ଭାରତରେ ଆଉ ଏକ ହକି ବିଶ୍ବକପ୍‌, ୨୦୨୧ରେ କନିଷ୍ଠ ବିଶ୍ବକପ୍‌ ସଂସ୍କରଣରେ ଖେଳିବେ ୧୬ ଦେଶ

ଲୌସାନ୍‌: ଭାରତରେ ପୁଣି ଏକ ହକି ବିଶ୍ବକପ୍‌ ଆୟୋଜିତ ହେବ। ଆସନ୍ତା ବର୍ଷ (୨୦୨୧) ଭାରତ ଏଫଆଇଏଚ୍‌ କନିଷ୍ଠ ବିଶ୍ବକପ୍‌ ଆୟୋଜନ କରିବ ବୋଲି‌ ସୋମବାର ଅନ୍ତର୍ଜାତୀୟ ହକି ସଂଘ ଘୋଷଣା କରିଛି। ପୂର୍ବରୁ ଏହି ମର୍ଯ୍ୟଦାଜନକ ପ୍ରତିଯୋଗିତା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ୨୦୧୬ ମସିହାରେ ଆୟୋଜିତ ହୋଇଥିଲା। ଭାରତ ମଧ୍ୟ ସେହି ସଂସ୍କରଣରେ ବିଜେତା ହୋଇ ଦ୍ବିତୀୟ ଥର ପାଇଁ ଏହ‌ି ଗୌରବ ଅର୍ଜନ କରିଥିଲା। ଫାଇନାଲରେ ଭାରତ ୨-୧ରେ ବେଲଜିୟମ୍‌କୁ ପରାସ୍ତ କରିଥିଲା। ୨୦୨୧ ସଂସ୍କରଣ ପାଇଁ କିନ୍ତୁ ସ୍ଥାନ ଏବଂ ତାରିଖ ଧାର୍ଯ୍ୟ ହୋଇନାହିଁ।୨୦୨୧ କନିଷ୍ଠ ବିଶ୍ବକପ୍‌ରେ ମୋଟ ୧୬ ଦେଶ ଭାଗ ନେବେ। ୟୁରୋପରୁ ୬, ଏସିଆରୁ ଆୟୋଜକ ଭାରତ ସହିତ ୪, ଆଫ୍ରିକା, ଓସେନିଆ ଓ ପାନ ଆମେରିକାରୁ ୨ ଲେଖାଏଁ ଦେଶ ଆସିବେ। ୟୁରୋପରୁ ସମସ୍ତ ୬ ଦଳ ଜର୍ମାନି, ଇଂଲଣ୍ଡ, ନେଦରଲାଣ୍ଡ୍‌ସ, ସ୍ପେନ୍‌, ବେଲଜିୟମ୍‌ ଏବଂ ଫ୍ରାନ୍ସ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଏମାନେ ୨୦୧୯ ମସିହାର ୟୁରୋପୀୟ କଣ୍ଟିନେଣ୍ଟାଲ୍‌ରୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତ ମଧ୍ୟ ବରିଷ୍ଠ ବର୍ଗର ପୁରୁଷ ହକି ବିଶ୍ବକପ୍‌କୁ ଚତୁର୍ଥ ଥର ପାଇଁ ଆୟୋଜନ କରିବାକୁ ଯାଉଛି। ୨୦୧୮ ପରେ ୨୦୨୩ରେ ଓଡ଼ିଶାରେ ଦ୍ବିତୀୟ ଥର ଏହା ଖେଳାଯିବ। ପୂର୍ବରୁ ୧୯୮୨ (ବମ୍ବେ) ଏବଂ ୨୦୧୦ (ନୂଆଦିଲ୍ଲୀ)ରେ ମଧ୍ୟ ଏଫଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ଭାରତରେ ଖେଳା‌ଯାଇଥିଲା। ୨୦୨୧ କନିଷ୍ଠ ବିଶ୍ବକପ୍‌ ମଧ୍ୟ ଭୁବନେଶ୍ବରରେ ଖେଳାଯିବା ସମ୍ଭାବନା ରହିଛି। ୨୦୨୩ ବରିଷ୍ଠ ବର୍ଗ ବିଶ୍ବକପ୍‌ ପୂର୍ବରୁ ଏହା ଓଡ଼ିଶାକୁ ପରଖିନେବାକୁ ଭଲ ସ‌ୁଯୋଗ ଦେବ।

ସମ୍ବନ୍ଧିତ ଖବର