ଆଫ୍ରିକୀୟ ସଫାରିର ଅକାଳ ବିଦାୟ

ମସ୍କୋ: ୧୯୮୨ ମସିହା ପରଠାରୁ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍‌ର ଦ୍ୱିତୀୟ ପର୍ଯ୍ୟାୟରେ କୌଣସି ଆଫ୍ରିକୀୟ ଦଳ ନାହାନ୍ତି। ରୁଷିଆରେ ଆଫ୍ରିକୀୟ ଦଳଗୁଡ଼ିକ ମାତ୍ର ୩ ବିଜୟ ହାସଲ କରିଥିଲା ବେଳେ ସାମଗ୍ରିକ ଭାବେ ଖେଳିଥିବା ୧୫ ମୁକାବିଲାରୁ ୧୦ଟିରେ ପରାସ୍ତ ହୋଇଛନ୍ତି। ଚଳିତ ବିଶ୍ୱକପ୍‌ରେ ଅଂଶ ଗ୍ରହଣ କରିଥିବା ପାଞ୍ଚଟି ଆଫ୍ରିକୀୟ ଦେଶର ଅଭିଯାନ ଅକାଳରେ ଶେଷ ହୋଇଯିବା ସମସ୍ତଙ୍କୁ ବିସ୍ମିତ କରିଛି। ଆଫ୍ରିକାର ଏଭଳି ବିଦାୟ ପାଇଁ ଅନେକ ଫୁଟବଲ୍‌ ପଣ୍ଡିତ ଭିଡିଓ ଆସିଷ୍ଟ ରେଫରି ବା ଭାର୍‌କୁ ଦାୟୀ କରୁଛନ୍ତି।

ଇଜିପ୍ଟ: ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଇଜିପ୍ଟର ଅଗ୍ରଭାଗ ଖେଳାଳି ମହମ୍ମଦ ସଲାହ ଦୁର୍ଭାଗ୍ୟଜନକ ଭାବେ ଆହତ ହୋଇଯାଇଥିଲେ। ତେବେ ଏହି ଦୁଃଖଦ ଓ ଅପ୍ରତ୍ୟାଶିତ ଘଟଣା ଇଜିପ୍ଟ ଉପରେ ପଡ଼ିବ ନାହିଁ ବୋଲି ପ୍ରଶିକ୍ଷକ ହେକ୍ଟର କପର ଦାବି କରିଥିଲେ। ହେଲେ ରୁଷିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ହିଁ ତାଙ୍କ ବାହାଦୁରୀ ଫିକା ପଡ଼ି ଯାଇଥିଲା। ସଲାହ ଅବଶ୍ୟ ଦ୍ୱିତୀୟ ମ୍ୟାଚ୍‌ରେ ଫେରିଥିଲେ। ହେଲେ ସେତେବେଳକୁ ସମ୍ଭବତଃ ବିଳମ୍ବ ହୋଇ ଯାଇଥିଲା। ଇଜିପ୍ଟ ପ୍ରତିଯୋଗିତାରେ ମାତ୍ର ଦୁଇଟି ଗୋଲ୍‌ ଦେଇଥିଲା। ଦୁଇଟି ଯାକ ସଲାହ ଅର୍ଜନ କରିଥିଲେ। ନିଜଠାରୁ ନିଚ୍ଚ ମାନ୍ୟତାପ୍ରାପ୍ତ ଦଳ ବିପକ୍ଷରେ ବିଜୟୀ ହୋଇ ନପାରି ବିନା ପଏଣ୍ଟରେ ଇଜିପ୍ଟ ତା’ର ଅଭିଯାନ ଶେଷ କରିଥିଲା। ୮୪ ବର୍ଷର ବିଶ୍ୱକପ୍‌ ଅଭିଯାନରେ ଇଜିପ୍ଟ ଆଉଥରେ ବିଜୟ ଶୂନ୍ୟ ରହିଥିଲା।
ମରକ୍କୋ: ସ୍ପେନ୍‌ ଏବଂ ପର୍ତୁଗାଲ ଭଳି ଦଳ ଥିବା ଗ୍ରୁପରେ ରହିବା ଅସହାୟ ମରକ୍କୋ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ତଥାପି ସେମାନେ ନିଜ ତିନିଟି ଯାକ ମ୍ୟାଚ୍‌ରେ ପ୍ରତିପକ୍ଷ ଦଳକୁ କଡ଼ା ଟକ୍କର ଦେଇଥିଲେ। ଫିନିସିଂ ଦୁର୍ବଳତା ହିଁ ସେମାନଙ୍କ ବିଦାୟର କାରଣ ହୋଇଥିଲା। ସ୍ପେନ୍‌ ବିପକ୍ଷ ମୁକାବିଲାକୁ ଅମୀମାଂସିତ ରଖିବା ସତ୍ତ୍ୱେ ଅନ୍ୟ ଦୁଇ ମ୍ୟାଚ୍‌ରେ ସେମାନେ ଅଳ୍ପକେ ପରାଜିତ ହେଲେ।

ନାଇଜେରିଆ: ନାଇଜେରିଆ ପାଖରେ ଏକ ଭଲ ଦଳ ଥିଲା। ହେଲେ କେଜାଣି କାହିଁକି ଏହି ଦଳ ଆଶାଜନକ ପ୍ରଦର୍ଶନ କରି ପାରି ନଥିଲା। ପ୍ରଥମ ମ୍ୟାଚ୍‌ରେ କ୍ରୋଏସିଆଠାରୁ ହାରିବା ପରେ ଆଇସ୍‌ଲାଣ୍ଡ ବିପକ୍ଷରେ ବିଜୟୀ ହୋଇ ସେମାନେ ପ୍ରଶଂସକଙ୍କ ଆଶା ଆକାଂକ୍ଷା ବଢ଼ାଇ ଦେଇଥିଲେ। ହେଲେ ଆର୍ଜେଣ୍ଟିନାଠାରୁ ହାରିବା ସେମାନଙ୍କ ପ୍ରଥମ ପର୍ଯ୍ୟାୟ ବିଦାୟ ପାଇଁ ଯଥେଷ୍ଟ ହୋଇଥିଲା। ରକ୍ଷଣଭାଗର ଖାମଖିଆଲି ଖେଳ ପାଇଁ ମାର୍କୋସ୍‌ ରୋଜୋଙ୍କ ବିଳମ୍ବିତ ଗୋଲ୍‌ ବଳରେ ଆର୍ଜେଣ୍ଟିନା ଶେଷ ୧୬ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା।
ଟ୍ୟୁନିସିଆ: ବେଲ୍‌ଜିୟମ ଏବଂ ଇଂଲଣ୍ଡ ଥିବା ଗ୍ରୁପରେ ତୃତୀୟ ସ୍ଥାନରେ ରହିବା ଟ୍ୟୁନିସିଆର ଅସଲ ଲକ୍ଷ୍ୟ ଥିଲା। ସେମାନେ ଏହି ଲକ୍ଷ୍ୟ ପୂରଣ କରିଥିଲେ। ହେଲେ ପ୍ରି-କ୍ୱାର୍ଟରକୁ ଯିବା ଲାଗି ଏହି ପର୍ଯ୍ୟାପ୍ତ ହୋଇ ନଥିଲା। ତୃତୀୟ ତଥା ଶେଷ ମ୍ୟାଚ୍‌ରେ ପାନାମାକୁ ହରାଇ ଅବଶ୍ୟ ସେମାନେ ସମ୍ମାନର ସହ ନିଜ ଅଭିଯାନ ଶେଷ କଲେ। ୪୦ ବର୍ଷ ପରେ ଟ୍ୟୁନିସିଆର ଏହା ପ୍ରଥମ ବିଶ୍ୱକପ୍‌ ବିଜୟ ଥିଲା।

ସେନେଗାଲ: ସେନେଗାଲ ଥିଲା ଆଫ୍ରିକାର ଶେଷ ଆଶା। ହେଲେ ଅନ୍ତିିମ ମୁକାବିଲାରେ କଲମ୍ବିଆଠାରୁ ୦-୧ରେ ହାରିବା ପରେ ଏହି ଦଳ ମଧ୍ୟ ଦୁର୍ଭାଗ୍ୟଜନକ ବିଦାୟ ନେଇଥିଲା। ଜାପାନ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଫେୟାର ପ୍ଲେ ନିୟମରେ ପଛୁଆ ରହି ସେନେଗାଲ ମସ୍କୋ ମହାସମରରୁ ବିଦାୟ ନେବାକୁ ବାଧ୍ୟ ହୋଇଥିଲା। ଏଭଳି ଢଙ୍ଗରେ ବିଦାୟ ନେବାରେ ଏହି ଦେଶ ପ୍ରଥମ ଦଳ ହୋଇଥିଲା। ୨୦୦୨ ମସିହାରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଖେଳୁଥିବା ସେନେଗାଲ କିନ୍ତୁ ଆଫ୍ରିକୀୟ ଦଳ ମଧ୍ୟରେ ସବୁଠାରୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଦଳ ଭଳି ଲାଗିଥିଲା। ନିଜ ପ୍ରଥମ ମୁକାବିଲାରେ ପୋଲାଣ୍ଡକୁ ହରାଇ ସେନେଗାଲ ମଧ୍ୟ ଏକ ଛୋଟକାଟିଆ ବିପର୍ଯ୍ୟୟ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର