ଦଶନ୍ଧି ପରେ ରଣଜୀ ଫାଇନାଲ୍‌ରେ ଦିଲ୍ଲୀ

ପୁନେ: ଗୋଟିଏ ଦଶନ୍ଧି ପରେ ଦିଲ୍ଲୀ ଦଳ ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରିଛି। ପୂର୍ବରୁ ୧୪ ଥର ଫାଇନାଲ୍‌ରେ ପହଞ୍ଚିଥିବା ଦିଲ୍ଲୀ ୭ ଥର ଲେଖାଏଁ ବିଜେତା ଏବଂ ଉପବିଜେତା ହୋଇଥିଲା। ଶେଷଥର ଲାଗି ଦିଲ୍ଲୀ ୨୦୦୭-୦୮ ଋତୁ ଫାଇନାଲ୍‌ରେ ପହଞ୍ଚିବା ସହ ଉତ୍ତରପ୍ରଦେଶକୁ ୯ ଓ୍ଵିକେଟ୍‌ରେ ହରାଇ ଟ୍ରଫି କରାୟତ କରିଥିଲା। ଚଳିତ ବର୍ଷ ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ସଂଘ ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲ୍‌କୁ ଦିଲ୍ଲୀ ଦୁଇ ଦିନ ପୂର୍ବରୁ ଜିତିନେଇଛି। ଏହିମ ମ୍ୟାଚ୍‌ରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଦିଲ୍ଲୀ ଦଳ ବେଙ୍ଗଲକୁ ଗୋଟିଏ ପାଳି ଏବଂ ୨୬ ରନ୍‌ରେ ପରାସ୍ତ କରିଛି। ପ୍ରଥମ ପାଳିରେ ୨୮୬ ରନ୍‌ କରିଥିବା ମନୋଜ ତିଓ୍ଵାରୀଙ୍କ ବେଙ୍ଗଲ ଦ୍ୱିତୀୟ ପାଳିରେ ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରିକି ଦଳ ଦ୍ୱିତୀୟ ପାଳିରେ ମାତ୍ର ୨୪.୪ ଓଭର ତିଷ୍ଠି ୮୬ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ନବନୀତ ସାଇନି (୪/୨୫) ଓ କୁଲ୍‌ଓ୍ଵନ୍ତ ଖେଜ୍ରୋଲିୟା (୪/୪୦) ଘାତକ ବୋଲି କରି ବେଙ୍ଗଲ ଦ୍ୱିତୀୟ ପାଳି ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ। ମଙ୍ଗଳବାର ତୃତୀୟ ଦିବସରେ ୧୩ ଓ୍ଵିକେଟ୍‌ର ପତନ ଘଟିଥିଲା ବେଳେ ଦିଲ୍ଲୀ ସହଜ ବିଜୟ ସହ ଫାଇନାଲ୍‌ ପ୍ରବେଶ କରିଥିଲା। ପୂର୍ବରୁ ଅଧିନାୟକ ଗମ୍ଭୀରଙ୍କ ୧୨୭, କୁନାଲ ଚାନ୍ଦିଲାଙ୍କ ୧୧୩ ଓ ହିମତ ସିଂହଙ୍କ ୬୦ ରନ୍‌ ବଳରେ ୩୯୮ ରନ୍‌ କରିବା ସହିତ ୧୧୨ ରନ୍‌ରେ ଆଗୁଆ ହୋଇଯାଇଥିଲା। ବେଙ୍ଗଲ ପକ୍ଷରୁ ଆନ୍ତର୍ଜାତିକ ତାକର ମହମ୍ମଦ ସାମି ୬, ଅଶୋକ ଦିଣ୍ଡା ଓ ବୋଦୁପଲ୍ଲୀ ଅମିତ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ୧୧୨ ରନ୍‌ରେ ପଛୁଆ ଥିବା ବଙ୍ଗଲ ଦ୍ୱିତୀୟ ପାଳିରେ ୨୪.୪ ଓଭର ଖେଳି ମାତ୍ର ୮୬ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା।
ବିଦର୍ଭର ସଂଘର୍ଷ ଜାରି
କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ କର୍ଣ୍ଣାଟକ ବିପକ୍ଷରେ ପରାଜୟ ଏଡାଇବା ପାଇଁ ବିଦର୍ଭ ସଂଘର୍ଷ ଜାରି ରଖିଛି। ପ୍ରଥମ ପାଳିରେ ବିଦର୍ଭ ୧୮୫ ରନ୍‌ କରିବା ପରେ କର୍ଣ୍ଣାଟକ ୩୦୧ ରନ୍‌ କରିଥିଲା। ମଙ୍ଗଳବାର ୨୯୪/୮ରୁ ଖେଳଆରମ୍ଭ କରିଥିବା କର୍ଣ୍ଣାଟକ ଆଉ ମାତ୍ର ୭ ରନ୍‌ ଯୋଡ଼ି ଅବଶିଷ୍ଟ ଦୁଇଟି ଓ୍ଵିକେଟ୍‌ ହରାଇଥିଲା। ୧୪୮ ରନ୍‌ରେ ଅପରାଜିତ ଥିବା କରୁଣ ନାୟର (୧୫୩) ଦେଢ଼ସହ ରନ୍‌ ପୂର୍ଣ୍ଣ କରି ଆଉଟ ହେବାପରେ କର୍ଣ୍ଣାଟକର ପ୍ରଥମ ପାଳି ସମାପ୍ତ ହୋଇଥିଲା। ରଜନୀଶ ଗୁରବାଣୀ ୫ ଏବଂ ଉମେଶ ଯାଦବ ୪ ଓ୍ଵିକେଟ୍‌ ନେଇଥିଲେ। ତେବେ ୧୧୬ ରନ୍‌ ପଛରେ ରହିଥିବା ବିଦର୍ଭ ଦ୍ୱିତୀୟ ପାଳିରେ ତୃତୀୟ ଦିନ ସୁଦ୍ଧା ୧୯୫ ରନ୍‌ରେ ୪ ଓ୍ଵିକେଟ୍‌ ହରାଇଛି। ଏଥି ସହିତ ହାତରେ ୬ ଓ୍ଵିକେଟ୍‌ ଥାଇ ବିଦର୍ଭ ୭୯ ରନ୍‌ରେ ଆଗୁଆ ରହିଛି। ଗଣେଶ ସତୀଶ (୭୯) ଏବଂ ଅକ୍ଷୟ ଓ୍ଵାଦକର (୧୯) ସଂଘର୍ଷ ଜାରି ରଖିଥିଲା ବେଳେ ଅପୁରୂପ ଓ୍ଵାଙ୍ଖାଡେ ୪୯ ଏବଂ ଓ୍ଵାସିମ୍‌ ଜାଫର ୩୩ ପାଭିଲିୟନ୍‌ ଫେରି ଯାଇଛନ୍ତି। ଶ୍ରୀନାଥ ଅରବିନ୍ଦ ୨ ଏବଂ ବିନୟ କୁମାର ଓ ଷ୍ଟୁଆର୍ଟ ବିନ୍ନି ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର