୨୫ ଲକ୍ଷ ଦାନକଲା ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)

ନୂଆଦିଲ୍ଲୀ : ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ଏବଂ ହକି ଇଣ୍ଡିଆ ପରେ ମହାମାରୀ କରୋନା ବିପକ୍ଷ ମହାଲଢ଼େଇ ଲାଗି ସହାୟତାର ହାତ ବଢ଼ାଇଛି ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)। ଦେଶବାସୀଙ୍କ ସହ ଠିଆହେବାକୁ ନିଷ୍ପତ୍ତି ନେଇଥିବା ଏଆଇଏଫ୍‌ଏଫ୍‌ ବୁଧବାର ପ୍ରଧାନମନ୍ତ୍ରୀ ଆପଦକାଳୀନ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛି। ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ସହାୟତା କରିବ ବୋଲି ଏଆଇଏଫ୍‌ଏଫ୍‌ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଦେଶବାସୀଙ୍କ ଭଲ ପାଇବା ଓ ସମର୍ଥନ ଯୋଗୁଁ ଆମେ ଏତେବାଟରେ ପହଞ୍ଚିଛୁ। ଏବେ ଏହାର ଋଣ ଶୁଝିବାର ବେଳ ଆସିଛି। ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବୁ। ଶୀଘ୍ର ଏଭଳି ବିପଦରୁ ଦେଶ ମୁକୁଳି ଯାଉ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଥିବା ଏଆଇଏଫ୍‌ଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲ କହିଛନ୍ତି। କରୋନା ପାଇଁ ଫୁଟ୍‌ବଲ୍‌ର ସମସ୍ତ କାର୍ଯ୍ୟକ୍ରମ ଦେ‌‌ଶରେ ବନ୍ଦ ରହିଛି। ଏଥି ସହ ଏଆଇଏଫ୍‌ଏଫ୍‌ ଗତ ମାସରେ ଏହାର ସମସ୍ତ କର୍ମଚାରୀଙ୍କୁ ଘରେ କାମ କରିବା ପାଇଁ କହିଥିଲା। ପୂର୍ବରୁ ଭାରତୀୟ ଫୁଟ୍‌ବଲ୍‌ ଦଳର ବହୁ ସଦସ୍ୟ ମଧ୍ୟ ନିଜ ସକ୍ଷମ ଅନୁସାରେ କିଛି କିଛି ସହଯୋଗ କରିଥିଲେ ବୋଲି ପଟେଲ କହିଛନ୍ତି।

ସମ୍ବନ୍ଧିତ ଖବର