ପୁଣି ତିନି ଦିନରେ ଶେଷ

ହାଇଦ୍ରାବାଦରେ ୧୦ ୱିକେଟ୍‌ରେ ହାରିଲା ଇଣ୍ଡିଜ୍

ହାଇଦ୍ରାବାଦ: ହାଇଦ୍ରାବାଦ ଟେଷ୍ଟକୁ ଭାରତ ତିନି ଦିନରେ ଜିତି ନେଇଛି। ତା’ ସହ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ପୋଛିଛି। ପ୍ରଥମ ଦୁଇ ଦିନରେ ଭାରତକୁ କିଛିଟା ଟକ୍କର ଦେଇଥିବା ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନରେ ନାଟକୀୟ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଭାରତ ୧୦ ୱିକେଟ୍‌ର ସହଜ ବିଜୟ ପାଇଥିଲା। ସେହିଭଳି ଘରୋଇ ପରିବେଶରେ ଲଗାତାର ଦଶମ ଶୃଙ୍ଖଳା ବିଜୟ ହାସଲ କରିଥିଲା। ରାଜକୋଟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟକୁ ମଧ୍ୟ ଭାରତ ସେହି ତିନି ଦିନ ଭିତରେ ଜିତି ନେଇଥିଲା। ରବିବାର ସକାଳେ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ (୮୦) ଏବଂ ଋଷବ ପନ୍ତ (୯୨)ଙ୍କୁ ଇଣ୍ଡିଜ୍ ଶତକ ମାରିବାର ସୁଯୋଗ ‌େଦଇ ନଥିଲା। ଭାରତକୁ ୩୬୭ ରନ୍‌‌େର ଅଲଆଉଟ୍ କରି ମାତ୍ର ୫୬ ରନ୍‌ର ଅଗ୍ରଣୀ ନେବାକୁ ଦେଇଥିଲା। ‌ହେଲେ ଆଶ୍ଚର୍ଯ୍ୟଜନକ ଭାବେ ନିଜେ ମାତ୍ର ୧୨୭ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ଭାରତ ସମ୍ମୁଖରେ ୭୨ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାହାକୁ ଭାରତ ପୃଥ୍ବୀ ସ’ (୩୩*) ଓ ଲୋକେଶ ରାହୁଲ (୩୩*)ଙ୍କ ଅବିଭାଜିତ ପ୍ରଥମ ୱିକେଟ୍ ଭାଗୀଦାରି ବଳରେ ବିନା କ୍ଷତିରେ ହାସଲ କରି ନେଇଥିଲା। ପ୍ୟାଟ୍ କମିନ୍ସ (୧୮ ବର୍ଷ ୧୯୮ ଦିନ, ୨୦୧୧, ଦକ୍ଷିଣ ଆଫ୍ରିକା ବିପକ୍ଷରେ)ଙ୍କ ପରେ ଦ୍ବିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ସ’ ଟେଷ୍ଟ କ୍ରିକେଟ୍‌ରେ ବିଜୟ ସୂଚକ ରନ୍ ସଂଗ୍ରହ କରିଥିଲେ।

ଭାରତ ୨-୦ରେ ଶୃଙ୍ଖଳା ପୋଛିଲା
ଉମେଶ ଯାଦବ ମ୍ୟାଚ୍, ପୃଥ୍ବୀ ସ’ ଶୃଙ୍ଖଳାର ଶ୍ରେଷ୍ଠ

ରବିବାର ତୃତୀୟ ଦିନ ଖେଳ ଆରମ୍ଭ ବେଳକୁ ମ୍ୟାଚ୍‌ର ମାତ୍ର ଦେଢ଼ ପାଳି ସରିଥିଲା। ଏହା ପରେ ଖେଳାଯାଇଥିବା ୭୧.୫ ଓଭର ଖେଳରେ କିନ୍ତୁ ୧୬ ୱିକେଟ୍‌ର ପତନ ଘଟିଥିଲା। ଇଣ୍ଡିଜ୍ ୫୯ ରନ୍ ଭିତରେ ଭାରତର ବଳକା ୬ ୱିକେଟ୍ କରାୟତ କରିଥିଲା। ଅନ୍ୟପକ୍ଷରେ ଭାରତୀୟ ବୋଲରଙ୍କ ଦ୍ବାରା କେବଳ ୪୬.୧ ଓଭର ଭିତରେ ଇଣ୍ଡିଜ୍‌ ଦଳ ଦ୍ବିତୀୟ ପାଳିର ସମସ୍ତ ୧୦ ୱିକେଟ୍ ହରାଇଥିଲା। ପ୍ରଥମ ‌େଟ‌ଷ୍ଟର ଦୟନୀୟ ବ୍ୟାଟିଂ ପରେ ଦ୍ବିତୀୟରେ ଇଣ୍ଡିଜ୍ ଏଥିରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଥିଲା। ରସ୍ତନ ଚେଜ୍‌ଙ୍କ ଚିତ୍ତାକର୍ଷକ ପ୍ରଥମ ପାଳି ଶତକ ବଳରେ ଭ୍ରମଣକାରୀ ଦଳ ଏହି ଆଶାକୁ କେତେକାଂଶରେ ପୂରଣ କରିଥିଲା। ଇଣ୍ଡିଜ୍‌ ପ୍ରଥମ ପାଳିରେ ୩୧୧ ରନ୍ କରି ଭାରତୀୟ ବୋଲରଙ୍କୁ ପ୍ରତିଟି ୱିକେଟ୍‌ ପାଇଁ ପରିଶ୍ରମ କରିବାକୁ ବାଧ୍ୟ କରିଥିଲା। ଦ୍ବିତୀୟ ପାଳିରେ କିନ୍ତୁ ବିନା ଲଢ଼େଇରେ ଆତ୍ମସମର୍ପଣ କରିଥିଲା। ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ (୧୦/୧୩୩) ପ୍ରଥମ ୧୦ ୱିକେଟ୍ ସଫଳତା ସହ ଇଣ୍ଡିଜ୍‌ର ଏହି ନାଟକୀୟ ବିପର୍ଯ୍ୟୟର ନେତୃତ୍ବ ନେଇଥିଲେ। ଶୃଙ୍ଖଳା ସାରା କିନ୍ତୁ ପଦାର୍ପଣକାରୀ ପୃଥ୍ବୀ ସ’ ଚର୍ଚାରେ ରହିଥିଲେ। ସେଥିପାଇଁ ଉମେଶ ମ୍ୟାଚ୍ ଏବଂ ସ’ ଶୃଙ୍ଖଳାର ‌େଶ୍ରଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାରେ ପଦାର୍ପଣ କରି ‘ଶୃଙ୍ଖଳାର ଶ୍ରେଷ୍ଠ’ ଖେଳାଳି ପୁରସ୍କାର ଲାଭ କରିବାରେ ରବିଚନ୍ଦ୍ରନ୍‌ ଅଶ୍ବିନ (୨୦୧୧) ଓ ରୋହିତ ଶର୍ମା (୨୦୧୩)ଙ୍କ ପରେ ସ’ ତୃତୀୟ ଭାରତୀୟ ହୋଇଥିଲେ। ସେହିଭଳି ଭାରତ ଘରୋଇ ପରିବେଶରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ୧୦ ୱିକେଟ୍ ବିଜୟ ପାଇଥିଲା। ତିନି ଦିନ ଭିତରେ ଖେଳ ଖତମ ହୋଇଯିବାର ଆଶା ଆମର ନଥିଲା ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ମ୍ୟାଚ୍ ପରେ କହିଥିଲେ। ଅନ୍ୟପକ୍ଷରେ ଦ୍ବିତୀୟ ପାଳିର ଦୁର୍ବଳ ବ୍ୟାଟିଂ ନେଇ ଇଣ୍ଡିଜ୍ ଅଧିନାୟକ ଜାସନ ହୋଲ୍ଡର ହତାଶା ଜାହିର କରିଥିଲେ।

ଉମେଶଙ୍କୁ ପ୍ରଥମ ୧୦ ୱିକେଟ୍
ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ହାଇଦ୍ରା‌ବାଦ ଟେଷ୍ଟରେ ଚିତ୍ତାକର୍ଷକ ପ୍ରଦର୍ଶନ କରିଛନ୍ତି। ପ୍ରଥମ ପାଳିରେ ୮୮ ରନ୍ ଦେଇ ୬ ୱିକେଟ୍ ନେଇଥିବା ଉମେଶ ଦ୍ବିତୀୟ ପାଳିରେ ୪୫ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଛନ୍ତି। ଫଳରେ ପୂରା ଟେଷ୍ଟରେ ମୋଟ ୧୦ ୱିକେଟ୍ କରାୟତ କରିଛନ୍ତି। ଏଭଳି ସଫଳତା ଉମେଶ ପ୍ରଥମ ଥର ପାଇଛନ୍ତି। ସେହିଭଳି ପ୍ରଥମ ପାଳିରେ ପାଇଥିବା ୬/୮୮ର ଚିତ୍ର ଗୋଟିଏ ପାଳିରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଥିଲା। ୨୦୧୧ ମସିହାରେ ଦିଲ୍ଲୀଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିବା ଉମେଶ ୪୦ ଟେଷ୍ଟ ଖେଳି ୧୧୭ ୱିକେଟ୍ କରାୟତ କରିଛନ୍ତି। ସେ ମଧ୍ୟ ୭୩ ଦିନିକିଆରେ ୧୦୫ ୱିକେଟ୍ ନେଇଛନ୍ତି।

ରାହୁଲଙ୍କ କ୍ଲବ୍‌ରେ ଋଷବ
ମାତ୍ର ୨୧ ବର୍ଷ ବୟସରେ ଭାରତୀୟ ୱିକେଟ୍ ରକ୍ଷକ ଋଷବ ପନ୍ତ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ନିର୍ଭିକ ବ୍ୟାଟିଂରେ ସେ ବହୁ ପୂବର୍ତନ ଖେଳାଳିଙ୍କୁ ପ୍ରଭାବିତ କରିବାକୁ ସକ୍ଷମ ହୋଇଛନ୍ତି। ତେବେ ଲଗାତାର ଦୁଇଟି ପାଳିରେ ପନ୍ତ ମଧ୍ୟ ନର୍ଭସ ନାଇଣ୍ଟିର ଶିକାର ହୋଇଛନ୍ତି। ଏପରି କରିବାରେ ସେ ନିଜ ମାର୍ଗଦର୍ଶକ ରାହୁଲ ଦ୍ରାବିଡ଼ଙ୍କ ପରେ ଦ୍ବିତୀୟ ଭାରତୀୟ ଖେଳାଳି ହୋଇଛନ୍ତି। ୧୯୯୭ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଦ୍ରାବିଡ଼ ଲଗାତାର ଦୁଇଟି ପାଳିରେ ୯୨ ଓ ୯୩ ରନ୍ କରିଥିଲେ। ପନ୍ତ ରାଜକୋଟ ଟେଷ୍ଟରେ ୯୨ ରନ୍ କରିବା ପରେ ହାଇଦ୍ରାବାଦରେ ମଧ୍ୟ ସେହି ୯୨ ରନ୍ କରିଥିଲେ। ନଟିଂହାମରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିବା ପନ୍ତ ମୋଟ ୮ ପାଳିରେ ୩୪୬ ରନ୍ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଧଶତକ ଅଛି। ଏହା କରି ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପି ଯାଇଛନ୍ତି। ଧୋନି ତାଙ୍କ ପ୍ରଥମ ପାଞ୍ଚ ଟେଷ୍ଟରେ ୨୯୭ ରନ୍ କରିଥିଲେ।

ସମ୍ବନ୍ଧିତ ଖବର