ଆଉ ୩ ସ୍ୱର୍ଣ୍ଣ: ଭାରୋତ୍ତୋଳନ ପରେ ବଂଧୁକଚାଳନା ଓ ଟିଟିରୁ ମିଳିଲା ସ୍ୱର୍ଣ୍ଣ

ଗୋଲ୍‌ଡକୋଷ୍ଟ୍‍: ଚଳିତ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତ ପାଇଁ ବଢ଼ିଆ ବିତିଛି। ଆଉ ୩ ସ୍ୱର୍ଣ୍ଣ ପଦକ ସହିତ ମୋଟ ଅଧଡ଼ଜନ ପଦକ ଅମଳ କରି ଭାରତ ମଧ୍ୟ ପଦକ ତାଲିକାରେ ଚତୁର୍ଥ ସ୍ଥାନକୁ ସୁରକ୍ଷିତ ରଖିଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଲଗାତାର ଚତୁର୍ଥ ଦିନ ଭାରୋତ୍ତୋଳନ ସ୍ପର୍ଧାରେ ଭାରତର ଉନ୍ନତ ପ୍ରଦର୍ଶନ ଜାରି ରହଥିଲା। ଏଥି ସହ ବଂଧୁକଚାଳନା ଏବଂ ଟେବୁଲ୍‌ ଟେନିସ୍‌ରୁ ମଧ୍ୟ ସ୍ୱର୍ଣ୍ଣିମ ସଫଳତା ପାଇଛି ଭାରତ। ଚତୁର୍ଥ ଦିନରେ ଭାରତ ୩ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୨ କାଂସ୍ୟ ପଦକ ସହିତ ମୋଟ ପଦକ ସଂଖ୍ୟାକୁ ୧୨ରେ ପହଞ୍ଚାଇ ଦେଇଛି।

କରାରା ସ୍ପୋର୍ଟସ ଆଣ୍ଡ୍‌ ଲିଜର୍‌ ସେଣ୍ଟର୍‌ରେ ଚାଲିଥିବା ଭାରୋତ୍ତୋଳନରୁ ରବିବାର ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ଦେଇଥିଲେ ପୁନମ ଯାଦବ। ଏହି ଉତ୍ତରପ୍ରଦେଶ ଯୁବତୀ ମହିଳା ବିଭାଗ ୬୯ କିଲୋଗ୍ରାମ ଓଜନ୍‌ ବର୍ଗରେ ଚମତ୍କାର ଭାବେ ମୋଟ ୨୨୨ କିଲୋଗ୍ରାମ ଉତ୍ତୋଳନ କରି ଶୀର୍ଷରେ ରହିଥିଲେ। ୪ ବର୍ଷ ତଳେ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁନମ କାଂସ୍ୟ ପଦକ ହାସଲ କରିଥିବାବେଳେ ଏବେ ସ୍ୱର୍ଣ୍ଣ ପଦକ ସ୍ୱପ୍ନକୁ ସାକାର କରିଛନ୍ତି। ରବିବାର ୨୨ ବର୍ଷୀୟା ପୁନମ ସ୍ନାଚ୍‌ରେ ୧୦୦ କିଲୋଗ୍ରାମ ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୨୨ କିଲୋଗ୍ରାମ ଉତ୍ତୋଳନ କରି ଏହି ସଫଳତା ପାଇଥିଲେ। ସ୍ନାଚ୍‌ରେ ସେ ୯୫, ୯୮ ପରେ ୧୦୦ ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୯ ପରେ ୧୨୨ କିଲୋଗ୍ରାମ ଲକ୍ଷ୍ୟକୁ ହାସଲ କରି ନେଇଥିଲେ। ଇଂଲଣ୍ଡର ସାରା ଡାଭିସ୍‌ ୨୧୭ କିଲୋଗ୍ରାମ (୯୫ ଏବଂ ୧୨୨) ସହ ରୌପ୍ୟ ଏବଂ ଫିଜିର ଆପୋଲୋନିଆ ବୈବାଇ ୨୧୬ କିଲୋଗ୍ରାମ (୧୦୦ ଏବଂ ୧୧୬) ସହ କାଂସ୍ୟ ପଦକ ଜିତିଥିଲେ। ଅତି ରୋମାଞ୍ଚକ ପରିସ୍ଥିତିରେ ପୁନମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ବାରଣାସୀରୁ ଆସିଥିବା ପୁନମ ଆର୍ଥିକ ଅନଟନ ମଧ୍ୟରେ ଭାରୋତ୍ତୋଳନକୁ ଆସିଥିଲେ। ଭଉଣୀ ଓ ମାମୁଁଙ୍କ ସହାୟତାରେ ଲକ୍ଷ୍ନୌ ସାଇ କେନ୍ଦ୍ରରେ ୫ ବର୍ଷ ତଳେ ପ୍ରବେଶ କରିଥିବା ପୁନମ ଏସୀୟ କନିଷ୍ଠ, ଯୁବ ରାଜ୍ୟଗୋଷ୍ଠୀ ଓ କନିଷ୍ଠ ବର୍ଗରେ ପଦକ ଜିତିବା ପରେ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୬୩ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ଜିତିଥିଲେ।

ଭାରୋତ୍ତୋଳନରୁ ରବିବାର ଭାରତକୁ ଦ୍ୱିତୀୟ ତଥା ମୋଟ ଉପରେ ଅଷ୍ଟମ ପଦକ ଦେଇଥିଲେ ବିକାଶ ଠାକୁର। ପୁରୁଷ ବିଭାଗ ୯୪ କିଲୋଗ୍ରାମରେ କାଂସ୍ୟ ପଦକ ହାସଲ କରିଥିଲେ। ଲୁଧିଆନାରୁ ଆସିଥିବା ୨୪ ବର୍ଷୀୟ ବିକାଶ ୪ ବର୍ଷ ତଳେ ଗ୍ଲାସ୍‌ଗୋରେ ୮୫ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ଏବେ ବ୍ୟକ୍ତିଗତ ଭାବେ ଦୁଇଟି ରାଜ୍ୟଗୋଷ୍ଠୀ ପଦକ ଜିିତିବାରେ ସେ ସଫଳ ହେଲେ। ରବିବାର ସେ ସ୍ନାଚ୍‌ରେ ୧୫୯ କିଲୋଗ୍ରାମ ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୯୨ କିଲୋଗ୍ରାମ ସହ ମୋଟ ଉପରେ ୩୫୧ କିଲୋଗ୍ରାମ ଉତ୍ତୋଳନ କରିଥିଲେ। ପପୁଆ ନିଉ ଗିନିର ଷ୍ଟିଭେନ୍‌ କାରି ତିନିଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତିମାନ ସହିତ ମୋଟ ଉପରେ ୩୭୦ କିଲୋ ଉଠାଇ ସ୍ୱର୍ଣ୍ଣ ଏବଂ କାନାଡ଼ାର ବୋଡି ସାନ୍ତାଭି ୩୬୯ କିଲୋ ସହିତ ରୌପ୍ୟ ପଦକ ଜିତିଥିଲେ।

ବଂଧୁକଚାଳନାରୁ ୩ ପଦକ
ବଂଧୁକଚାଳନାର ପ୍ରଥମ ଦିନରୁ ମଧ୍ୟ ଭାରତ ପଦକ ଅମଳ ଆରମ୍ଭ କରିଛି। ବେଲମଣ୍ଟ୍‌ ସୁଟିଂ ରେଞ୍ଜରୁ ରବିବାର ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ମିଳିଛି। ପ୍ରଥମ ପଦାର୍ପଣରେ ସ୍ୱଳ୍ପବୟସୀ ମାନୁ ଭାକର୍‌ ୧୦ ମିଟର୍‌ ଏୟାର ପିସ୍ତଲ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏହି ଇଭେଣ୍ଟ୍‌ରୁ ଅଭିଜ୍ଞ ହୀନା ସିଦ୍ଧୁ ରୌପ୍ୟ ପଦକ ଜିତିନେବାରୁ ଭାରତ ୧-୨ ସଫଳତା ପାଇଛି। ୧୬ ବର୍ଷୀୟା ମାନୁ ମୋଟ ୨୪୦.୯ ପଏଣ୍ଟ୍‌ ସ୍କୋର୍‌ ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତିମାନ ମଧ୍ୟ ପ୍ରତିଷ୍ଠା କରିଥିଲେ। ତାଙ୍କ ଆଗରେ ୨୮ ବର୍ଷୀୟା ହୀନା ସିଦ୍ଧୁ (୨୩୪ ପଏଣ୍ଟ୍‌) ଫିକା ପଡ଼ିଯାଇଥିଲେ ମଧ୍ୟ ରୌପ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇଥିଲେ। ଅଷ୍ଟ୍ରେଲିଆର ଏଲିନ୍‌ ଗାଲିଆବୋଭିକ୍‌ (୨୧୪.୯) କାଂସ୍ୟ ପଦକ ହାସଲ କରିଥିଲେ। ହରିଆନାର ଝଝାର ଜିଲ୍ଲାରୁ ଆସିଥିବା ମାନୁ ଚଳିତ ବର୍ଷ ପ୍ରାରମ୍ଭରେ ସର୍ବକନିଷ୍ଠ ଭାରତୀୟ ଭାବେ ବିଶ୍ୱକପ୍‌ ସ୍ୱର୍ଣ୍ଣ ପଦକ ଜିତି ଚର୍ଚାରେ ଥିଲେ। ଅନ୍ୟପକ୍ଷରେ ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦଳଗତ ସ୍ୱର୍ଣ୍ଣ ଏବଂ ବ୍ୟକ୍ତିଗତ ରୌପ୍ୟ ପଦକ ଜିତିଥିବା ହୀନା କିନ୍ତୁ ଗ୍ଲାସ୍‌ଗୋରେ ବିଫଳ ହୋଇଥିଲେ। ‘ମୁଁ କିଛି ଲକ୍ଷ୍ୟ ଧାର୍ଯ୍ୟ କରିନଥିଲି। ମୁଁ କେବଳ ମୋ ବୈଷୟିକ ଦିଗ ଉପରେ କାମ କରିଥିଲି। ଏକାଗ୍ରତା ରଖି ବଂଧୁକଚାଳନା କରିବା ମୋର ଏକମାତ୍ର ଲକ୍ଷ୍ୟ ଥିଲା। ବଂଧୁକଚାଳନା ଏକ ଅଣଜଟିଳ ଖେଳ ହୋଇଥିବାରୁ ଅଧିକ କିଛି ଚିନ୍ତା ନ କରି ଲକ୍ଷ୍ୟଚ୍ୟୁତ ନ ହେବାକୁ ଗୁରୁତ୍ୱ ଦେଇଥାଏ’ ବୋଲି କହିଥିଲେ ମାନୁ ଭାକର୍‌। ରବିବାର ବଂଧୁକଚାଳନାରୁ ଭାରତକୁ ତୃତୀୟ ପଦକଟି ଦେଇଥିଲେ ରବି କୁମାର। ୧୦ ମିଟର୍‌ ପୁରୁଷ ଏୟାର ରାଇଫଲ୍‌ରେ ରବି କାଂସ୍ୟ ପଦକ ଜିତିଥିଲେ। ଏଥି ସହ ରବି ମଧ୍ୟ ଗ୍ଲାସ୍‌ଗୋରେ ଅଳ୍ପକେ କାଂସ୍ୟ ପଦକରୁ ବଞ୍ଚିତ ହେବାର ଦୁଃଖକୁ ଭୁଲିଥିଲେ। ମିରଟ ନିବାସୀ ଏହି ବାୟୁସେନା ସର୍ଜେଣ୍ଟ୍‌ ୨୨୪.୧ ପଏଣ୍ଟ୍‌ ସହିତ ତୃତୀୟରେ ରହିଥିଲେ।

ଟିଟି ରଚିଲା ସ୍ୱର୍ଣ୍ଣିମ ଇତିହାସ
ଭାରୋତ୍ତୋଳନ ଏବଂ ବଂଧୁକଚାଳନା ପରେ ଟେବୁଲ୍‌ ଟେନିସ୍‌ରୁ ରବିବାର ମିଳିଥିଲା ସ୍ୱର୍ଣ୍ଣ ପଦକ। ପ୍ରଥମ ଥର ପାଇଁ ଭାରତ ଟେବୁଲ୍‌ ଟେନିସ୍‌ରୁ ସ୍ୱର୍ଣ୍ଣ ପଦକ ହାସଲ କରି ନୂଆ ଇତିହାସ ରଚିଛି। ମହିଳା ଦଳଗତ ବର୍ଗରେ ଭାରତ ଫାଇନାଲ୍‌ରେ ସିଙ୍ଗାପୁରକୁ ୩-୧ରେ ପରାସ୍ତ କରି ଏହି ସଫଳତା ପାଇଛି। ପୂର୍ବରୁ ସେମିଫାଇନାଲ୍‌ରେ ଭାରତ ୩-୦ରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ ଆସିଥିଲା। ଫାଇନାଲ୍‌ରେ ପ୍ରଥମେ ମୋନିକା ବାତ୍ରା ୩-୨ (୧୧-୮, ୮-୧୧, ୭-୧୧, ୧୧-୯, ୧୧-୭)ରେ ଚମତ୍କାର ଭାବେ ତିଆନେଓ୍ଵଇ ଫେଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ। ଏହା ପରେ କିନ୍ତୁ ଭାରତର ମାଧୁରିକା ପଟକରଙ୍କୁ ମେଙ୍ଗୁ ୟୁ ୩-୦ (୧୩-୧୧, ୧୧-୨, ୧୧-୬)ରେ ଏକତରଫା ଭାବେ ପରାସ୍ତ କରିଥିଲେ। ତେବେ ଯୁଗଳ ବର୍ଗରେ ମୌମା ଦାସ-ମାଧୁରିକା ପାଟକର ଯୋଡ଼ି ୩-୧ (୧୧-୭, ୧୧-୬, ୮-୧୧, ୧୧-୭)ରେ ୟିହାନ୍‌ ଝୋ-ମେଙ୍ଗୁ ୟୁଙ୍କୁ ପରାସ୍ତ କରି ଭାରତକୁ ୨-୧ରେ ଆଗୁଆ କରାଇ ଦେଇଥିଲେ। ଶେଷକୁ ମୋନିକା ବାତ୍ରା ୩-୦ (୧୧-୭, ୧୧-୪, ୧୧-୭)ରେ ୟିହାନ୍‌ ଝୋଙ୍କୁ ପରାସ୍ତ କରି ଭାରତକୁ ବିଜୟ ମଣ୍ଡିତ କରିଥିଲେ। ୨ ଘଣ୍ଟା ଓ ୨୫ ମିନିଟ୍‌ର ଏହି ମୁକାବିଲାରେ ଭାରତ ବିଜେତା ହୋଇଥିଲା।

ଦୌଡ଼କୁଦରୁ ଭଲ ଖବର
ସବୁଠାରୁ କଷ୍ଟକର ତଥା ଆକର୍ଷଣୀୟ ଖେଳ ଭାବେ ପରିଚିତ ଦୌଡ଼କୁଦରେ ଭାରତ ମଧ୍ୟ ଭଲ ଆରମ୍ଭ କରିଛି। ସଟ୍‌ପୁଟ୍‌ରେ ତାଜିନ୍ଦର ପାଲ୍‌ ସିଂହ ଫାଇନାଲ୍‌କୁ ଉଠିଥିବା ବେଳେ ୪୦୦ ମିଟର୍‌ ପୁରୁଷ ଦୌଡ଼ରେ ମହମ୍ମଦ ଅନାସ୍‌ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ସନ୍ତରଣ, ସ୍କ୍ଵାସ୍‌, ଜିମ୍ନାଷ୍ଟିକ୍‌ସ, ସାଇକେଲଚାଳନା, ମାରାଥନ୍‌, ବାସ୍କେଟ୍‌ବଲ୍‌ ପ୍ରମୁଖରେ ଭାରତ ରବିବାର ନିରାଶ ହୋଇଛି।
ଅଷ୍ଟମରେ ରହିଲେ ରାକେଶ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜିମ୍ନାଷ୍ଟିକ୍ସ ଖେଳରୁ ଭାରତର ପଦକ ଜିତିବା ଆଶା ମଉଳି ଯାଇଛି। ପୂର୍ବରୁ ଦଳଗତ ବର୍ଗରୁ ବିଦାୟ ନେଇ ସାରିଥିବା ଭାରତ ରବିବାର ଦୁଇଟି ବ୍ୟକ୍ତିଗତ ଫାଇନାଲରେ ପ୍ରଥମ ତିନି ସ୍ଥାନରେ ରହିବାକୁ ବିଫଳ ହୋଇଛି। ରିଙ୍ଗ୍ସ ଫାଇନାଲକୁ ଯାଇଥିବା ଓଡ଼ିଆ ତାରକା ରାକେଶ କୁମାର ପାତ୍ର ଡିସମାଉଣ୍ଟ ବେଳେ (ରିଙ୍ଗ୍ସରୁ ତଳକୁ ଓହ୍ଲାଇଲା ବେଳେ) ସନ୍ତୁଳନ ରକ୍ଷା କରି ନପାରି ପଡ଼ିଯିବା ପରେ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ମହିଳା ଭଲ୍ଟ ଫାଇନାଲରେ ମଧ୍ୟ ପ୍ରଣତୀ ନାୟକ ସେହି ଅଷ୍ଟମ ସ୍ଥାନରେ ରହିଛନ୍ତି। ରାକେଶ ଦୁର୍ଭାଗ୍ୟଜନକ ଭାବେ ସନ୍ତୁଳନ ରକ୍ଷା କରି ନପାରିବା ପରେ ୧୨.୯୩୩ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଥିଲେ। ଏହି ବର୍ଗରେ ଇଂଲଣ୍ଡର କର୍ଟନି ଟୁଲୋକ ୧୪.୮୩୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ନାଇଲ୍‌ ଓ୍ଵିଲସନ୍‌ (୧୪.୪୦୦) ରୌପ୍ୟ ଏବଂ କାନାଡାର ସ୍କଟ୍‌ ମୋର୍ଗାନ (୧୪.୦୦୦) କାଂସ୍ୟ ପଦକ ହାସଲ କରିଥିଲେ। ମହିଳା ଭଲ୍ଟରେ ପ୍ରଣତୀ ମାତ୍ର ୧୧.୯୮୩ ପଏଣ୍ଟ ଅର୍ଜନ କରି ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ରହିବାରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର