ବୟସ ବିବାଦରୁ ଓଡ଼ିଶା ଖେଳାଳି ମୁକ୍ତ: ସିକେ ନାୟୁଡୁ ଦଳକୁ ଫେରିଲେ ପ୍ରୀତ୍‌ ସିଂହ

ଭୁବନେଶ୍ୱର: ୧୯ ଓ ୨୩ ବର୍ଷରୁ କମ୍‌ ବର୍ଗରେ କିଛି ଖେଳାଳିଙ୍କ ବୟସ ଜାଲିଆତି ଅଭିଯୋଗ ନେଇ ଅଡୁଆରେ ପଡ଼ିଯାଇଥିବା ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)କୁ ମଙ୍ଗଳବାର ଆଶ୍ୱସ୍ତି ମିଳିଛି। ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏହି ପ୍ରସଙ୍ଗରୁ ଓଡ଼ିଶାର ୭ ଖେଳାଳିଙ୍କୁ ସବୁଜ ସଂକେତ ଦେଇଛି। ୧୯ ବର୍ଷରୁ କମ୍‌ ବର୍ଗରେ ନିଖିଳ ବରୁଣ, ଉମେଶ ଯାଦବ, ରଘୁନାଥ ମଲ୍ଲ ଓ ଅୟସ୍‌କାନ୍ତ ସାହୁ ଏବଂ ୨୩ ବର୍ଷରୁ କମ୍‌ରେ ଅୟସକାନ୍ତ ପଣ୍ଡା, ପ୍ରୀତ୍‌ ସିଂହ ଚୌହାନ୍‌ ଓ ସଞ୍ଜୟ ଦାସଙ୍କ ନାମରେ ବୟସ ଜାଲିଆତି ଅଭିଯୋଗ ଉଠିଥିଲା। ଏଥିପାଇଁ ବିସିସିଆଇ ଏହି ଖେଳାଳିଙ୍କ ସଂପର୍କରେ ସୂଚନା ଦେବାକୁ ଓସିଏକୁ ନିର୍ଦେଶ ଦେଇଥିଲା। ବିଶେଷକରି ଅୟସକାନ୍ତ ଦାଶଙ୍କ ସଂପର୍କରେ ବିସିସିଆଇ ସୂଚନା ଚାହିଁଥିଲା ବେଳେ ଆମର ସେଭଳି କୌଣସି ଖେଳାଳି ନଥିବା ଓସିଏ କାର୍ଯ୍ୟକାରୀ ସଭାପତି ଧୀରେନ୍‌ ପଲେଇ ଜଣାଇଥିଲେ। ହେଲେ ଅୟସକାନ୍ତ ନାମରେ ଦୁଇ ଜଣ (ସାହୁ ଓ ପଣ୍ଡା) ରହିଥିବାରୁ ଆମେ ଉଭୟଙ୍କ ସମସ୍ତ ପ୍ରମାଣପତ୍ର ବିସିସିଆଇ ନିକଟକୁ ପଠାଇଥିଲୁ। ତେବେ ମଙ୍ଗଳବାର ଅପରାହ୍ନରେ ବିସିସିଆଇ ଏହି ସମସ୍ତ ୭ ଖେଳାଳିଙ୍କୁ ଜାଲିଆତି ଅଭିଯୋଗରୁ ମୁକ୍ତ କରି ଆମ ନିକଟକୁ ଅନୁମୋଦନପତ୍ର ପଠାଇଛି ବୋଲି ପଲେଇ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ବୟସ ଜାଲିଆତି ଅଭିଯୋଗ ଉଠିବାରୁ ପ୍ରୀତ୍‌ ସିଂହଙ୍କୁ ସମ୍ବଲପୁରରେ ଖେଳାଯାଇଥିବା ଉତ୍ତର ପ୍ରଦେଶ ବିପକ୍ଷ ଦଳରୁ ବାଦ୍‌ ଦିଆଯାଇଥିଲା। ଏପରିକି ତାଙ୍କୁ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ପାଇଁ ମଧ୍ୟ ଦଳରେ ନିଆଯାଇନଥିଲା। ହେଲେ ମଙ୍ଗଳବାର ବିସିସିଆଇଠୁ ସବୁଜ ସଂକେତ ପାଇବା ପରେ ଓସିଏ ପ୍ରୀତ୍‌ ସିଂହଙ୍କୁ ହାଇଦ୍ରାବାଦ ବିପକ୍ଷ ଦଳରେ ସାମିଲ କରିଛି। ପରିବର୍ତିତ ଦଳରେ ଅସ୍ମିତ୍‌ ରାଉତଙ୍କ ସ୍ଥାନରେ ପ୍ରୀତ୍‌ ସିଂହ ସାମିଲ ହୋଇଛନ୍ତି। ତେବେ ଅୟସକାନ୍ତ ଦାଶଙ୍କ ସଂପର୍କରେ ବିସିସିଆଇ ସୂଚନା ମାଗିଥିଲା ବେଳେ ଓସିଏ ଯେ କାହିଁକି ଅୟସକାନ୍ତ ସାହୁ ଓ ଅୟସକାନ୍ତ ପଣ୍ଡାଙ୍କ ପ୍ରମାଣପତ୍ର ପଠାଇଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂପର୍କରେ ପଲେଇ କିଛି ସ୍ପଷ୍ଟ କରିନାହାନ୍ତି।

ସମ୍ବନ୍ଧିତ ଖବର