ଆଜ୍‌ଲାନ୍‌ ଶାହା କପ୍‌ରେ ବିଜୟ ଅଭିଯାନ: ଏସୀୟ ବିଜେତା ଜାପାନକୁ ହରାଇଲା ଭାରତ

ଇଫୋ (ମାଲେସିଆ): ଶନିବାରଠୁ ଏଠାରେ ଆରମ୍ଭ ହୋଇଛି ସୁଲ୍‌ତାନ ଆଜ୍‌ଲାନ୍ ଶାହା କପ୍‌ ହକିର ୨୮ତମ ସଂସ୍କରଣ। ଏସୀୟ ବିଜେତା ଜାପାନକୁ ୨-୦ ଗୋଲ୍‌ରେ ପରାସ୍ତ କରି ଭାରତୀୟ ପୁରୁଷ ଦଳ ଅଭିଯାନ ଆରମ୍ଭ କରିଛି। ସନ୍ତୁଳିତ ଆକ୍ରମଣ, ଦୃଢ଼ ରକ୍ଷଣଭାଗ ସାଙ୍ଗକୁ ମଧ୍ୟଭାଗରେ ଦମ୍‌ଦାର ପ୍ରୟାସ ହିଁ ଭାରତକୁ ପୂରା ମ୍ୟାଚ୍‌ରେ ଆଧିପତ୍ୟ ବିସ୍ତାର କରିବାରେ ସହାୟକ ହୋଇଥିଲା। ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିବା ପରେ ଭାରତ ଆକ୍ରମଣକୁ ଜୋର୍‌ଦାର କରିଥିଲା। ଫଳରେ ଦ୍ବିତୀୟ କ୍ବାର୍ଟରର ଅଷ୍ଟମ ମିନିଟ୍‌ରେ ଭାରତକୁ ମିଳିଥିଲା ଏକ ପେନାଲ୍‌ଟି କର୍ନର। ଆଉ ଏହାର ସଦୁପଯୋଗ କରି ଡ୍ରାଗ୍‌ ଫ୍ଲିକର ବରୁଣ କୁମାର ଭାରତ ପାଇଁ ପ୍ରଥମ ଗୋଲ୍‌ କରିଥିଲେ। ଭାରତ ମ୍ୟାଚ୍‌ର ୨୪ ମିନିଟ୍‌ରେ ହିଁ ୧-୦ର ଅଗ୍ରଣୀ ପାଇଯାଇଥିଲା। ପରବର୍ତୀ ଦୁଇ କ୍ବାର୍ଟରରେ ମଧ୍ୟ ଜାପାନକୁ ଚାପରେ ରଖିଥିଲା। ବରିଷ୍ଠ ଖେଳାଳି ମନ୍‌ପ୍ରୀତ୍‌ ସିଂହ ଓ କୋଠାଲଜିତ୍‌ ସିଂହଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଭାରତ କିଛିଟା ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଅନ୍ୟପକ୍ଷରେ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ସୁରେନ୍ଦ୍ର କୁମାର ଜାପାନର ପ୍ରତିଆକ୍ରମଣକୁ ଭଣ୍ଡୁର କରିବାରେ ସଫଳ ହୋଇଥିଲେ। ଅନ୍ୟପକ୍ଷରେ ତୃତୀୟ କ୍ବାର୍ଟର ତଥା ୩୩ ମିନିଟ୍‌ରେ ଜାପାନ ପାଇଥିବା ପ୍ରଥମ ପେନାଲ୍‌ଟି କର୍ନରକୁ ଅଭିଜ୍ଞ ଭାରତୀୟ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେସ୍‌ ଅଟକାଇ ଦଳର ଅଗ୍ରଣୀକୁ ଜାରି ରଖିଥିଲେ। ତୃତୀୟ କ୍ବାର୍ଟରରେ କେଞ୍ଜି କିଟାଜୋଟୋଙ୍କ ଏକ ଶକ୍ତିଶାଳୀ ସର୍ଟ ମଧ୍ୟ ଜାପାନକୁ ଅଳ୍ପକେ ଗୋଲ୍‌ ଦେବାରୁ ବଞ୍ଚିତ କରିଥିଲା। ଚତୁର୍ଥ କ୍ବାର୍ଟରରେ ବରୁଣ ଏକ ପେନାଲ୍‌ଟିକୁ ଗୋଲ୍‌ କରିବାରେୀ ବିଫଳ ହୋଇଥିଲେ ମଧ୍ୟ ସିମ୍ରନ୍‌ଜିତ୍‌ ସିଂହ ୫୫ ମିନିଟ୍‌ରେ ଗୋଟିଏ ଗୋଲ୍‌ କରି ଭାରତକୁ ୨-୦ର ଅଗ୍ରଣୀ ଦେଇଥିଲେ। ଶେଷରେ ଆଉ କୌଣସି ଗୋଲ୍‌ ନହେବାରୁ ଭାରତ ୨-୦ର ଏକପାଖିଆ ବିଜୟ ହାସଲ କରିନେଇଥିଲା। ଏସୀୟ ବିଜେତାକୁ ଆରମ୍ଭରୁ ପରାସ୍ତ କରିବା ଭାରତୀୟ ଦଳର ଆତ୍ମବିଶ୍ବାସକୁ ବଢ଼ାଇ ଦେଇଛି। ବରୁଣ କୁମାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତ ତା’ର ପରବର୍ତୀ ତଥା ଦ୍ବିତୀୟ ମ୍ୟାଚ୍‌ ରବିବାର କୋରିଆ ସହ ଖେଳିବ। ଏହାପରେ ୨୬ରେ ଆୟୋଜକ ମାଲେସିଆ, ୨୭ରେ କାନାଡା ଏବଂ ୨୯ ତାରିଖରେ ପୋଲାଣ୍ଡ୍‌ ସହ ଖେଳି ଲିଗ୍‌ ପର୍ଯ୍ୟାୟ ଶେଷ କରିବ। ଲିଗ୍‌ ପର୍ଯ୍ୟାୟର ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ୩୦ ତାରିଖରେ ହିଁ ଖେଳାଯିବ।

ସମ୍ବନ୍ଧିତ ଖବର