ଆକାଶଦୀପ ୨୩, ଚିଙ୍ଗଲାସନା ୨୬

ଭାରତୀୟ ହକି ଦଳର ଦୁଇ ଯୁବ ତାରକା ଆକାଶଦୀପ ସିଂହ ଏବଂ ଚିଙ୍ଗଲାସନା ସିଂହ ରବିବାର ନିଜ ନିଜର ଜନ୍ମ ଦିବସ ପାଳନ କରିଥିଲେ। ଆକାଶଦୀପଙ୍କୁ ଆଜି ୨୩ ପୂରି ୨୪ ଚାଲିଲା। ଅନ୍ୟପକ୍ଷରେ ମଣିପୁର ମଣି ତଥା ଭାରତୀୟ ହକି ଦଳର ଉପଅଧିନାୟକ ଚିଙ୍ଗଲାସନା ସିଂହ ୨୭ ବର୍ଷରେ ଉପନୀତ ହୋଇଥିଲେ। ତାଙ୍କୁ ଆଜି ୨୬ ପୂରିଥିଲା। ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ସହ ସମଗ୍ର ଭାରତୀୟ ଦଳ ତାଙ୍କ ଜନ୍ମଦିନକୁ କେକ୍ କାଟି ପାଳନ କରିଥିଲେ। ଉଭୟଙ୍କୁ ଭାରତ ତଥା ଭାରତ ବାହାରର କ୍ରୀଡ଼ା ଦୁନିଆରୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ୧୯୯୧ ମସିହା ଡିସେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିବା ଚିଙ୍ଗଲାସନା ଭାରତୀୟ ଦଳରେ ହାଫ୍ ବ୍ୟାକ୍ ଭାବେ ଖେଳନ୍ତି।

୨୦୧୧ରେ ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫିରେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ଭାରତୀୟ ଦଳ ପକ୍ଷରୁ ସେ ୨୦୧ ମ୍ୟାଚ୍ ଖେଳିଛନ୍ତି। ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ, ସେହିବର୍ଷ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୦୧୭ ଢାକା ଏସିଆ କପ୍‌ରେ ସ୍ବର୍ଣ୍ଣ, ୨୦୧୩ ଏସିଆ କପ୍‌ରେ ରୌପ୍ୟ, ଚଳିତ ବର୍ଷର ବ୍ରେଡା ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ଅନ୍ୟପକ୍ଷରେ ୧୯୯୪ ଡିସେମ୍ବର ୨ରେ ପଞ୍ଜାବର ତର୍ନ ଜରନରେ ଜନ୍ମଗ୍ରହଣ କରିଥିବା ଆକାଶଦୀପ ନିଜକୁ ଜଣେ ଦକ୍ଷ ଅଗ୍ରଭାଗ ଖେଳାଳି ଭାବେ ପ୍ରତିଷ୍ଠିତ କରାଇ ପାରିଛନ୍ତି। ରିଓ ଅଲିମ୍ପିକ୍ସ ପରଠାରୁ ଭାରତୀୟ ଦଳର ନିୟମିତ ସଦସ୍ୟ ପାଲଟିଥିବା ଆକାଶଦୀପ ୧୭୬ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ, ୨୦୧୮ ଜାକର୍ତା ଏସୀୟ କ୍ରୀଡ଼ାରେ କାଂସ୍ୟ ଓ ୨୦୧୭ ଏସିଆ କପରେ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ।

ପ୍ରଶଂସକ ଗାଁର ପ୍ରଚାର
କଳିଙ୍ଗ ଷ୍ଟାଡିୟମ ରଗ୍‌ବି ପଡ଼ିଆ ଏବେ ପ୍ରଶଂସକଙ୍କ ଗାଁ ପାଲଟିଛି। କୃତ୍ରିମ ଘାସ ଗାଲିଚା ଉପରେ ବେଶ୍‌ ସଜାଯାଇଛି ବିଭିନ୍ନ ଷ୍ଟଲ୍‌। ହକି ବିଶ୍ବକପ୍‌ର ବିଶାଳ ଟ୍ରଫିଠାରୁ ଆରମ୍ଭ କରି ବଡ଼ ପରଦା, ୩୬୦ ଡିଗ୍ରୀ କ୍ୟାମେରା, ହକି ଦକ୍ଷତା ଦେଖାଇବା ପାଇଁ ରହିଛି ସମ୍ପୂର୍ଣ୍ଣ ବ୍ୟବସ୍ଥା। ଏହା ଛଡ଼ା ପ୍ରଶଂସକଙ୍କ ପାଇଁ ବିଶ୍ବକପ୍ ସ୍ମୃତି ସାଉଁଟିବା ଲାଗି ମଧ୍ୟ ସ୍ମରଣୀୟ ହକି ଷ୍ଟିକ୍‌, ଟି ସାର୍ଟ, ଚାବି ରିଂ, ଓଡ଼ିଶାର ହସ୍ତଶିଳ୍ପ ଆଦି ଭରି ରହିଛି। ଫଟୋ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ଓଡ଼ିଶା ସରକାର। ମ୍ୟାଚ୍‌ ପୂର୍ବରୁ ଏବଂ ମ୍ୟାଚ୍ ଅବସରରେ ପ୍ରଶଂସକ ଏହି ଭିଲେଜ ବୁଲି ବେଶ୍‌ ମଜା ନେଉଛନ୍ତି ଏବଂ ବିଶ୍ବକପ୍ ସହ ଜଡ଼ିତ ରହିବାର ସ୍ମୃତି ସାଉଁଟି ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। କିନ୍ତୁ ଆଶାଜନକ ଭାବେ ଏଠାର ଭିଡ଼ ରହୁନାହିଁ।

ସମ୍ବନ୍ଧିତ ଖବର