ପୁଣି ଜାତୀୟ କୀର୍ତ୍ତି, ଦୂତି ପଦକରୁ ବଞ୍ଚିତ

ତେଜିନ୍ଦର, ଗୋମତି ଦେଲେ ସ୍ବର୍ଣ୍ଣ

ଭୁବନେଶ୍ବର: କାତାରର ଦୋହାରେ ଚାଲିଥିବା ୨୩ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ୧୦୦ ମିଟରରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ଦୁଇ ଦିନରେ ଦୁଇଟି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ହେଲେ ଫାଇନାଲରେ ଝୁଣ୍ଟି ପଦକରୁ ବଞ୍ଚିତ ହୋଇଛନ୍ତି। ପ୍ରଥମ ରାଉଣ୍ଡ ବା ହିଟ୍‌ରେ ଦ୍ରୁତତମ ଏବଂ ସେମିଫାଇନାଲରେ ନିଜ ଗ୍ରୁପ୍‌ର ପ୍ରଥମ ସ୍ଥାନରେ ରହି ଫାଇନାଲ୍ ଯାଇଥିବା ଦୂତି ସେଠାରେ ଆଶାଜନକ ଟାଇମିଂ ପାଇ ନପାରି ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ଫଳରେ ଏସୀୟ ଦୌଡ଼କୁଦରେ ଲଗାତାର ପଦକ ଜିତିବାର ସୁଯୋଗ ହାତଛଡ଼ା କରିଛନ୍ତି। ଭୁବନେଶ୍ବରରେ ଗତବର୍ଷ ଆୟୋଜିତ ଏସୀୟ ଦୌଡ଼କୁଦର ୨୨ତମ ସଂସ୍କରଣରେ ଦୂତି ଏହି ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ। ଦୂତି ରବିବାର ହିଟ୍‌ରେ ୧୧.୨୮ ସେକେଣ୍ଡ ସମୟ ନେଇ ଗୌହାଟୀରେ ଗତବର୍ଷ ସ୍ଥାପନ କରିଥିବା ନିଜ କୀର୍ତ୍ତିମାନ (୧୧.୨୯ ‌ସେକେଣ୍ଡ, ଅନ୍ତରାଜ୍ୟ ବରିଷ୍ଠ ଦୌଡ଼କୁଦ )କୁ ଭାଙ୍ଗିଥିଲେ। ସେହିଭଳି ସେମିଫାଇନାଲରେ ୧୧.୨୬ ସେକେଣ୍ଡ ସମୟ ପୁଣି ଥରେ ଏହାକୁ ଟପିଥିଲେ। ଫାଇନାଲରେ କିନ୍ତୁ ଏହି ପ୍ରଦର୍ଶନକୁ ଦୋହରାଇ ପାରି ନଥିଲେ। ୧୧.୪୪ ସେକେଣ୍ଡ ସମୟ ନେଇ ପଦକ ଅର୍ଜନ କରି ପାରି ନଥିଲେ। କାଜାଖସ୍ତାନର ଓଲଗା ସାଫ୍ରାନୋଭା (୧୧.୧୭) ପ୍ରଥମ ଏବଂ ଚୀନର ଲିଆଙ୍ଗ ଜିଆଜିଙ୍ଗ (୧୧.୨୮) ଓ ୱେଇ ୟଙ୍ଗଲି (୧୧.୩୭) ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଜିତିଥିଲେ। ସାତଟି ଖେଳକୁ ନେଇ ଆୟୋଜିତ ହେଉଥିବା ମହିଳା ହେପ୍ଟାଥଲନରେ ଅଂଶଗ୍ରହଣ କରୁଥିବା ଅନ୍ୟତମ ଓଡ଼ିଆ ତାରକା ପୂର୍ଣ୍ଣିମା ହେମ୍ବ୍ରମ କିନ୍ତୁ ପଦକ ଜିତିବା ଦିଗରେ ଅଗ୍ରସର ହୋଇଛନ୍ତି। ୧୧୦ ମିଟର ବାଧାଦୌଡ଼ରେ ତୃତୀୟ ଓ ଉଚ୍ଚଡିଆଁରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଚଳିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ମହିଳା ୮୦୦ ମିଟରରୁ ମିଳିଥିଲା। ୩୦ ବର୍ଷୀୟା ଗୋମତି ମାରିମୁଥୁ (୨:୨.୭୦) ଭାରତୀୟ ଦଳକୁ ଏହି ସ୍ବର୍ଣ୍ଣିମ ଉପହାର ଦେଇଥିଲେ। ଏହାମଧ୍ୟ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ସେହିଭଳି ପୁରୁଷ ସିଟପୁଟରେ ତେଜିନ୍ଦର ପାଲ ସିଂହ ତୁର୍‌ (୨୦.୨୨ ମିଟର) ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ ଦେଇଥିଲେ। ପୁରୁଷ ୮୦୦ ମିଟରରେ କିନ୍ତୁ ମହମ୍ମଦ ଆନସ ନୈରାଶ୍ୟଜନକ ଭାବେ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଥି‌େଲ। ଅନ୍ୟପକ୍ଷରେ ଜିନସନ ଜନସନ ଦୌଡ଼ ଶେଷ କରି ପାରି ନଥିଲେ। ପୁରୁଷ ୪୦୦ ମିଟରରେ ଆରୋକିଆ ରାଜୀବ (୪୫.୩୭ ସେକେଣ୍ଡ) ଅଳ୍ପକେ ପଦକରୁ ବଞ୍ଚିତ ‌ହୋଇଛନ୍ତି। ସେ ଚତୁର୍ଥ ସ୍ଥାନରେ ରହିଥିଲେ। ଆନସ (୪୬.୧୦ ସେକେଣ୍ଡ) ଏହି ବର୍ଗରେ ମଧ୍ୟ ଦୁବର୍ଳ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନ ଅଧିକାର କରିଥିଲେ। ୪୦୦ ମିଟର ବାଧାଦୌଡ଼ରେ ପୁରୁଷ ଓ ମହିଳାରେ ଭାରତ ଦୁଇଟି କାଂସ୍ୟ ଜିତିଥିଲା। ପୁରୁଷରେ ଏମପି ଜବୀର (୪୯.୧୩) ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦଶର୍ନ ସହ ଭାରତକୁ କାଂସ୍ୟ ପଦକ ଦେଇଥିଲେ। ସେହିଭଳି ମହିଳାରେ ସରିତାବେନ୍ ଗାଏକ୍ବାଡ୍ (୫୭.୨୨) ଆଉ ଏକ କାଂସ୍ୟ ଜିତିଥିଲେ। ଅନ୍ୟତମ ଭାରତୀୟ ଏମ ଅର୍ପିତା (୫୮.୧୫) ଷଷ୍ଠ ସ୍ଥାନରେ ରହିଥିଲେ। ଜାଭେଲିନରେ ଶିବପାଲ ସିଂହ (୮୬.୨୩ ମିଟର) ମଧ୍ୟ ରୁପେଲି ସଫଳତା ଲାଭ କରିଥିଲେ। ସେ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ଦୁଇଟି ରୌପ୍ୟ ପଦକ ସହ ମୋଟ ପାଞ୍ଚଟି ପଦକ ଜିତିଥିଲା। ମହିଳା ଜାଭେଲିନରେ ଅନୁରାଣୀ ରୌପ୍ୟ ପଦକ ଜିତିଥିଲା ବେଳେ ମହିଳା ୫,୦୦୦ ମିଟରରେ ପାରୁଲ ଚୌଧୁରୀ କାଂସ୍ୟ ପଦକ ହାସଲ କରିଥିଲେ। ପୁରୁଷ ଷ୍ଟିପଲଚେଜରେ ଗଭିତ ମୁରଲୀ କୁମାର ମଧ୍ୟ କାଂସ୍ୟ ପଦକ ପାଇଥିଲେ। ମହିଳା ୪୦୦ ମିଟରରେ ଏମଆର ପୁଭାମ୍ମା ମଧ୍ୟ ଆଉ ଏକ କାଂସ୍ୟ ପଦକ ଉପହାର ଦେଇଥିଲେ। ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜରେ ଅଭିନାଶ ସାବଲେ ଭାରତ ପାଇଁ ପାଇଁ ଦ୍ବିତୀୟ ଦିନର ଦ୍ବିତୀୟ ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର