଗରିକମାନଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଇମ୍ରାନ୍‌ ଖାଁ କହିଛନ୍ତି। ଆଇଓକେ (ଭାରତ ଅଧିକୃତ ପାକିସ୍ତାନ)ରେ ଭାରତର ଆକ୍ରାମକ ଆଭିମୁଖ୍ୟ ବିରୋଧରେ ଜାତିସଂଘ ହସ୍ତକ୍ଷେପ କରିବା ଉଚିତ୍‌ ବୋଲି ସେ ମତ ଦେଇଛନ୍ତି।

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ହତ୍ୟା ପ୍ରସଙ୍ଗରେ ସାହିଦି ଆଫ୍ରିଦି ରଖିଥିବା ପ୍ରତିକ୍ରିୟାକୁ ଭାରତୀୟ ବ୍ୟାଟସମ୍ୟାନ୍‌ ଗୌତମ ଗମ୍ଭୀର ତୀବ୍ର ସମାଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ଟ୍ଵିଟର୍‌ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଆତଙ୍କବାଦୀଙ୍କ ପାଇଁ ଆଫ୍ରିଦି ଅପ୍ରତ୍ୟାଶିତ ଦରଦ ଦେଖାଇବା ପରେ ଗମ୍ଭୀର ତାଙ୍କୁ କଥାରେ କଥାରେ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଶଂସକମାନେ ଏଥିରୁ ମଜା ଉଠାଇଥିବା ବେଳେ ଏହି ପ୍ରସଙ୍ଗ ଅଧିକରୁ ଅଧିକ ବିବାଦୀୟ ହୋଇପଡ଼ିଛି।
ଆଫ୍ରିଦିଙ୍କ ଟ୍ଵିଟର୍‌ ମନ୍ତବ୍ୟକୁ ଗମ୍ଭୀର ତୀବ୍ର ସମାଲୋଚନା କରିଥିଲେ। ‘ଆଫ୍ରିଦି ନୋ ବଲ୍‌ରେ ଓ୍ଵିକେଟ୍‌ ପାଇଯିବା ଭଳି ଖୁସୀ ମନାଉଛନ୍ତି’ ବୋଲି ଗମ୍ଭୀର ଟ୍ଵିଟ୍‌ କରିଛନ୍ତି। ଆଫ୍ରିଦିଙ୍କ ଟ୍ଵିଟ୍‌ ସମ୍ପର୍କରେ ଗଣମାଧ୍ୟମ ମୋ ପ୍ରତିକ୍ରିୟା ମାଗିଥିଲା। ଆଫ୍ରିଦି ଏବେ ଜାତିସଂଘର ହସ୍ତକ୍ଷେପ ମାଗିଛନ୍ତି। ଏହା ଏକ ମାନସିକ ଅନ ଗ୍ରସର ପିଲା ତଥା ୧୯ ବର୍ଷରୁ କମ୍‌ ବୟସର ପିଲାଙ୍କ ଭଳି କଥା। ସେ କେବଳ ନୋ ବଲ୍‌ରେ ଓ୍ଵିକେଟ୍‌ ପାଇଯିବା ଭଳି ଲାଗୁଛି। ଗଣମାଧ୍ୟମ ବିରାମ ରହିଲେ ଭଲ ବୋଲି ଗମ୍ଭୀର କହିଥିଲେ।
ସୂଚନାଯୋଗ୍ୟ, ଆଫ୍ରିଦ-ଗମ୍ଭୀର ପରସ୍ପରକୁ ସମାଲୋଚନା କରିବା ନୂଆ ନୁହେଁ। କିଛି ଦିନ ତଳେ ଗମ୍ଭୀର ୨୦୧୧ ବିଶ୍ୱକପ୍‌ ବିଜୟକୁ ୨୬/୧୧ ମୁମ୍ବାଇ ଉଗ୍ରବାଦ ଆକ୍ରମଣରେ ନିହତଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ। ଆଫ୍ରିଦି ସେତେବେଳେ ଏହାକୁ ସମାଲୋଚନା କରିବାରୁ ଗମ୍ଭୀର ତାଙ୍କୁ ଅପରିପକ୍ୱ ଅଭିହିତ କରିଥିଲେ।

ସମ୍ବନ୍ଧିତ ଖବର