ପୁଣି କୁଲ୍‌ଦୀପ ଓ ରୋହିତ ଚମକ

ଇଂଲଣ୍ଡକୁ ୮ ଓ୍ଵିକେଟ୍‌ରେ ହରାଇଲା ଭାରତ

ନଟିଂହାମ୍‌: ପୁଣି ଥରେ କୁଲଦୀପ କମାଲ୍‌ (୬/୨୫) ଏବଂ ରୋହିତ ରଡ଼ି (୧୩୭*) ଭାରତକୁ ଦିନିକିଆ ଶୃଙ୍ଖଳାରେ ବି ବିଜୟରୁ ଅଭିଯାନ ଆରମ୍ଭ ସୁଯୋଗ ଦେଲା। ଗୁରୁବାର ୨୬୯ ରନ୍‌ ବିଜୟ ଲକ୍ଷ୍ୟକୁ ୫୯ ବଲ୍‌ ପୂର୍ବରୁ ହାସଲ କରିନେଇଥିଲା। ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଗଲା। ଭାରତ ପାଳିରେ ଶିଖର ଧାଓ୍ଵନ (୪୦, ୨୭ ବଲ୍‌, ୮ ଚୌକା)ଙ୍କ ବିସ୍ଫୋରକ ଆରମ୍ଭ ବେଶି ସମୟ ରହିନଥିଲା। ବିରାଟ କୋହଲି (୭୫, ୮୨ ବଲ୍‌, ୭ ଚୌକା) ମଧ୍ୟ ସୁଯୋଗ ହରାଇଥିଲେ। କିନ୍ତୁ ରୋହିତ ଶର୍ମାଙ୍କ ସହ ମିଶି ୨୫.୧ ଓଭରରେ ୧୬୭ ରନ୍‌ ଯୋଡ଼ି ସାରିଥିଲେ। ଏହା ପରେ ରୋହିତ ଶର୍ମା ନିଜର ୧୮ତମ ଦିନିକିଆ ଶତକକୁ ଏକ ଛକା ଜରିଆରେ ହାସଲ କରିଥିଲେ। ଆଦିଲ ରସିଦ୍‌ଙ୍କୁ ମୁଣ୍ଡ ଉପରେ ଛକା ମାରି ଚଳିତ ଇଂଲଣ୍ଡ ଗସ୍ତରେ ଲଗାତାର ଶତକ ହାସଲ କରିଥିଲେ। ରବିବାର ତୃତୀୟ ଟେ୍ଵଣ୍ଟି-୨୦ରେ ରୋହିତ ୫୬ ବଲ୍‌ରୁ ୧୦୦* ରନ୍‌ କରିଥିଲେ। ଗୁରୁବାର କିନ୍ତୁ ରୋହିତ ୮୨ ବଲ୍‌ରୁ ତିନି ଅଙ୍କ ଛୁଇଁଥିଲେ। ଶେଷକୁ ୧୧୪ ବଲ୍‌ ଖେଳି ୧୩୭* ରନ୍‌ରେ ଅପରାଜିତ ରହିଥିଲେ। ଯେଉଁଥିରେ ୧୫ ଚୌକା ଓ ୪ ଛକା ସାମିଲ ଥିଲା। ଗତ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୮୧ ରନ୍‌ କରି ଦିନିକିଆ କ୍ରିକେଟ୍‌ରେ ନୂଆ କୀର୍ତିମାନ କରିଥିବା ଇଂଲଣ୍ଡ ଦଳ ଗୁରୁବାର ସେହି ପଡ଼ିଆରେ ୨୬୮ ରନରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଟ୍ରେଣ୍ଟ୍‌ବ୍ରିଜ୍‌ ପଡ଼ିଆରେ ଗୁରୁବାର ବିରାଟ କୋହଲି ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ପ୍ରାରମ୍ଭିକ ଯୋଡ଼ି ଜାସନ୍‌ ରୟ ଏବଂ ଜନି ବେୟୋରଷ୍ଟୋ ପାଓ୍ଵାର ପ୍ଲେ ୧୦ ଓଭରରେ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ନ ଦେଇ ଧୂଲେଇ କରିଥିଲେ। ପାଓ୍ଵାର ପ୍ଲେ ଶେଷ ହୋଇଯିବା ଏବଂ କୁଲଦୀପ ଯାଦବଙ୍କ ଆଗମନ କିନ୍ତୁ ମ୍ୟାଚ୍‌ରେ ବଡ଼ ମୋଡ଼ ଆଣଥିଲା। ପ୍ରଥମ ଓଭରରୁ ହିଁ କୁଲଦୀପ ନିଜ ଓ୍ଵିକେଟ୍‌ ଦଖଲ ପର୍ବ ଆରମ୍ଭ କରିଥିଲେ। ଜାସନ୍‌ ରୟ (୩୮)ଙ୍କୁ ଦ୍ୱିତୀୟ ବଲ୍‌ରେ ସ୍ଲିପ୍‌ରୁ ଲେଗ୍‌ସ୍ଲିପ୍‌କୁ ଯାଇଥିବା ଉମେଶ ଯାଦବଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ପରବର୍ତୀ ଓଭରରେ ଜୋ ରୁଟ୍‌ (୩) ଏବଂ ଜନି ବେୟାରଷ୍ଟୋ (୩୮, ୩୫ ବଲ)ଙ୍କୁ ଲେଗ୍‌ ବିଫୋର କରାଇ ନେଇଥିଲେ। ବେୟାରଷ୍ଟୋଙ୍କ ଆଉଟ୍‌କୁ ଅମ୍ପାୟାର୍‌ ନାକଚ କରି ଦେଇଥିଲେ ମଧ୍ୟ ଭାରତକୁ ରିଭ୍ୟୁ ଜରିଆରେ ଓ୍ଵିକେଟ୍‌ଟି ମିଳିଥିଲା। ଦୃଢ଼ ମୂଳଦୁଆ ପକାଇଥିବା (୭୩/୦) ଇଂଲଣ୍ଡ ହଠାତ୍‌ ୮୨/୩ରେ ସଂଘର୍ଷ କରିଥିଲା। ଅଧିନାୟକ ଇଅନ୍‌ ମୋର୍ଗାନ୍‌ (୧୯)ଙ୍କୁ ୟୁଜବେନ୍ଦ୍ର ଚହଲ୍‌ ମିଡ୍‌ଓ୍ଵିକେଟ୍‌ରେ ସୁରେଶ ରାଇନାଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ଏହି ସମୟରେ ବେନ୍‌ ଷ୍ଟୋକ୍‌ସ ଏବଂ ଜୋସ୍‌ ବଟଲର୍‌ ୮୯ ରନର ଭାଗୀଦାରି କରିବା ଇଂଲଣ୍ଡକୁ ପୁଣି ଲେଉଟାଣୀ ସୁଯୋଗ ଦେଇଥିଲା। କୁଲଦୀପ୍‌ଙ୍କ ପ୍ରତ୍ୟାବର୍ତନ ପୁଣି ଇଂଲଣ୍ଡ ପାଳିର ଲୟ ବିଗାଡ଼ି ଦେଇଥିଲା। ବିପଜ୍ଜନକ ଜୋସ୍‌ ବଟଲର୍‌ (୫୨, ୫୧ ବଲ୍‌, ୫ ଚୌକା)ଙ୍କ ଓ୍ଵିକେଟ୍‌ ପରେ ଗୋଟିଏ ଓଭରରେ ବେନ୍‌ ଷ୍ଟୋକ୍‌ସ (୫୦, ୧୦୩ ବଲ୍‌, ୨ ଚୌକା) ଏବଂ ଡେଭିଡ୍‌ ଓ୍ଵିଲି (୧)ଙ୍କୁ ପ୍ୟାଭିଲିଅନ ରାସ୍ତା ଦେଖାଇଥିଲେ। ଶେଷକୁ ନିଜ ଖେଳ ଜୀବନର ପ୍ରଥମ ୫ ଓ୍ଵିକେଟ୍‌ ସହିତ ଶ୍ରେଷ୍ଠ ବୋଲିଂ ଚିତ୍ର (୧୦-୦-୨୫-୬) ପାଇଥିଲେ। କୁଲଦୀପ୍‌ ନିଜର ୩ ସ୍ପେଲ୍‌ରେ ଯଥାକ୍ରମେ (୪-୦-୯-୩), (୩-୦-୮-୦), (୩-୦-୮-୩) ନିୟନ୍ତ୍ରିତ ବୋଲିଂ କରି ଇଂଲିସ୍‌ ଖେଳାଳିଙ୍କୁ ଘାଇଲା କରି ଦେଇଥିଲେ। ଉମେଶ ଯାଦବ ସବୁଠୁ ବ୍ୟୟବହୁଳ (୯.୫-୦-୭୦-୨) ରହିଥିଲେ ମଧ୍ୟ ଶେଷ ସ୍ପେଲ୍‌ରେ ଦୁଇଟି ଓ୍ଵିକେଟ୍‌ ନେଇଥିଲେ। କୁଲଦୀପ୍‌ କିନ୍ତୁ ତାଙ୍କ ୧୦ ଓଭର ଭିତରେ ଗୋଟିଏ ବି ବାଉଣ୍ଡରି ନ ଦେବା ଆଉ ଏକ ବିରଳ କୀର୍ତିମାନକୁ ତାଙ୍କ ନାମରେ ଲେଖିଥିଲେ। ସେହିଭଳି ଚଳିତ ଗସ୍ତରେ ପ୍ରଥମ ଟେ୍ଵଣ୍ଟି-୨୦ରେ ମଧ୍ୟ କୁଲଦୀପ ନିଜର ଶ୍ରେଷ୍ଠ ବୋଲିଂ ଚିତ୍ର (୫/୨୪) ପାଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ତାଙ୍କୁ ମିଳିଥିଲା। ଫଳରେ ଇଂଲଣ୍ଡ ଗସ୍ତ କୁଲଦୀପଙ୍କ ପାଇଁ ସ୍ମରଣୀୟ ରହିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଅନ୍ୟପକ୍ଷରେ ପଦାର୍ପଣରେ ସିଦ୍ଧାର୍ଥ କଉଲ୍‌ (୦/୬୨) ଓ୍ଵିକେଟ୍‌ ଶୂନ୍ୟ ରହିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ୪୯.୫ ଓଭରରେ ୨୬୮ (ଜୋସ୍‌ ବଟଲର୍‌-୫୩, ବେନ୍‌ ଷ୍ଟୋକ୍‌ସ-୫୦, ଜାସନ୍‌ ରୟ-୩୮, ଜନି ବେୟାରାଷ୍ଟୋ-୩୮, ମୋଇନ୍‌ ଅଲୀ-୨୪,ଆଦିଲ୍‌ ରସିଦ୍‌-୨୨, କୁଲଦୀପ୍‌ ଯାଦବ-୬/୨୫, କୁଲଦୀପ ଯାଦବ-୬/୨୫, ଉମେଶ ଯାଦବ-୨/୭୦, ୟୁଜବେନ୍ଦ୍ର ଚହଲ୍‌-୧/୫୧)। ଭାରତ ୪୦.୧ ଓଭରରେ ୨୬୯/୨ (ରୋହିତ ଶର୍ମା-୧୩୭*, ବିରାଟ କୋହଲି-୭୫, ଶିଖର ଧାଓ୍ଵନ-୪୦, ଲୋକେଶ ରାହୁଲ୍‌-୯*, ମୋଇନ୍‌ ଅଲୀ-୧/୬୦, ଆଦିଲ୍‌ ରସିିଦ୍‌-୧/୬୨)।

ସମ୍ବନ୍ଧିତ ଖବର