ପୁଣି କାରବୀୟ କମାଲ

୧୯୭୯ରେ ଅଷ୍ଟ୍ରେଲୀୟ ବ୍ୟବସାୟୀ କେରି ପ୍ୟାକରଙ୍କ ବିଦ୍ରୋହୀ ତଥା ବୈପ୍ଲବିକ ‘ବିଶ୍ୱ କ୍ରିକେଟ୍ ସିରିଜ’ର ଆୟୋଜନ ପରେ ପରେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା କ୍ରିକେଟ୍‌ ବିଶ୍ୱକପ୍‌ର ଦ୍ବିତୀୟ ସଂସ୍କରଣ। ମାତ୍ର ୧୦ ଦିନ ପୂର୍ବରୁ ଏହି ବିଶ୍ବକପ୍‌ର ଆୟୋଜନକୁ ନେଇ ଆଇସିସିର ସଦସ୍ୟ ରାଷ୍ଟ୍ରଙ୍କ ଭିତରେ ସହମତି ହୋଇଥିଲା। ଏଥିରେ ପ୍ରଥମ ବିଶ୍ବକପ୍ ଅପେକ୍ଷା ଅଧିକ ପ୍ରାୟୋଜକ ଯୋଡ଼ି ହୋଇଥିଲେ। କିନ୍ତୁ ଟ୍ରଫିର ନାମ ପୂର୍ବ ଭଳି ପ୍ରୁଡେନ୍ସିଆଲ୍ କପ୍ ଭାବେ ଅପରିବର୍ତିତ ରହିଥିଲା। ପ୍ରତିଯୋଗିତାର ଫର୍ମାଟ ମଧ୍ୟ ବଦଳି ନଥିଲା। ରାଉଣ୍ଡ ରବିନ ଓ ନକ୍‌ଆଉଟ୍ ପଦ୍ଧତିରେ ଖେଳା ଯାଇଥିବା ଏହି ବିଶ୍ବକପ୍‌ରେ ୮ ଦଳ ଅଂଶ ଗ୍ରହଣ କରିଥିଲେ। ଟେଷ୍ଟ ଖେଳୁଥିବା ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍ ସହ ଆଇସିସି ଟ୍ରଫିର ଫାଇନାଲରେ ପହଞ୍ଚି ଶ୍ରୀଲଙ୍କା ଓ କାନାଡା ଏହି ବିଶ୍ବକପ୍ ଖେଳିବାର ସୌଭାଗ୍ୟ ଲାଭ କରିଥିଲେ। ପ୍ରଥମ ବିଶ୍ବକପ୍ ଖେଳିଥିବା ପୂର୍ବ ଆଫ୍ରିକା ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ଫଳରେ ୧୯୭୯ ବିଶ୍ବକପ୍‌ ବିନା ଆଫ୍ରିକୀୟ ଦଳରେ ଆୟୋଜିତ ହୋଇଥିଲା।
୧୯୭୯ ମସିହା ଜୁନ୍ ୯ରୁ ୨୩ ତାରିଖ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌ର ଏହି ଦ୍ବିତୀୟ ସଂସ୍କରଣରେ ବି ୱେଷ୍ଟଇଣ୍ଡିଜ୍ ବିଜେତା ହୋଇଥିଲା। ନିଜ ଆଧିପତ୍ୟକୁ ବଜାୟ ରଖି ଲର୍ଡସ ଫାଇନାଲ୍‌ରେ ୯୨ ରନ୍‌ରେ ଇଂଲଣ୍ଡକୁ ହରାଇଥିଲା। ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ ଭିଭିଆନ୍ ରିଚାର୍ଡସ (୧୩୮*, ୧୫୭ ବଲ୍, ୧୧ ଚୌକା, ୩ ଛକା)ଙ୍କ ଶତକ ସହାୟତାରେ କ୍ଲାଇବ୍ ଲୟଡଙ୍କ ଦଳ ୬୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ପ୍ରାରମ୍ଭିକ ଯୋଡ଼ିରେ ୧୨୯ ରନ୍ ଉଠାଇବା ସତ୍ତ୍ବେ ୫୧ ଓଭରରେ ୧୯୪ ରନ୍‌ରେ ସମସ୍ତ ୱିକେଟ୍ ହରାଇ ବସିଥିଲା। ଜୋଏଲ୍ ଗାର୍ନର ୫ ୱିକେଟ୍ ନେଇଥିବା ବେଳେ ଅବଶିଷ୍ଟ ୫ ୱିକେଟ୍‌କୁ ହୋଲ୍ଡିଂ ଓ କ୍ରଫ୍ଟ ବାଣ୍ଟି ନେଇଥିଲେ। ରିଚାର୍ଡସ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଏହା ପୂର୍ବରୁ ସେମିଫାଇନାଲ୍‌ରେ ଇଂଲଣ୍ଡ ୯ ରନ୍‌ରେ ନ୍ୟୁଜିଲାଣ୍ଡ୍‌କୁ ଏବଂ ୱେଷ୍ଟଇଣ୍ଡିଜ୍ ୪୩ ରନ୍‌ରେ ପାକିସ୍ତାନକୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲା। ଏସ୍ ଭେଙ୍କଟରାଘବନଙ୍କ ନେତୃତ୍ବରେ ଭାଗ ନେଇଥିବା ଭାରତୀୟ ଦଳ ନିଜର ସମସ୍ତ ୩ ମ୍ୟାଚ୍ ହାରି ନୈରାଶ୍ୟଜନକ ଭାବେ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଭାରତ ଦୟନୀୟ ପ୍ରଦର୍ଶନ କରି ୱେଷ୍ଟ୍ଇଣ୍ଡିଜ୍‌ଠାରୁ ୯ ୱିକେଟ୍‌ରେ, ନ୍ୟୁଜିଲାଣ୍ଡ୍‌ଠାରୁ ୮ ୱିକେଟ୍‌ରେ ଏବଂ ଶ୍ରୀଲଙ୍କାଠାରୁ ୪୭ ରନ୍‌ରେ ହାରିଥିଲା। ୱେଷ୍ଟଇଣ୍ଡିଜର ଗର୍ଡନ ଗ୍ରିନିଜ୍ (୨୫୩) ସର୍ବାଧିକ ରନ୍ ଏବଂ ଇଂଲଣ୍ଡର ମାଇକ୍ ହେଣ୍ଡ୍ରିକ୍ (୧୦) ସର୍ବାଧିକ ୱିକେଟ୍ ଅକ୍ତିଆର କରିଥିଲେ।
ବିଶ୍ୱକପ୍ ସଂଖ୍ୟା
୧୯୮୭ ମସିହାରେ ଭାରତୀୟ ଦ୍ରୁତ ବୋଲର୍ ଚେତନ ଶର୍ମା ବିଶ୍ୱକପ୍‌ର ପ୍ରଥମ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ୍‌ର ୪୨ତମ ଓଭରରେ ଚେତନ ଶର୍ମା ତିନିଟି ବୋଲଡ୍ ଆଉଟ୍ ସହିତ ଏହି କୃତିତ୍ବର ଅଧିକାରୀ ହୋଇଥିଲେ। କେନ୍ ରଦର୍ଫୋର୍ଡ, ଇଆନ୍ ସ୍ମିଥ୍ ଏବଂ ଇଓ୍ୱିନ୍ ଚାଟ୍‌ଫିଲ୍ଡଙ୍କ ଷ୍ଟମ୍ପ୍ ଓପାଡ଼ି ସେ ନୂଆ ଇତିହାସ ରଚିଥିଲେ।

ସମ୍ବନ୍ଧିତ ଖବର