ଓଡ଼ିଶା କ୍ରିକେଟ୍‌ରେ ପୁଣି ବୟସ ଜାଲିଆତି, ଧରାପଡ଼ି ବାସନ୍ଦ ହେଲେ ମହିଳା କ୍ରିକେଟର୍‌

କଟକ: ବୟସ ଜାଲିଆତି  ବିବାଦ ଓଡ଼ିଶା କ୍ରିକେଟ୍‌ ପିଛା ଛାଡୁନାହିଁ। ଆଗରୁ ପୁରୁଷ ଖେଳାଳିମାନେ ଧରାପଡ଼ି ବାସନ୍ଦ ହୋଇଥିଲା ବେଳେ ଏବେ ଜଣେ ମହିଳା ଖେଳାଳିଙ୍କ ଜାଲିଆତି ପଦାକୁ ଆସିଛି। ଏନେଇ ଓସିଏର ଦୃଷ୍ଟି ଆକର୍ଷଣ କରାଯିବା ପରେ ସ˚ପୃକ୍ତ ମହିଳା ଖେଳାଳିଙ୍କୁ ତୁରନ୍ତ ଟ୍ବେଣ୍ଟି-୨୦ ଶିବିରରୁ ବାସନ୍ଦ କରାଯାଇଛି। ଓସିଏ କର୍ତ୍ତୃପକ୍ଷଙ୍କ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ତାଙ୍କୁ ଓସିଏ ସ୍ବୀକୃତିପ୍ରାପ୍ତ ସମସ୍ତ ପ୍ରକାରର କ୍ରିକେଟ୍‌ରୁ ବାସନ୍ଦ କରାଯାଇଥିବା ସୂଚନା ଦିଆଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ସ˚ପୃକ୍ତ ମହିଳା କ୍ରିକେଟର ଜଣକ ରାଉରକେଲାର ମୂଳ ବାସିନ୍ଦା ହୋଇଥିଲା ବେଳେ ଯାଜପୁର ଜିଲ୍ଲା ତରଫରୁ ଅନ୍ତଃଜିଲ୍ଲା କ୍ରିକେଟ୍‌ ଖେଳି ଆସୁଥିଲେ। ମାଟ୍ରିକ ପ୍ରମାଣପତ୍ର, ଭୋଟର ପରିଚୟ ପତ୍ର ଓ ଆଧାରକାର୍ଡ କାଗଜପତ୍ରରେ ସେ ୧୯୯୪, ଜୁଲାଇ ୧୨ ତାରିଖରେ ଜନ୍ମ ହୋଇଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କିନ୍ତୁ ଗତବର୍ଷ ଓସିଏରେ ଦାଖଲ କରିଥିବା ସତ୍ୟପାଠରେ ୧୯୯୭, ସେପ୍ଟେମ୍ବର ୫ ତାରିଖ ବୋଲି ଦର୍ଶାଇଥିଲେ। ଏଥିପାଇଁ ସେ ଜାଲ୍‌ ପ୍ୟାନକାର୍ଡ ବାହାର କରିଥିଲା ବେଳେ, ବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ମଧ୍ୟ ଜାଲିଆତି କରାଯାଇଥିବା ‘ସମ୍ବାଦ’କୁ ମିଳିଥିବା ପ୍ରମାଣପତ୍ରରେ ଉଲ୍ଲେଖ ରହିଛି। ଖେଳାଳି ଜଣକ ଯାଜପୁର ଜିଲ୍ଲା ରଙ୍ଗାରଙ୍ଗ ସ୍ଥିତ ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାପୀଠରୁ ମାଟ୍ରିକ ପାସ୍‌ କରିଛନ୍ତି। କିନ୍ତୁ ଓସିଏକୁ ଦେଇଥିବା ଦସ୍ତାବିଜ୍‌ରେ ସେ ଯାଜପୁର ପାଲଡ଼ାର ବାଘୁଆଶୁଣି ଉଚ୍ଚ ବିଦ୍ୟାଳୟର ପ୍ୟାଡ୍‌ ଦେଇଛନ୍ତି। ସେହି ବିଦ୍ୟାଳୟରୁ ଆଣିଥିବା ପ୍ରମାଣପତ୍ରରେ ‌ତାଙ୍କ ଜନ୍ମା ୧୯୯୭ ମସିହା ସେପ୍ଟେମ୍ବର ୫ ତାରିଖ ଦର୍ଶାଇଛନ୍ତି। କେବଳ ଏତିକି ନୁହେଁ, ସେ ଦାଖଲ କରିଥିବା ଜନ୍ମ ପ୍ରମାଣପତ୍ରରେ ମଧ୍ୟ ଜାଲିଆତି କରିଛନ୍ତି। ରାଉରକେଲା ପୌରପାଳିକାରୁ ବାହାର କରାଯାଇଥିବା ଜନ୍ମ ପ୍ରମାଣପତ୍ରରେ ଜାଲିଆତି କରାଯାଇଥିବା ଦେଖାଯାଇଛି।

ଆଗାମୀ ଅନ୍ତଃରାଜ୍ୟ ପ୍ରତିଯୋଗିତା ଲାଗି ଗୁରୁବାରଠୁ କଟକରେ ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ସମ୍ଭାବ୍ୟ ଖେଳାଳିଙ୍କ ଅଭ୍ୟାସ ଶିବିର ପାଇଁ ଓସିଏ ଏକାଡେମିରେ ରିପୋର୍ଟି˚ ତାରିଖ ଥିଲା। ତେବେ ଜାଲିଆତି ସମ୍ପର୍କରେ ‘ସମ୍ବାଦ’  ପକ୍ଷରୁ ଓସିଏ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରାଯିବା ବେଳେ ତୁରନ୍ତ ସ˚ପୃକ୍ତ ଖେଳାଳିଙ୍କୁ ଡକାଯାଇ ଘଟଣାର ସତ୍ୟତା ଅନୁସନ୍ଧାନ କରାଯାଇଥିଲା। ଖେଳାଳି ଜଣଙ୍କ ମଧ୍ୟ ଜାଲିଆତି ଘଟଣାକୁ ସ୍ବୀକାର କରି ନେଇଥି‌େଲେ। ଫଳରେ ତାଙ୍କୁ ତୁରନ୍ତ ବାସନ୍ଦ କରିଦିଆଯାଇଛି। କର୍ତ୍ତୃପକ୍ଷ ପରବର୍ତ୍ତୀ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ତାଙ୍କୁ ବାସନ୍ଦ କରାଯାଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ସ˚ପୃକ୍ତ ମହିଳା କ୍ରିକେଟର ଜଣକ ୨୦୧୨-୧୩ ଋତୁରୁ ଓଡ଼ିଶା କନିଷ୍ଠ ମହିଳା ଦଳରେ ନିୟମିତ ଭାବେ ଖେଳିଆସୁଥିଲେ। ଜଣେ ଡାହାଣହାତୀ ବ୍ୟାଟର ହୋଇଥିଲା ବେଳେ ଦକ୍ଷ ଵିକେଟ୍‌ ରକ୍ଷକ ମଧ୍ୟ ଥିଲେ। ତେବେ ଜାଲିଆତି ଭଳି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ଖେଳ ଜୀବନ ଆଶଙ୍କା ଭିତରକୁ ଠେଲି ହୋଇଯାଇଛି।

ଏଣିକି ସମସ୍ତଙ୍କ ପ୍ରମାଣପତ୍ର ଟିକିନିଖି ଯାଞ୍ଚ ହେବ: ଧୀରେନ୍‌ ପଲେଇ

ଅଭିଯୁକ୍ତ ମହିଳା ଖେଳାଳିଙ୍କ ଜାଲିଆତି ଘଟଣା ଉପରେ ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ‘ସମ୍ବାଦ’କୁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ମହିଳା ଖେଳାଳିଙ୍କୁ ଶିବିରରୁ ବାଦ୍‌ ଦିଆଯାଇଛି। ଆଗକୁ ସମିତିର ବୈଠକ ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧୀରେନ୍‌ କହିଛନ୍ତି। ଖେଳାଳି ଜଣକ ସତ୍ୟପାଠ ଦାଖଲ କରିଥିବାରୁ ଏହାକୁ ଆଧାରକରି ତାଙ୍କୁ ଖେଳିବାକୁ ସୁଯୋଗ ଦିଆଯାଇଥିଲା। କିନ୍ତୁ ଜାଲିଆତି ଘଟଣା ଜଣାପଡ଼ିବା ପରେ ଆମେ ଏଥର ସବୁ ଖେଳାଳିଙ୍କ ପ୍ରତ୍ୟେକ ପ୍ରମାଣପତ୍ରକୁ ଟିକିନିଖି ଯାଞ୍ଚ କରିବୁ। ଓଡ଼ିଶା କ୍ରିକେଟ୍‌ ଦିନକୁ ଦିନ ସ୍ବଚ୍ଛ ହେଉଥିବା ବେଳେ ଯେଉଁମାନେ ଏଠାରେ ଜାଲିଆତି କରି ଖେଳିବାକୁ ଚାହୁଁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧୀରେନ୍‌ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର