ଆଫ୍‌ଗାନିସ୍ତାନ ଟେଷ୍ଟ୍‌ ପାଇଁ ଦଳ ଘୋଷଣା ଆଜି:ରହାଣେ ଅଧିନାୟକ ହେବେ

କାର୍ତିକ ‘ଏ’ ଦଳର ନେତୃତ୍ୱ ନେବେ

ମୁମ୍ବାଇ: ଆସନ୍ତାମାସ ୧୪ ତାରିଖରୁ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ଐତିହାସିକ ଆଫ୍‌ଗାନିସ୍ତାନ ଟେଷ୍ଟ ପାଇଁ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ଆଜି ଘୋଷିତ ହେବ। କାଉଣ୍ଟି ଖେଳିବାକୁ ଅଧିକ ପସନ୍ଦ କରି ଏହି ଟେଷ୍ଟରୁ ଓହରିଯିବାକୁ ସ୍ଥିର କରିଥିବା ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ଆଜିଙ୍କ୍ୟ ରହାଣେ ସମ୍ଭବତଃ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ଜାତୀୟ ମନୋନୟନ ସମିତି ବେଙ୍ଗାଲୁରୁରେ ଆସନ୍ତାକାଲି ଏକାଠି ହୋଇ ଆଫ୍‌ଗାନିସ୍ତାନ ଟେଷ୍ଟ ସମେତ ମୋଟ ୬ ଭିନ୍ନ ଭିନ୍ନ ଦଳ ଚୟନ କରିବେ। ଆଫ୍‌ଗାନିସ୍ତାନ ଟେଷ୍ଟ ବ୍ୟତୀତ ଇଂଲଣ୍ଡ ଗସ୍ତ ପାଇଁ ଭାରତ-ଏ ଦଳ, ଇଂଲଣ୍ଡ ଓ େଓ୍ଵଷ୍ଟଇଣ୍ଡିଜ୍‌କୁ ନେଇ ଆୟୋଜିତ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ଏ ଶୃଙ୍ଖଳା ପାଇଁ ଦଳ, ଆୟର୍ଲାଣ୍ଡ୍‌ ଗସ୍ତ ପାଇଁ ଟେ୍ଵଣ୍ଟି-୨୦ ଦଳ, ଇଂଲଣ୍ଡ ଗସ୍ତ ପାଇଁ ଟେ୍ଵଣ୍ଟି-୨୦ ଦଳ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଦିନିକିଆ ଦଳ ଘୋଷଣା କରାଯିବ। ସରେ ପକ୍ଷରୁ କାଉଣ୍ଟି ଖେଳିସାରି କୋହଲି ଆୟର୍ଲାଣ୍ଡ୍‌ ଏବଂ ଇଂଲଣ୍ଡ ଗସ୍ତ ବେଳକୁ ଦଳକୁ ଫେରିବେ। ଭାରତୀୟ ଦଳ ଆୟର୍ଲାଣ୍ଡ୍‌ ଗସ୍ତରେ ଦୁଇଟି ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ ଥିଲା ବେଳେ ଇଂଲଣ୍ଡ ବିପକ୍ଷରେ ତିନିଟି ଟେ୍ଵଣ୍ଟି-୨୦, ତିନିଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ସାଙ୍ଗକୁ ୫ ଟେଷ୍ଟ ଖେଳିବ।
କୋହଲିଙ୍କ ଅନୁପସ୍ଥିତିରେ ରହାଣେ ଆଫ୍‌ଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ପାଇଁ ଦଳର ନେତୃତ୍ୱ ନେବା ସମ୍ଭାବନା ଅଧିକ ରହିଥିଲା ବେଳେ ସଂପ୍ରତି କାଉଣ୍ଟି ଖେଳୁଥିବା ପୂଜାରା ଏବଂ ଦ୍ରୁତ ବୋଲର ଇଶାନ୍ତ ଶର୍ମା ମଧ୍ୟ ଏହି ଟେଷ୍ଟ ଦଳରେ ରହିବେ। ଏହି ଦୁଇ ଜଣଙ୍କ ବ୍ୟତୀତ ରୋହିତ ଶର୍ମା, ଶିଖର ଧଓ୍ଵନ୍‌ ଓ ହାର୍ଦିକ୍‌ ପାଣ୍ଡ୍ୟା ମଧ୍ୟ ଆଫ୍‌ଗାନିସ୍ତାନ ଟେଷ୍ଟ ଖେଳିବା ନିଶ୍ଚିତ ଜଣାପଡ଼ୁଛି। ଏମାନଙ୍କ ବ୍ୟତୀତ ଅଧାରୁ ଅଧିକ ଯୁବ ଖେଳାଳିଙ୍କୁ ଟେଷ୍ଟ ଦଳରେ ସାମିଲ କରାଯିବ। ସେମାନଙ୍କ ମଧ୍ୟରେ ଶ୍ରେୟସ ଆୟର ବ୍ୟାଟିଂକ୍ରମରେ କୋହଲିଙ୍କ ସ୍ଥାନ ନେଇପାରନ୍ତି। ଫଳରେ ଆୟରଙ୍କୁ ଟେଷ୍ଟ ପଦାର୍ପଣ ସୁଯୋଗ ମିଳିବ। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ଓ ବିଜୟ ଶଙ୍କର ମଧ୍ୟ ଟେଷ୍ଟ ଦଳରେ ସାମିଲ ହୋଇପାରନ୍ତି। ଆଫ୍‌ଗାନିସ୍ତାନ ଟେଷ୍ଟ ପରେ ୭ ଜଣ ନିୟମିତ ଖେଳାଳି ଲଣ୍ଡନ ଗସ୍ତ କରି ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ସେଠାରେ ପରିବେଶ ସହ ପରିଚିତ ହେବେ।
ତେବେ ଓ୍ଵିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଦୀନେଶ କାର୍ତିକ ଇଂଲଣ୍ଡ ଗସ୍ତରେ ଭାରତୀୟ-ଏ ଦଳର ନେତୃତ୍ୱ ନେଇପାରନ୍ତି। କାର୍ତିକଙ୍କ ବ୍ୟତୀତ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଲୋକେଶ ରାହୁଲ୍‌, ମୁରଲୀ ବିଜୟ, ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌, ଅଲ୍‌ରାଉଣ୍ଡର ପାଣ୍ଡ୍ୟା ଭ୍ରାତା ହାର୍ଦିକ୍‌ ଓ କୃନାଲ୍‌ ଭାରତ-ଏ ଦଳରେ ସାମିଲ ହେବେ। ସେହିପରି ଯୁବ ତାରକା ପୃଥ୍ଵୀ ସ, ଶୁଭମନ୍‌ ଗିଲ୍‌ ଓ ଶିବମ୍‌ ମାଭୀ ଏ-ଦଳରେ ସ୍ଥାନ ପାଇବା ସମ୍ଭାବନା ଅଧିକ। ଭାରତ-ଏ ଦଳ ଇଂଲଣ୍ଡ ଲାୟନ୍‌ସ ବିପକ୍ଷରେ ଜୁଲାଇ ୧୬ରୁ ୧୯ ପର୍ଯ୍ୟନ୍ତ ଏକ ୪ ଦିନିଆ ମ୍ୟାଚ୍‌ ଖେଳିବ। ଏହା ବ୍ୟତୀତ ପକାଉଣ୍ଟି ଦଳ ସହ ଅନ୍ୟ ଦୁଇଟି ତିନିଦିନିଆ ମ୍ୟାଚ୍‌ ମଧ୍ୟ ଖେଳିବାର ସୂଚୀ ରହିଛି। ଚଳିତ ଆଇପିଏଲ୍‌ରେ ଚମତ୍କାର ଫର୍ମରେ ଥିବା ଅମ୍ବାତି ରାୟୁଡୁ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ଫେରିବା ଆଶା ଅଧିକ ରହିଛି।

ସମ୍ବନ୍ଧିତ ଖବର