ଆଡିଲେଡ୍: ଆଡିଲେଡ୍ ଟେଷ୍ଟ୍ରେ ଭାରତ ଭଲ ସ୍ଥିତିରେ ରହିଛି। ଉଭୟ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କ ମିଳିତ ପ୍ରୟାସ ପାଇଁ ମ୍ୟାଚ୍ର ମୋଡ଼ ଧିରେ ଧିରେ ଭାରତ ଆଡ଼କୁ ଢଳିବା ଆରମ୍ଭ କରିଛି। ଅଷ୍ଟ୍ରେଲିଆକୁ ପ୍ରଥମ ପାଳିରେ ୨୩୫ ରନ୍ରେ ଅଟକାଇବା ପରେ ଅସମାପ୍ତ ଦ୍ବିତୀୟ ପାଳିରେ ୩ ୱିକେଟ୍ ବିନିମୟରେ ୧୫୧ ରନ୍ କରି ଭାରତ ମଜବୁତ ସ୍ଥିତିରେ ରହିଛି। ପ୍ରଥମ ଭଳି ଦ୍ବିତୀୟ ପାଳିରେ ମଧ୍ୟ ଚେତେଶ୍ବର ପୂଜାରା ଭାରତୀୟ ବ୍ୟାଟିଂର ମଙ୍ଗ ସମ୍ଭାଳିଛନ୍ତି। ଶନିବାର ଖେଳ ବନ୍ଦ ବେଳକୁ ପୂଜାରା ୪୦ ଏବଂ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ୧ ରନ୍ରେ ଅପରାଜିତ ରହିଛନ୍ତି। ରହୁଲ ୪୪, ବିଜୟ ୧୮ ଓ କୋହଲି ୩୪ ରନ୍ କରି ଆଉଟ୍ ହୋଇଛନ୍ତି। ଶନିବାର ସକାଳେ ଭାରତୀୟ ବୋଲର ୪୪ ରନ୍ରେ ଅଷ୍ଟ୍ରେଲିଆର ବଳକା ୩ ୱିକେଟ୍ ନେଇ ୧୫ ରନ୍ର ଛୋଟିଆ ଅଗ୍ରଣୀ ଅର୍ଜନ କରିଥିଲେ। ଏହା ପରେ ପ୍ରାରମ୍ଭିକ ଯୋଡ଼ି ମୁରଲୀ ବିଜୟ (୧୮) ଓ ଲୋକେଶ ରାହୁଲ (୪୪) ଏବଂ ଚେତେଶ୍ବର ପୂଜାରା ଲଢ଼ୁଆ ବ୍ୟାଟିଂ କରି ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇ ଦେଇଥିଲା। ଅଧିନାୟକ ବିରାଟ କୋହଲି ଅସୀମ ଏକାଗ୍ରତାର ପରିଚୟ ଦେଇ ଲଢ଼ୁଆ ୩୪ ରନ୍ କରିଥିଲେ। ସେପଟେ ରାହୁଲ-ବିଜୟ ବିଦେଶ ମାଟିରେ ପ୍ରଥମ ଥର ପାଇଁ ଅର୍ଧଶତକୀୟ ଭାଗୀଦାରି କରିଥିଲେ। କୋହଲି-ପୂଜାରା ଯୋଡ଼ିଥିବା ୭୧ ରନ୍ କିନ୍ତୁ ଭାରତ ପାଇଁ ବହୁମୂଲ୍ୟ ଥିଲା। ଖେଳ ଶେଷ ହେବାର ମାତ୍ର ୩.୫ ଓଭର ପୂର୍ବରୁ କୋହଲିଙ୍କ ୱିକେଟ୍ ନେଇ ଅଷ୍ଟ୍ରେଲିଆ ଆଶ୍ବସ୍ତ ହୋଇଥିଲା। ତେବେ ସେତେବେଳକୁ ଭାରତ ୧୬୬ ରନ୍ରେ ଆଗୁଆ ହୋଇ ସାରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୪୫ ମିନିଟ୍ ବିଳମ୍ବରେ ଆରମ୍ଭ
ପ୍ରଥମ ଦୁଇ ଦିନର ରୋମାଞ୍ଚ ପରେ ତୃତୀୟ ଦିନର ଖେଳକୁ କ୍ରିକେଟ୍ ପ୍ରେମୀ ଚାତକ ଭଳି ଚାହିଁ ବସିଥିଲେ। ହେଲେ ବର୍ଷା ଏଥିରେ ବ୍ୟାଘାତ ସୃଷ୍ଟି କରିଥିଲା। ଅଦିନିଆ ବର୍ଷା ପାଇଁ ଖେଳ ଶନିବାର ସକାଳେ ୪୫ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଖେଳ ଆରମ୍ଭ ହେବାର ୩.୩ ଓଭର ପରେ ଯଶ୍ପ୍ରୀତ ବୁମରା ଟେଲ୍ଏଣ୍ଡର ମିଚେଲ ଷ୍ଟାର୍କ (୧୫)ଙ୍କୁ ପନ୍ତଙ୍କ ହାତାରେ କ୍ୟାଚ୍ କରାଇ ଅଷ୍ଟ୍ରେଲିଆର ପ୍ରଥମ କ୍ଷତି ଘଟାଇଥିଲେ। ଅନ୍ୟପକ୍ଷରେ ଦ୍ବିତୀୟ ଦିନରେ ୱିକେଟ୍ ଶୂନ୍ୟ ରହିଥିବା ମହମ୍ମଦ ସାମି ଲଗାତାର ବଲରେ ଅର୍ଧଶତକ ହାସଲକାରୀ ଟ୍ରାଭିସ୍ ହେଡ୍ (୭୨) ଓ ଜୋସ୍ ହାଜ୍ଲେଉଡଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ହେଡ୍ ତାଙ୍କ ବ୍ୟକ୍ତିଗତ ସ୍କୋରରେ ଆଉ ମାତ୍ର ୧୧ ରନ୍ ଯୋଡ଼ି ପାରିଥିଲେ। ସ୍ପିନର ନାଥନ ଲିୟନ ୨୪ ରନ୍ର ଦ୍ରୁତ ଏବଂ ଅପରାଜିତ ପାଳି ଖେଳି ଅଷ୍ଟ୍ରେଲିଆକୁ ଭାରତର ନିକଟତର କରାଇଥିଲେ।
ପୂଜାରାଙ୍କ ରିଭ୍ୟୁ ରୋମାଞ୍ଚ
ବିସିସିଆଇ ଢେର କିଛି ବର୍ଷ ପାଇଁ ଡିଆର୍ଏସକୁ ବିରୋଧ କରୁଥିଲା। ହେଲେ ସେହି ଡିଆର୍ଏସ୍ ପାଇଁ ଚେତେଶ୍ବର ପୂଜାରା ଶନିବାର ଦୁଇ ଦୁଇ ଥର ଜୀବନଦାନ ପାଇଥିଲେ। ପୂଜାରା ୮ ଏବଂ ୧୭ ରନ୍ରେ ଥିବା ବେଳେ ଅମ୍ପାୟାର ନିଗେଲ ଲଙ୍ଗ ତାଙ୍କୁ ଆଉଟ୍ ସଙ୍କେତ ଦେଇଥିଲେ। ତେବେ ପୂଜାରା ଏହାର ତୁରନ୍ତ ରିଭ୍ୟୁ କରିଥିଲେ। ସୌଭାଗ୍ୟ ବଶତଃ ଦୁଇଥର ଯାକ ତାଙ୍କ ଆତ୍ମବିଶ୍ବାସ କାମ ଦେଇଥିଲା। ରିପ୍ଲେରୁ ସେ ଆଉଟ୍ ନଥିବା ଜଣାପଡ଼ିଥିଲା। ଫଳରେ ଟିଭି ଅମ୍ପାୟାର ନିଗେଲଙ୍କ ନିଷ୍ପତ୍ତିକୁ ନାକଚ କରି ଦେଇଥିଲେ। ପୂଜାରା ପୂର୍ବ ଭଳି ବ୍ୟାଟିଂ ଜାରି ରଖିବା ସହ ଖେଳ ଶେଷ ବେଳକୁ ୪୦ ରନ୍ରେ ଅପରାଜିତ ରହିଥିଲେ। ନିଗେଲଙ୍କ ପ୍ରଥମ ନିଷ୍ପତ୍ତି କଟ୍ ବିହାଇଣ୍ଡ ଏବଂ ଦ୍ବିତୀୟ ଏଲ୍ବିଡବ୍ଲ୍ୟୁ ନିଷ୍ପତ୍ତି ଥିଲା। ନାଥନ ଲିୟନଙ୍କୁ ପ୍ୟାଡିଂ କଲା ବେଳେ ସଟ୍ ଖେଳି ନଥିବାରୁ ପୂଜାରାଙ୍କୁ ନିଗେଲ ଆଉଟ୍ ଦେଇଥିଲେ। ଏହି ଘଟଣା ଭାରତୀୟ ପାଳିର ୨୪ତମ ଓଭରରେ ଘଟିଥିଲା। ଦ୍ବିତୀୟ ଘଟଣା ସେହି ଲିୟନଙ୍କ ବୋଲିଂରେ ୪୦ତମ ଓଭରରେ ଦେଖିବାକୁ ମିଳିଥିଲା।
କୋହଲି-ପୂଜାରା ଲଢ଼ିଲେ
୨୫ତମ ଓଭରରେ ରାହୁଲଙ୍କ ୱିକେଟ୍ର ପତନ ପରେ କ୍ରିଜ୍କୁ ଆସିଥିଲେ କୋହଲି। ପୂଜାରାଙ୍କ ସହ ମିଶି ୫୭.୧ ଓଭର ପର୍ଯ୍ୟନ୍ତ କୋହଲି ଅଷ୍ଟ୍ରେଲିଆ ବୋଲରଙ୍କୁ ନୟାନ୍ତ କରିଥିଲେ। ନିଜ ସ୍ବାଭାବିକ ଖେଳ ବିପରୀତ ଆଜି ସେ ରକ୍ଷଣାତ୍ମକ ବ୍ୟାଟିଂ କରି ୱିକେଟ୍ ବଞ୍ଚାଇବା ଉପରେ ଅଧିକ ଜୋର ଦେଇଥିଲେ। ପୂଜାରା ମଧ୍ୟ ଏଥିରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ଉଭୟ ତୃତୀୟ ୱିକେଟରେ ୩୨.୧ ଓଭର ଖେଳି ବହୁମୂଲ୍ୟ ୭୧ ରନ୍ ଯୋଡ଼ିଥିଲେ। ଖେଳ ଶେଷ ହେବାର କିଛି ସମୟ ପୂର୍ବରୁ ଅବଶ୍ୟ ନାଥନ ଲିୟନ ସର୍ଟ ଲେଗରେ କ୍ଷେତ୍ରରକ୍ଷଣ କରୁଥିବା ଆରୋନ ଫିଞ୍ଚଙ୍କ ହାତରେ ବ୍ୟାଟ୍ ପ୍ୟାଡ୍ କ୍ୟାଚ୍ କରାଇ କୋହଲିଙ୍କ ଲଢ଼ୁଆ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। କୋହଲିଙ୍କୁ ମଧ୍ୟ ସେ ସର୍ବାଧିକ ଷଷ୍ଠ ଥର ପାଇଁ ଆଉଟ୍ କରିଥିଲେ। ନିଜ ମାରାଥନ ପାଳିରେ କୋହଲି ୧୦୪ ବଲ୍ର ସମ୍ମୁଖୀନ ହୋଇ ୩୪ ରନ୍ କରିଥିଲେ। ସେଥିମଧ୍ୟରେ ଥିଲା ତିନିଟି ଚୌକା। ତାଙ୍କ ଷ୍ଟ୍ରାଇକ୍ ହାର ଥିଲା ମାତ୍ର ୩୨.୬୦। ଅନ୍ୟପକ୍ଷରେ ପୂଜାରା ୧୨୭ ବଲ୍ରୁ ୪୦*ରନ୍ କରିଥିଲେ। ସେଥିମଧ୍ୟରେ ଥିଲା ଚାରିଟି ଚୌକା। ପୂଜାରାଙ୍କ ଷ୍ଟ୍ରାଇକ୍ ହାର ଥିଲା ୩୧.୪୯।