କ୍ରୀଡ଼ାକୁ କିପରି ପ୍ରେତ୍ସାହନ ଦିଆଯାଏ ଅନ୍ୟ ରାଜ୍ୟମାନେ ଓଡ଼ିଶାଠାରୁ ଶିଖନ୍ତୁ : ସର୍ବଭାରତୀୟ କ୍ରୀଡ଼ା ପରିଷଦ

ଭୁବନେଶ୍ୱର: ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌ର ପ୍ରାୟୋଜକ ହେବା ଓ ମେଣ୍ଟରିଂ ପ୍ରଦାନ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ପଦକ୍ଷେପକୁ ସର୍ବଭାରତୀୟ କ୍ରୀଡ଼ା ପରିଷଦ (ଏଆଇସିଏସ୍‌) ପକ୍ଷରୁ ପ୍ରଶଂସା କରିବା ସହିତ ଓଡ଼ିଶାର ସେହି ମଡେଲ୍‌କୁ ଗ୍ରହଣ କରି ଅନ୍ୟ କ୍ରୀଡ଼ାଗୁଡ଼ିକର ବିକାଶ କରିବା ପାଇଁ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ ଆହ୍ଵାନ ଦେଇଛି। ଏହାର ଅଧ୍ୟକ୍ଷ ବିଜୟ କୁମାର ମଲହୋତ୍ରା ଏକ ଚିଠିରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ଓଡ଼ିଶା ମଡେଲ୍‌କୁ ଗ୍ରହଣ କରିବା ଓ ଭାରତରେ କ୍ରୀଡ଼ାକୁ ସହାୟତା ପ୍ରଦାନ କରିବା ପାଇଁ କହିଛନ୍ତି ।

ନିଜ ଅଂଚଳର ଏକ ଅଗ୍ରାଧିକାର ଶୃଙ୍ଖଳା, ବିଶେଷ କରି ଅଲିମ୍ପିକ୍‌ରେ ସୁଯୋଗ ଥିବା ଲୋକୟିୟ ଶୃଙ୍ଖଳାକୁ ଚିହ୍ନଟ କରି ତାହାର ପ୍ରାୟୋଜକ ହୋଇ ସେହି ଖେଳକୁ ବିକଶିତ କରିବା ପାଇଁ ଆବଶ୍ୟକତା ସହଯୋଗ ପ୍ରଦାନ କରିବ ଓ ତାହାକୁ ବିଶ୍ୱ ସ୍ତରର ସଫଳତା ପ୍ରଦାନ କରିବା ପାଇଁ ପରିଷଦ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ କୁହାଯାଇଛି। ଏହା ଆଗାମୀ ଅଲିମ୍ପିକ୍‌ ଖେଳ ପାଇଁ ଭାରତୀୟ ଟିମ୍‌କୁ ପ୍ରସ୍ତୁତ କରିବାରେ ଢ଼ାଂଚାଗତ ଭାବେ ସହାୟକ ହେବ, ତେଣୁ ଭାରତର ମେଡାଲ୍‌ ସଂଖ୍ୟାରେ ଉନ୍ନତି ହେବାର ସୁଯୋଗ ସୃଷ୍ଟି ହେବ।
ଶ୍ରୀ ମଲ୍‌ହୋତ୍ରା ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଓ ଚିଠିରେ ଲେଖିଛନ୍ତି ଯେ, ‘ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟ ଭିତରେ ଓ ସାରା ଦେଶରେ ହକିର ପ୍ରସାର କରିବା ଦିଗରେ ଦୀର୍ଘସ୍ଥାୟୀ ସାବ୍ୟସ୍ତ ହେବ।’’

ଭାରତରେ ହକିର ପ୍ରସାର ପାଇଁ ଶ୍ରୀ ପଟ୍ଟନାୟକଙ୍କ ନିଷ୍ପତିକୁ ସେ ଏକ ଐତିହାସିକ ନିଷ୍ପତ୍ତି ବୋଲି ସେ ବର୍ଣ୍ଣନା କରିଛନ୍ତି । ଏହି ରାଜ୍ୟ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ହକି ଖେଳାଳୀ ସୃଷ୍ଟି କରୁଥିବା ବେଳେ ଜାତୀୟ ହକି ଟିମ୍‌ ପାଇଁ ଓଡ଼ିଶା ପ୍ରାୟୋଜକ ହେବା ନିଶ୍ଚିତ ପକ୍ଷେ ପ୍ରଶଂସାଯୋଗ୍ୟ ବିଷୟ।

ସମ୍ବନ୍ଧିତ ଖବର