ଦିନିକିଆ ପରେ ଟେ୍ଵଣ୍ଟି-୨୦ କବ୍‌ଜା ଲକ୍ଷ୍ୟରେ ମହିଳା

ପୋଚ୍‌ଷ୍ଟ୍ରମ୍‌: ଦକ୍ଷିଣ ଅଫ୍ରିକା ଗସ୍ତରେ ୩ ଟିକିଆ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତୀୟ ମହିଳା ଦଳ ଏବେ ୫ ଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ କବ୍‌ଜା କରିବା ଲକ୍ଷ୍ୟରେ ରହିଛି। ଏହି ଅଭିଯାନର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ପୋଚ୍‌ଷ୍ଟମ୍‌ରେ ଖେଳାଯିବ। ପ୍ରଥମ ଦୁଇ ଦିନିକିଆକୁ ଯଥାକ୍ରମେ ୮୮ ଓ ୧୭୮ ରନ୍‌ରେ ଜିତିଥିବା ଭାରତ ଶୁକ୍ରବାର ଶେଷ ଦିନିକିଆକୁ ୭ ଓ୍ଵିକେଟ୍‌ରେ ହାରି ଯାଇଥିଲା। ଯାହାକି ଟେ୍ଵଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ୱାସରେ କିଛିଟା ଫରକ ପକାଇଥିଲା। କିନ୍ତୁ ଭାରତ ଏହାକୁ ଭୁଲି ନୂଆ ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ୱରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମଙ୍ଗଳବାର ପଡ଼ିଆକୁ ଓହ୍ଲାଇବ।
ଭାରତୀୟ ଦଳରେ ଟେ୍ଵଣ୍ଟି-୨୦ ବିଶେଷଜ୍ଞ ଅନୁଜା ପାଟିଲ ସାଙ୍ଗକୁ ପ୍ରଦାର୍ପଣ ଅପେକ୍ଷାରେ ଥିବା ଅଲ୍‌ରାଉଣ୍ଡର ରାଧା ଯାଦବ ଏବଂ ଓ୍ଵିକେଟ୍‌ରକ୍ଷିକା ନୁଜାତ୍‌ ପରବିିନ୍‌ଙ୍କ ସହ ୧୯ ବର୍ଷରୁ କମ୍‌ ବର୍ଗରେ ଦ୍ୱିଶତକ (୨୦୨ ରନ୍‌, ୧୬୩ ବଲ୍‌) ହାସଲ କରିଥିବା ୧୭ ବର୍ଷୀୟା ମୁମ୍ବାଇ ଲଳନା ଜେମିମା ରୋଦ୍ରିଗୁଏଜ୍‌ ଦଳରେ ଅଛନ୍ତି। ଏହି ନୂଆ ତାରକାଙ୍କ ସହ ଦିନିକିଆ ଭଲ କରିଥିବା ଦୀପ୍ତି ଶର୍ମା ଏବଂ ଭେଦା କୃଷ୍ଣମୃର୍ତ୍ତିଙ୍କ ଉପରେ ମଧ୍ୟ ଦଳ ଭରଷା ରଖିବ। ବିଜୟ ପାଇଁ ଦିନିକିଆ ଅଧିନାୟିକା ମିତାଲି ରାଜ ଏବଂ ହରମନ୍‌ପ୍ରୀତ୍‌ଙ୍କ ପ୍ରଦର୍ଶନ ମଧ୍ୟ ମୁଖ୍ୟ ରହିବ। ତୃତୀୟ ଦିନିକିଆରେ ବିଶ୍ରାମ ନେଇଥିବା ଝୁଲଣ ଗୋସ୍ୱାମୀ ଶେଷ ଏକାଦଶକୁ ଫେରିବାର ସମ୍ଭାବନା ରହିଛି। ଫଳରେ ଭାରତୀୟ ବୋଲିଂ ବାହିନୀ ମଜବୁତ ହେବ। ଝୁଲଣଙ୍କ ଅନୁପସ୍ଥିତିରେ ତୃତୀୟ ଦିନିକିଆରେ ଦକ୍ଷିଣ ପ୍ରାରମ୍ଭିକ ବ୍ୟାଟର୍‌ ମିଗୁନ୍‌ ଡୁ’ପ୍ରିଜ୍‌ (୯୦) ଏବଂ ଲାଉରା ଓ୍ଵଭାର୍ଦତ (୫୯) ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ବାମହାତୀ ବୋଲର ଶବନିମ ଇସ୍‌ମାଇଲ୍‌ ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବେଶୀ କ୍ଷତି କରିଥିଲେ। ସେ ମାତ୍ର ୩୦ ରନ୍‌ ୪ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର