ସତ୍ୟବ୍ରତଙ୍କୁ ସ୍ୱର୍ଣ୍ଣ, ପ୍ରିୟଦର୍ଶିନଙ୍କୁ ରୌପ୍ୟ

ଭୁବନେଶ୍ୱର: ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ରବିବାର ଉଦ୍‌ଯାପିତ ତୃତୀୟ ସର୍ବଭାରତୀୟ ମିଶ୍ରିତ ସାମରିକ କଳା (ଏଆଇଏମ୍‌ଏମ୍‌ଏ) କ୍ରୀଡ଼ାରେ ସତ୍ୟବ୍ରତ ବେହୁରିଆ ସ୍ୱର୍ଣ୍ଣ ଏବଂ ପି୍ରୟଦର୍ଶିନୀ ଘଟୁଆରି ରୌପ୍ୟ ପଦକ ଜିତିଛନ୍ତି। ରବିବାର ସଂଧ୍ୟାରେ ଅନୁଷ୍ଠିତ ୫୬.୭ କିଲୋଗ୍ରାମ ଫ୍ଲାଏେଓ୍ଵଟ୍‌ ଫାଇନାଲ୍‌ରେ ସତ୍ୟବ୍ରତ ଛତିଶଗଡ଼ର ରଜତ କପୁରଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ। ଏହା ସତ୍ୟବ୍ରତଙ୍କ ସୌଖିନ ଖେଳ ଜୀବନର ଷଷ୍ଠ ମୁକାବିଲାରୁ ଚତୁର୍ଥ ବିଜୟ। ଏଥି ସହିତ ସତ୍ୟବ୍ରତ ମଧ୍ୟ ଆସନ୍ତା ମାସରେ କାଠମଣ୍ଡୁରେ ଖେଳାଯିବାକୁ ଥିବା ଏସୀୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ରଜତଙ୍କଠାରୁ ଭଲ ଲଢ଼େଇ ମିଳିଥିଲା। ଫଳରେ ମୁକାବିଲା ତୃତୀୟ ରାଉଣ୍ଡ୍‌ ପର୍ଯ୍ୟନ୍ତ ଯାଇଥିଲା। ଓଡ଼ିଶା ପାଇଁ ଲଢ଼ି ପଦକ ଜିତିଥିବାରୁ ମୁଁ ବହୁତ ଖୁସୀ ବୋଲି କହିଥିଲେ ବାଙ୍ଗାଲୋରରେ ପ୍ରଶିକ୍ଷିତ ସତ୍ୟବ୍ରତ। ମୁଁ ଗ୍ରାଉଣ୍ଡ୍‌ରେ ଖେଳିବାକୁ ପସନ୍ଦ କରୁଥିବାରୁ ସେହି କୌଶଳରେ ଖେଳି ସଫଳ ହେଲି ବୋଲି କହିଥିଲେ କେନ୍ଦ୍ରାପଡ଼ା ଓଳାବର ନିକଟସ୍ଥ ସିଓପଡ଼ାର ୨୨ ବର୍ଷୀୟ ସତ୍ୟବ୍ରତ। ଏ ସଫଳତାର ଶ୍ରେୟ ମୁଁ ମୋ ପ୍ରଶିକ୍ଷକ ଜିତେଶ ବିଘ୍ନେଶ, ସାଥୀ ତାଲିମଦାତା ଶ୍ରୀକାନ୍ତ ଶେଖରଙ୍କୁ ପ୍ରଦାନ କରିବି। ମୁଁ ଗତ ୫ ବର୍ଷ ହେବ ଏମ୍‌ଏମ୍‌ଏ ପ୍ରତିଯେଗିତାରେ ଭାଗ ନେଇଆସୁଛି। ଏସୀୟ ପ୍ରଦର୍ଶନ ମୋତେ ଅଧିକ ଉତ୍ସାହିତ କରିଥିଲା ବୋଲି ରବିବାର ବିଜୟ ପରେ ପ୍ରକାଶ କରିଥିଲେ ସତ୍ୟବ୍ରତ। ପ୍ରଥମରୁ ଘରୁ ସମର୍ଥନ ମିଳୁ ନ ଥିଲା ଏବେ କିନ୍ତୁ ଆଉ ବିରୋଧ ନାହିଁ କହିଥିଲେ ସତ୍ୟବ୍ରତ। ବାଙ୍ଗାଲୋର୍‌ରେ ସତ୍ୟବ୍ରତର ଭାରି ଚାହିଦା ରହିଛି। ତା’ ଭବିଷ୍ୟତ ନିଶ୍ଚିତ ଉଜ୍ୱଳ। ଏହି ଖେଳରେ ଜୀବନ ବନିଯିବା ଭଳି ସୁଯୋଗ ମଧ୍ୟ ରହିଛି। ସତ୍ୟବ୍ରତ ଭାରି ପରିଶ୍ରମୀ ପିଲା। ବର୍ଷକ ଭିତରେ ସେ ସୌଖିନରୁ ପେସାଦାର ପାଲଟିବାର ସମ୍ଭାବନା ରହିଛି ବୋଲି କହିଥିଲେ ତାଙ୍କ ସାଥୀ ତାଲିମଦାତା ତଥା ପେସାଦାର ଓଡ଼ିଆ ଖେଳାଳି ଶ୍ରୀକାନ୍ତ ଶେଖର।
୫୬ କିଲୋଗ୍ରାମ ଓଜନ ବର୍ଗର ମହିଳାରେ ଓଡ଼ିଆ ଝିଅ ପ୍ରିୟଦର୍ଶିନୀ ଘଟୁଆରୀ ଦିଲ୍ଲୀର ତନୁ ଝାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ସ୍ପ୍ଲିଟ୍‌ ପଏଣ୍ଟରେ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ମୋଟ ୮ ବର୍ଗର ଫାଇନାଲ୍‌ ପରେ ଦିିଲ୍ଲୀ ଦଳଗତ ବିଜେତା ହୋଇଥିବାବେଳେ କର୍ଣ୍ଣାଟକ ଦ୍ୱିତୀୟ, ଛତିଶଗଡ଼ ତୃତୀୟ, ଓଡ଼ିଶା ଚତୁର୍ଥ, ତେଲେଙ୍ଗାନା ପଞ୍ଚମ ହୋଇଥିଲା। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏବଂ ବିଧାୟକ ବିଜୟ ମହାନ୍ତି ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର