ଭାରତରେ ବାଂଲାଦେଶ ସହ ଟେ୍ଵଣ୍ଟି-୨୦ ଖେଳିବ ଆଫ୍‌ଗାନିସ୍ତାନ

ନୂଆଦିଲ୍ଲୀ: ଭାରତ ସହ ଆସନ୍ତାମାସରେ ଐତିହାସିକ ଟେଷ୍ଟ ଖେଳିବାକୁ ଆସୁଥିବା ଆଫ୍‌ଗାନିସ୍ତାନ କ୍ରିକେଟ୍‌ ଦଳ ଭାରତରେ ହିଁ ବାଂଲାଦେଶ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ନିଷ୍ପତ୍ତି ନେଇଛି। ଜୁନ୍‌ ୧୪ ତାରିଖରୁ ବେଙ୍ଗାଲୁରୁରେ ଭାରତ ସହ ନିଜର ପଦାର୍ପଣ ଟେଷ୍ଟ ଖେଳିବାକୁ ଆସୁଥିବା ଆଫ୍‌ଗାନିସ୍ତାନ ସେହିମାସ ୩, ୫ ଓ ୭ ତାରିଖରେ ଉତ୍ତର ଭାରତର ସହର ଡେରାଡୁନ୍‌ରେ ତିନିଟି ଦିବାରାତ୍ର ଟେ୍ଵଣ୍ଟି-୨୦ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ସୂଚୀ ପ୍ରସ୍ତୁତ କରିଛି। ପୂର୍ବରୁ କେବେ ବି ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରିନଥିବା ଏହି ପାହାଡି ସହରର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଆଫ୍‌ଗାନିସ୍ତାନ-ବାଂଲାଦେଶ ଟେ୍ଵଷ୍ଟି-୨୦ ଶୃଙ୍ଖଳା ଖେଳାଯିବ। ଡେରାଡୁନ୍‌ରେ ଆମେ ବାଂଲାଦେଶ ସହ ଶୃଙ୍ଖଳା ଖେଳିବାର ସୁଯୋଗ ପାଇଥିବାରୁ ଆଫ୍‌ଗାନିସ୍ତାନ କ୍ରିକେଟ୍‌ ବୋର୍ଡ ଖୁବ୍‌ ଆନନ୍ଦିତ ବୋଲି ଏହାର ଅଧ୍ୟକ୍ଷ ଅତିଫ୍‌ ମାସାଲ କହିଛନ୍ତି। ଅନ୍ୟ ପକ୍ଷରେ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ମଧ୍ୟ ଏଭଳି ସୂଚୀକୁ ପସନ୍ଦ କରିଛି। ଆଫ୍‌ଗାନିସ୍ତାନର କେତେକ ଖେଳାଳି ଟେ୍ଵଣ୍ଟି-୨୦ ଫର୍ମାଟ୍‌ରେ ଖୁବ୍‌ ଧୂରନ୍ଧର। ପୁଣି ଡେରାଡୁନ୍‌ ପରିବେଶ ସହ ସେମାନେ ପରିଚିତ ଥିବାରୁ ଏହାର ଫାଇଦା ଉଠାଇପାରିବେ ବୋଲି ବାଂଲା ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ନିଜାମଉଦ୍ଦିନ୍‌ ଚୌଧୁରୀ କହିଛନ୍ତି। ତଥାପି ଆମେ ମ୍ୟାଚ୍‌ଗୁଡ଼ିକ ଜିତିବା ପାଇଁ ଖେଳିବୁ ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଉଭୟ ଆଫ୍‌ଗାନିସ୍ତାନ ଓ ବାଂଲାଦେଶ ଏହା ପୂର୍ବରୁ ଥରେମାତ୍ର ଟେ୍ଵଣ୍ଟି-୨୦ ଫର୍ମାଟ୍‌ରେ ମୁହାଁମୁହିଁ ହୋଇଥିଲେ। ୨୦୧୪ ଆଇସିସି ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ର ସେହି ମୁକାବିଲାରେ ଆଫ୍‌ଗାନିସ୍ତାନକୁ ୯ ଓ୍ଵିକେଟ୍‌ରେ ବାଂଲାଦେଶ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର