ଆଜିଠୁ ଓଡ଼ିଶା-ଆନ୍ଧ୍ର ରଣଜୀ ମୁକାବିଲା: ୧୦ ବର୍ଷ ପରେ ମୁହାଁମୁହିଁ

ଅବିନାଶ ଓ ଶୁଭମଙ୍କୁ ମିଳିବ ସୁଯୋଗ

କଟକ: ବିଜୟନଗରମ୍‌ସ୍ଥିତ ଡକ୍ଟର ପିଭିଜି ରାଜୁ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ମଙ୍ଗଳବାରଠୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ରଣଜୀ ଟ୍ରଫି ଗ୍ରୁପ୍‌ ‘ସି’ର ତୃତୀୟ ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହେବ। ରଣଜୀ ଟ୍ରଫିରେ ଶେଷ ଥର ପାଇଁ ଏହି ଦୁଇ ଦଳ ୨୦୦୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଖେଳିଥିଲାବେଳେ ୧୦ ବର୍ଷ ପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଚଳିତ ଋତୁରେ ଆନ୍ଧ୍ରପ୍ରଦେଶ ଦୁଇଟି ମ୍ୟାଚ ଖେଳିସାରିଛି। ଉଭୟ ମ୍ୟାଚ ଅମୀମାଂସିତ ରଖିଥିଲେ ମଧ୍ୟ ପ୍ରଥମ ପାଳି ଅଗ୍ରଣୀ ଆଧାରରେ ୬ ପଏଣ୍ଟ ପାଇ ତାଲିକାରେ ମଧ୍ୟପ୍ରଦେଶ (୭) ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଓଡ଼ିଶା ଘରୋଇ ପଡ଼ିଆରେ ତ୍ରିପୁରା ବିପକ୍ଷରେ ଗୋଟିଏ ମ୍ୟାଚ ଖେଳିଥିଲେ ହେଁ ବର୍ଷା ଯୋଗୁଁ ମାତ୍ର ଦେଢ ଦିନ ଖେଳ ହୋଇପାରିଥିଲା। ଫଳରେ ମ୍ୟାଚର କୌଣସି ଫଳାଫଳ ବାହାରିନଥିବାରୁ ଦୁଇ ଦଳଙ୍କୁ ୧ ପଏଣ୍ଟ ଲେଖାଏଁ ଦିଆଯାଇଥିଲା।

ବୋଲିଂରେ ଧୀରାଜ ସିଂହ ପଞ୍ଚମ ଥର ୫ଓ୍ଵିକେଟ ସଫଳତା ପାଇ ଭଲ ସଙ୍କେତ ଦେଇଛନ୍ତି। ଓଡ଼ିଶା ଖେଳାଳିମାନେ ଅନ୍ତଃ ଜିଲ୍ଲା ଖେଳିନଥିଲେ ମଧ୍ୟ ପ୍ରାୟ ୧ମାସର ଅଭ୍ୟାସ ଶିବିରରୁ ମ୍ୟାଚ ଅଭ୍ୟାସ ଅଭିଜ୍ଞତା ସାଉଁଟିଥିଲେ। ତାହାର ପ୍ରତିଫଳନ ଦ୍ୱିତୀୟ ମ୍ୟାଚରେ ଦେଖିବାକୁ ମିଳିପାରିବ ବୋଲି କୁହାଯାଉଛି।
ବିଜୟନଗରମ୍‌ ପିଚ୍‌ ମନ୍ଥର ଅଛି। ଟର୍ନିଂ ଟ୍ରାକ୍‌ର ପୂର୍ବାନୁମାନ ରହିଛି। କିନ୍ତୁ ବ୍ୟାଟିଂକୁ ଭଲ ସୁହାଇବ ବୋଲି କୁହାଯାଉଛି। ଏହି କାରଣରୁ ଓଡ଼ିଶା ୨ ଜଣ ଦ୍ରୁତ ବୋଲର ଏବଂ ୨ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ସୂଚନା ମିଳିଛି। ଏଭଳି କ୍ଷେତ୍ରରେ ଦ୍ରୁତ ବୋଲର ସାଥୀ ଦୀପକ ବେହେରା ଏବଂ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ମଧ୍ୟରୁ ଜଣେ ଖେଳିବେ। ବାମହାତୀ ସ୍ପିନର ଧୀରାଜ ସିଂହଙ୍କ ସହିତ ଯୁବ ଅଫସ୍ପିନର୍‌ ଶୁଭମ ନାୟକଙ୍କୁ ସୁଯୋଗ ମିଳିବା ପ୍ରାୟ ନିଶ୍ଚିତ। ଏହା ହେଲେ ଶୁଭମ୍‌ଙ୍କୁ ପଦାର୍ପଣ ସୁଯୋଗ ମିଳିବ। ବ୍ୟାଟିଂରେ ରଂଜିତ ସିଂହଙ୍କ ବଦଳରେ ଓଡ଼ିଶା ଅଭିନାଶ ଶାହାଙ୍କୁ ସୁଯୋଗ ଦେଉଥିବା ସୂଚନା ମିଳିଛି।
ଓଡ଼ିଶା ଦଳରୁ ରଂଜିତ ସିଂହ ଆହତ ଜନିତ କାରଣରୁ ବାଦ୍‌ ପଡ଼ିଥିଲେ ବି ଶୁଭ୍ରାଂଶୁ ସେନାପତି ଓ ସନ୍ଦୀପ ପଟ୍ଟନାୟକଙ୍କ ନିକଟ ଅତୀତର ପ୍ରଦର୍ଶନ ଦଳକୁ ଫାଇଦାରେ ରଖିବ। ସିକେ ନାୟୁଡୁ ଟ୍ରଫିରେ ଶୁଭ୍ରାଂଶୁ ଶତକ ଅର୍ଜନ କରି ରଣଜୀ ଟ୍ରଫି ପାଇଁ ତାଙ୍କର ପ୍ରସ୍ତୁତି ସମ୍ପର୍କରେ ଆଭାସ ଦେଇସାରିଛନ୍ତି। ଗୋଟିଏ ଋତୁ ପରେ ଦଳକୁ ଫେରିଥିବା ନଟରାଜ ବେହେରାଙ୍କ ସହ ସନ୍ଦୀପ ପଟ୍ଟନାୟକଙ୍କୁ ପୁଣି ଥରେ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିପାରେ। ମଧ୍ୟକ୍ରମରେ ଅଧିନାୟକ ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ, ସୌରଭ ରାଓ୍ଵତ, ଶୁଭ୍ରାଂଶୁ ସେନାପତି ଖେଳିବା ଏକପ୍ରକାର ନିଶ୍ଚିତ।
ଆନ୍ଧ୍ରପ୍ରଦେଶର ତିନିଜଣ ବ୍ୟାଟ୍ସମ୍ୟାନ ବୋଦାପତି ସୁମନ୍ତ, ରିକି ଭୁଇ ଓ ହନୁମା ବିହାରୀ ତିନୋଟି ଲେଖାଏଁ ଶତକ ହାସଲ କରିସାରିଛନ୍ତି। ଏମାନଙ୍କ ବ୍ୟତୀତ ଶ୍ରୀକର ଭରତ, ଅଶ୍ୱିନ ହେବର ମଧ୍ୟ ଦଳକୁ ୩ ପଏଣ୍ଟ ଲେଖାଏଁ ଆଣିବାରେ ପ୍ରମୁଖ ଭୂମିକା ନେଇଥିଲେ। ଘରୋଇ ଦଳର ବୋଲିଂ କ୍ରମକୁ ନେଇ କିଛି ଆକଳନ କରିବା ଅସମ୍ଭବ। ବାନ୍ଦାରୁ ଆୟାପ୍ପା ବରୋଦା ବିପକ୍ଷରେ ୪ ଓ୍ଵିକେଟ ନେଇଥିଲେ। ବାମହାତୀ ସ୍ପିନର ଭାର୍ଗବ ଭଟ୍ଟ ତାମିଲନାଡ଼ୁ ବିପକ୍ଷରେ ପ୍ରଥମ ପାଳିରେ ୪ ଓ୍ଵିକେଟ ନେଇଥିଲାବେଳେ ଦୁଇ ମ୍ୟାଚରେ ସ୍ଥିର ପ୍ରଦର୍ଶନ ଦେଇଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ମୋଟ ୯ ଓ୍ଵିକେଟ ଓ ବାନ୍ଦାରୁ ୮ ଓ୍ଵିକେଟ ନେଇସାରିଲେଣି। ଅନ୍ୟପକ୍ଷରେ ଦଳର ଆନ୍ତର୍ଜାତିକ ଖେଳାଳି ଭେନୁଗୋପାଳ ରାଓ ଆଉ ମ୍ୟଚ ଖେଳିବାକୁ ମନାକରିଥିବାରୁ ତାଙ୍କ ସ୍ଥାନରେ ଜ୍ୟୋତି ସାଇ କ୍ରୀଷ୍ଣା ଦଳରେ ସାମିଲ ହୋଇଛନ୍ତି। ଘରୋଇ ପଡ଼ିଆ ବ୍ୟାଟିଂ ପାଇଁ ଉପଯୋଗୀ ବୋଲି କୁହାଯାଉଥିବାରୁ ଦଳ ଅତିରିକ୍ତ ବ୍ୟାଟ୍ସମ୍ୟାନ ନେଇ ଖେଳିପାରେ।
ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ନଟରାଜ ବେହେରା, ଶାନ୍ତନୁ ମିଶ୍ର, ଅବିନାଶ ଶାହା, ଶୁଭ୍ରାଂଶୁ ସେନାପତି, ବିପ୍ଳବ ସାମନ୍ତରାୟ, ସୌରଭ ରାଓ୍ଵତ, ଧୀରାଜ ସିଂହ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ସାହୁ, ଆଲୋକ ମଙ୍ଗରାଜ, ଦୀପକ ବେହେରା, ଶୁଭମ୍‌ ନାୟକ।
ଆନ୍ଧ୍ରପ୍ରଦେଶ ଦଳ: ହନୁମା ବିହାରୀ (ଅଧିନାୟକ), ଶ୍ରୀକର ଭରତ, ଅଶ୍ୱିନ ହେବର, ବାନ୍ଦାରୁ ଆୟାପ୍ପା, ଭାର୍ଗବ ଭଟ୍ଟ, ରିକି ଭୁଇ, ଉପାରା ଗିରିନାଥ, କାର୍ତ୍ତିକ ରମଣ, ମନ୍ୟାଲା ପ୍ରଣୀଥ, ଏନ୍‌ ଜ୍ୟୋତି ସାଇକ୍ରିଷ୍ଣା, ପ୍ରଶାନ୍ତ କୁମାର, ପୃଥ୍ଵୀ ରାଜ, ଦ୍ୱାରକା ରବି ତେଜା, କେଭି ଶଶୀକାନ୍ତ, ସୋଏବ ମହମ୍ମଦ ଖାନ, ବୋଦାପତି ସୁମନ୍ତ, ପାଇଦିକାଲ୍‌ଭା ବିଜୟକୁମାର।

ସମ୍ବନ୍ଧିତ ଖବର