ଗୁରୁବାରଠୁ ଭାରତ-ଆଫଗାନିସ୍ତାନ ଟେଷ୍ଟ୍‌:ସାମିଙ୍କ ସ୍ଥାନରେ ସଇନି

ମୁଁ ଏବେ ଉନ୍ନତ ବ୍ୟାଟ୍‌ସମ୍ୟାନ୍‌: ନାୟାର୍‌

ନୂଆଦିଲ୍ଲୀ: ଗୁରୁବାରଠୁ ଆରମ୍ଭ ହେବାକୁ ଥିବା ଆଫ୍‌ଗାନିସ୍ତାନ ବିପକ୍ଷ ଏକ ମାତ୍ର ଟେଷ୍ଟ୍‍ ଲାଗି ମହମ୍ମଦ ସାମିଙ୍କ ସ୍ଥାନରେ ଦିଲ୍ଲୀ ଦ୍ରୁତ ବୋଲର ନବଦୀପ୍‌ ସଇନି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ବେଙ୍ଗାଲରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମିରେ ସୋମବାର ସ୍ୱାସ୍ଥ୍ୟ ପରୀକ୍ଷା ଦେଇଥିବା ସାମି ଏଥିରେ ବିଫଳ ହୋଇଥିଲେ। ଫଳରେ ତାଙ୍କୁ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୧୪ ତାରିଖରୁ ଆରମ୍ଭ ହେବାକୁଥିବା ଆଫ୍‌ଗାନିସ୍ଥାନ ବିପକ୍ଷ ଟେଷ୍ଟ୍‍ ଦଳରୁ ବାଦ୍‌ ଦେଇ ସଇନିଙ୍କୁ ସାମିଲ କରିଥିଲା। ୨୫ ବର୍ଷୀୟ ସଇନି ୩୧ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ୯୬ ଓ୍ଵିକେଟ୍‌ ଦଖଲ କରିଥିଲା ବେଳେ ୨୦ ଲିଷ୍ଟ-ଏରେ ୩୧ ଓ୍ଵିକେଟ୍‌ ହାସଲ କରିଛନ୍ତି। ନାଗପୁରରେ ଖେଳାଯାଇଥିବା ଇରାନୀ ଟ୍ରଫିରେ ସଇନି ଓ୍ଵିକେଟ୍‌ ଶୂନ୍ୟ ରହିଥିଲେ। ବିଦର୍ଭ ବିପକ୍ଷ ଏହି ମ୍ୟାଚ୍‌ରେ ସେ ୪୦ ଓଭର ବୋଲିଂ କରିଥିଲେ ମଧ୍ୟ ଓ୍ଵିକେଟ୍‌ ପାଇବାରେ ବିଫଳ ହୋଇଥିଲେ। ଭାରତୀୟ ଦଳୀୟ କାର୍ଯ୍ୟକର୍ତା ଭରତୀୟ-ଏ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ରଜନୀଶ ଗୁରବାଣୀ ଅଭ୍ୟାସ ଶିବିରରେ ଅଂଶଗ୍ରହଣ କରିଥିଲେ। ଏ ଦୁହିଁଙ୍କ ବାତ୍‌ ଅଙ୍କିତ ରାଜପୁତ ମଧ୍ୟ ଏହି ଦୌଡ଼ରେ ରହିଥିଲେ। ହେଲେ ଏହି ଉତ୍ତର ପ୍ରଦେଶ ଦ୍ରୁତ ବୋଲର ସମସ୍ତଙ୍କୁ ପଛରେ ପକାଇ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।
ବେଙ୍ଗାଲୁରୁ, ୧୧|୬ (ପିଟି): ଟେଷ୍ଟ୍‍ କ୍ରିକେଟ୍‌କୁ ପ୍ରତ୍ୟାବର୍ତନ କରିବା ଆଶାରେ ରହିଛନ୍ତି ବ୍ୟାଟ୍‌ସମ୍ୟାନ୍‌ କରୁଣ ନାୟାର। ଆଫଗାନିସ୍ତାନ ବିପକ୍ଷ ଏହି ଟେଷ୍ଟ୍‍କୁ ନେଇ ସେ ଏକାଗ୍ର ଅଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ ନିଜର ଆତ୍ମବିଶ୍ୱାସ ଜାହିର କରିଛନ୍ତି। କହିଛନ୍ତି ବିଗତ ୨ ବର୍ଷ ତୁଳନାରେ ମୁଁ ଏବେ ଜଣେ ଉନ୍ନତ ବ୍ୟାଟସମ୍ୟାନ୍‌। ମୁଁ ଏବେ ଶାରୀରିକ ଭାବେ ଅଧିକ ସକ୍ଷମ। ଦଳଠାରୁ ଦେଢ଼ ବର୍ଷ ପ୍ରାୟ ଦୂରେଇ ରହିବା ପରେ ନିଜ ଦକ୍ଷତାରେ ଉନ୍ନତି ଆଣିଛି। ଉଭୟ ବ୍ୟାଟିଂ ଏବଂ ଫିଟ୍‌ନେସ୍‌ ଉପରେ ବହୁ କାମ କରିଛି। ଘରୋଇ କ୍ରିକେଟ୍‌ରେ ରନ୍‌ କରିଛି। ମୁଁ ନିଜକୁ ଭଲ ଭାବରେ ଜାଣିଛି ବୋଲି କହିଛନ୍ତି ନାୟାର୍‌। ସେ ଯଦି ଚୂଡାନ୍ତ ଏକାଦଶରେ ସାମିଲ ହେବେ ତେବେ ଗତବର୍ଷ ମାର୍ଚରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‍ ପରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ। ବ୍ରିଟେନ୍‌ ଗସ୍ତରେ ଭାରତୀୟ ‘ଏ’ ଦଳର ସଫଳ ଗସ୍ତରେ ଅଧିନାୟକତ୍ୱ କରିବା ପରେ ନାୟାର ଇଂଲଣ୍ଡ ଶୃଙ୍ଖଳା ପାଇଁ ଦଳରେ ସ୍ଥାନ ପାଇଛନ୍ତି। କିନ୍ତୁ ବର୍ତମାନ ଉପରେ ସେ ଅଧିକ ଆସ୍ଥା ରଖିଛନ୍ତି। ମୋ ପାଇଁ ଏବେ ଅନେକ ବାଟ ଯିବାର ଅଛି। ବେଶି ଆଗକୁ ଭାବୁ ନାହିଁ। ଏହି ଟେଷ୍ଟ୍‍ରେ ଭଲ କରିବା ମୋ ପାଇଁ ବର୍ତମାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଏହି କର୍ଣ୍ଣାଟକ ବ୍ୟାଟ୍‌ସମ୍ୟାନ୍‌। ଆଫଗାନିସ୍ତାନ ସ୍ପିନର୍‌ ଭାରତଠାରୁ ଉନ୍ନତ ବୋଲି ଭ୍ରମଣକାରୀ ଅଧିନାୟକ ଷ୍ଟାନିକ୍‌ଜାଇ ଦେଇଥିବା ମତ ସମ୍ପର୍କରେ ନାୟାର୍‌ କହିଛନ୍ତି ଏହା ନିଶ୍ଚିତ ଏକ ବଡ଼ କଥା। କିନ୍ତୁ ଆମ ସ୍ପିନରମାନେ ଟେଷ୍ଟ୍‍ କ୍ରିକେଟ୍‌ରେ ଓ୍ଵିକେଟ୍‌ ନେବା ଦକ୍ଷତାକୁ ପ୍ରମାଣିତ କରି ସାରିଛନ୍ତି। କିନ୍ତୁ ଟେଷ୍ଟ୍‍ କ୍ରିକେଟ୍‌ରେ ରସିଦ୍‌ ଓ ମୁଜିବ୍‌ଙ୍କ ଭିନ୍ନ ବଲ୍‌ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ସେମାନେ ଅଧିକ ଭାବେ ଲାଲ୍‌ ବଲ୍‌ ମ୍ୟାଚ୍‌ ଖେଳିନାହାନ୍ତି। ତେଣୁ କରି ଏହି ଟେଷ୍ଟ୍‍ ସମସ୍ତଙ୍କ ପାଇଁ ନୂଆ ହେବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର