ମିତାଲିଙ୍କୁ ପୁଣି ଅଣଦେଖା

ୱେଲିଂଟନ୍‌: ଦିନିକିଆ ଦଳର ଅଧିନାୟିକା ମିତାଲି ରାଜ୍‌ଙ୍କୁ ‌ଟ୍ବେଣ୍ଟି-୨୦ରେ ପୁଣି ଥରେ ଅଣଦେଖା କରାଯାଇଛି। ଗତବର୍ଷ ୱେଷ୍ଟଇଣ୍ଡିଜ୍‌ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଚୂଡାନ୍ତ ଏକାଦଶରୁ ମିତାଲିଙ୍କୁ ବାଦ୍‌ ଦିଆଯାଇଥିଲା। ସେହି ମ୍ୟାଚ୍‌ରେ ଇଂଲଣ୍ଡ ନିକଟରୁ ଭାରତ ହାରି ବିଶ୍ବକପ୍‌ ବିଜେତା ହେବାର ଆଶା ହରାଇଥିଲା। ସେତେବେଳେ ମିତାଲିଙ୍କୁ ବିଦା କରିବାକୁ ନେଇ ବିବାଦ ଉପୁଜିଥିଲା। ତାଙ୍କୁ ଦଳରୁ ବିଦା କରିବାରେ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର ଓ ସେତେବେଳର ପ୍ରଶିକ୍ଷକ ରମେଶ ପାୱାରଙ୍କ ହାତ ଥିଲା ବୋଲି ମିତାଲି ଅଭିଯୋଗ କରିଥିଲେ। ବହୁ ବାଦବିବାଦ ପରେ ପାୱାରଙ୍କୁ ପ୍ରଶିକ୍ଷକ ପଦରୁ ହଟାଇ ଦିଆଯାଇଥିଲା। ହେଲେ ଲଗାତାର ଦ୍ବିତୀୟ ମ୍ୟାଚ୍‌ ପାଇଁ ମିତାଲିଙ୍କୁ ଚୂଡାନ୍ତ ଏକାଦଶରେ ଖେଳିବାର ସୁଯୋଗ ଦିଆଗଲା ନାହିଁ। ବୁଧବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ତାଙ୍କ ବାଦ୍‌ ଦିଆଯାଇଥିଲା। ଆଉ ଭାରତ ମଧ୍ୟ ମ୍ୟାଚ୍‌ ହାରିଗଲା। ମିତାଲି ୧୫ ଜଣିଆ ଦଳରେ ସାମିଲ ହୋଇ ନ୍ୟୁଜିଲାଣ୍ଡ୍‌ ଆସିଥିଲେ। ହେଲେ ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ମିତାଲିଙ୍କୁ ଚୂଡାନ୍ତ ଏକାଦଶରୁ ବାହାରେ ରଖାଯାଇଥିଲା ବେଳେ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ ସଫେଇ ଦେଇଛନ୍ତି। ଫଳରେ ମିତାଲିଙ୍କ ଟ୍ବେଣ୍ଟି-୨୦ ଖେଳିବା ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ମିତାଲି ମଧ୍ୟ ଆଗାମୀ ଘରୋଇ ଶୃଙ୍ଖଳାରେ ଟ୍ବେଣ୍ଟି-୨୦ରୁ ଅବସର ନେଇଯିବେ ବୋଲି ମନସ୍ଥିର କରିସାରିଛନ୍ତି। ସେଥିପାଇଁ ତାଙ୍କୁ ନ୍ୟୁଜିଲାଣ୍ଡ୍‌ରେ ସୁଯୋଗ ମିଳିବ ବୋଲି ସେ ଭାବିଥିଲେ। ହେଲେ ବିଶ୍ବକପ୍‌ ବେଳର ବିବାଦୀୟ ଘଟଣାକୁ ନେଇ ହର୍‌ମନ୍‌ପ୍ରୀତ୍‌ ଏଠାରେ ମଧ୍ୟ ପ୍ରତିଶୋଧ ନେଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର