ଏସିଆ କପ୍‌: ସୁପର-୪ ମୁକାବିଲାରେ ଭାରତ ପ୍ରଥମେ କରିବ ବୋଲିଂ, ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣି ଅଧିନାୟକ ଦାୟିତ୍ୱ

ଟସ୍‌ ଜିଣି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ଏସିଆ କପ୍‌ର ଫାଇନାଲ୍‌କୁ ଉଠି ସାରିଥିବା ଭାରତ ମଙ୍ଗଳବାର ନିଜ ଶେଷ ସୁପରଫୋର୍‌ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିଛି। ସୁପର-୪ ମୁକାବିଲାରେ ଟସ୍‌ ଜିଣି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଭାରତ ପ୍ରଥମେ ବୋଲିଂ କରିବ। ଭାରତୀୟ ଦଳରେ କିଛି ପରିବର୍ତ୍ତନ କରାଯାଇଛି। ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯିବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣି ଥରେ ଦଳର ନେତୃତ୍ୱ ନେବା ପାଇଁ ସୁଯୋଗ ମିଳିଛି।

ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱହୀନ ରହିଛି। ଭାରତ ଫାଇନାଲ୍‌ ପୂର୍ବରୁ ନିଜକୁ ଲୟରେ ରଖିବାକୁ ଏହି ମ୍ୟାଚ୍‌ରେ ସୁଯୋଗ ପାଇବ। ସେହିଭଳି କିଛି ପ୍ରମୁଖ ଦ୍ରୁତ ବୋଲରଙ୍କୁ ବିଶ୍ରାମ ଦେଇ ଫାଇନାଲ୍‌ ପୂର୍ବରୁ ସେମାନଙ୍କୁ ସତେଜ ରଖିବ। ଅନ୍ୟପକ୍ଷରେ ଆଫଗାନିସ୍ତାନ କେବଳ ସାନ୍ତ୍ୱନାମୂଳକ ବିଜୟ ଆଶାରେ ରହିବ। ଅଭିଜ୍ଞତା ଅଭାବରୁ ହତଭାଗ୍ୟ ରହିଥିବା ଆଫଗାନିସ୍ତାନର ଲଢ଼ୁଆ ଖେଳ କିନ୍ତୁ ନିରପେକ୍ଷ ପ୍ରଶଂସକଙ୍କ ମନ ଜିତିଛି। ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ବୋଲର ଶେଷ ଓଭରରେ ସ୍ନାୟୁକୁ ନିୟନ୍ତ୍ରଣରେ ରଖି ନ ପାରି ଏବଂ ରବିବାର ରାତିରେ ବାଂଲାଦେଶ ବିପକ୍ଷରେ ମୁସ୍ତାଫିଜୁର ରେହମାନଙ୍କ ଶେଷ ଓଭରରୁ ଆବଶ୍ୟକ ୮ ରନ୍‌ କରିନପାରି ପରାଜିତ ହୋଇଥିଲା। ଏବେ ଦଳ ଶେଷ ସୁଯୋଗକୁ କିଛି କରିସ୍ମା କରି ଦେଖାଇବାର ଆଶାରେ ରହିବ। ଗ୍ରୁପ୍‌ ପର୍ଯ୍ୟାୟରେ ବାଂଲାଦେଶ ଓ ଶ୍ରୀଲଙ୍କାକୁ ହରାଇଥିବାରୁ ମଙ୍ଗଳବାର ଏହି ଦଳ ଭାରତକୁ ହରାଇଦେଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।

ଭାରତୟ ଦଳ: ଶିଖର ଧାଓ୍ଵନ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ-ଓ୍ଵିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ଭୁବନେଶ୍ୱର କୁମାର, ଯଶପ୍ରୀତ୍‌ ବୁମରା, ଖଲିଲ୍‌ ଅହମ୍ମଦ, ଦୀପକ ଚହର, ସିଦ୍ଧାର୍ଥ କୌଲ୍‌, ମନୀଷ ପାଣ୍ଡେ।
ଆଫଗାନିସ୍ତାନ ଦଳ: ମହମ୍ମଦ ସେହଜାଦ, ଇନ୍‌ସାନୁଲ୍ଲା ଜମାତ୍‌, ଜାଭେଦ ଅହମ୍ମଦି, ରହମତ୍‌ ସାହା, ଅସଗର ଷ୍ଟାନିକଜାଇ, ହସମତ୍‌ ସାହିଦି, ମହମ୍ମଦ ନବି, ଗୁଲବଦ୍ଦିନ୍‌ ନାଏବ, ରସିଦ୍‌ ଖାନ୍‌, ନଜିବୁଲ୍ଲା ଜଦ୍ରାନ, ମୁଜିବ୍‌ ଉର୍‌ ରେହମାନ୍‌, ଅଫତାବ୍‌ ଆଲାମ, ମସିଉଲ୍ଲା ସେନ୍‌ଓ୍ଵାରି, ମୁନିର ଅହମ୍ମଦ, ସୟଦ୍‌ ଅହମ୍ମଦ ସେର୍ଜାଦ୍‌, ମୋମଦ ଓ୍ଵାଫାଦାର।

ସମ୍ବନ୍ଧିତ ଖବର