ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେବେ ଇଂଲଣ୍ଡର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଆଲିଷ୍ଟର କୁକ୍‌

ଭାରତ ବିପକ୍ଷରେ ଇଂଲଣ୍ଡ ଶୃଙ୍ଖଳାର ୫ମ ମୁକାବିଲା କୁକ୍‌ଙ୍କ ପାଇଁ ହେବ ଶେଷ ମ୍ୟାଚ୍‌

ଇଂଲଣ୍ଡ: ଇଂଲଣ୍ଡର ପୂର୍ବତନ ଅଧିନାୟକ ଓ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଆଲିଷ୍ଟର କୁକ୍‌ ଖୁବ୍‌ ଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେବାକୁ ଯାଉଛନ୍ତି। ଭାରତ ବିପକ୍ଷରେ ଇଂଲଣ୍ଡରେ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ୫ମ ତଥା ଅନ୍ତିମ ମୁକାବିଲା ପରେ କୁକ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିବେ।

ଆଲିଷ୍ଟର କୁକ୍‌ ଏପର୍ଯ୍ୟନ୍ତ ୧୬୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୨,୨୫୪ ରନ୍‌ ସଂଗ୍ରହ କରିଛନ୍ତି। ଟେଷ୍ଟ ମ୍ୟାଚ୍‌ରେ କୁକ୍‌ଙ୍କ ନାମରେ ୩୨ଟି ଶତକ ରହିଛି। ଟେଷ୍ଟ ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କ ସ୍କୋର ହେଉଛି ୧୫,୯୨୧ ରନ୍‌। ଶାନ୍ତ ସ୍ୱଭାବର କୁକ୍‌ ଯଦି ଆଉ କିଛି ବର୍ଷ ଟେଷ୍ଟ ମ୍ୟାଚ୍‌ ଖେଳିଥାନ୍ତେ, ତା’ହେଲେ ସେ ସଚିନଙ୍କ ରେକର୍ଡର ନିକଟତର ହୋଇ ଯାଇଥାନ୍ତେ।

ବିଗତ କିଛି ମାସ ହେବ ମୁଁ ବହୁ ବୁଝି ବିଚାରି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛି। ଭାରତ ବିପକ୍ଷରେ ଓଭାଲ ଠାରେ ଖେଳାଯିବାକୁ ଥିବା ମ୍ୟାଚ ମୋ କ୍ୟାରିୟରର ଶେଷ ମ୍ୟାଚ ହେବ।

-ଇଂଲଣ୍ଡ କ୍ରିକେଟର ଆଲିଷ୍ଟର କୁକ୍‌

୩୨ ବର୍ଷିଅ କୁକଙ୍କୁ ସଚିନଙ୍କ ନିକଟତର ହେବା ପାଇଁ ୩୬୬୭ ରନ୍‌ ଦରକାର ଥିଲା। ପ୍ରଶଂସକଙ୍କ ଆଶା ଥିଲା ଯେ, କୁକ୍‌ ହିଁ ଏକମାତ୍ର କ୍ରିକେଟର ଯିଏ କି ସଚିନଙ୍କ ନିକଟତର ହୋଇ ପାରିବେ।

କୁକ୍‌ ଏକ ବୟାନରେ କହିଛନ୍ତି, ‘ଏହା ଏକ ଦୁଃଖର ଦିନ କିନ୍ତୁ ମୁଁ ଖୁସିର ସହିତ ଏହା କହି ପାରିବି ଯେ, ମୋ ଜୀବନକୁ କ୍ରିକେଟ୍‌ ପାଇଁ ସମର୍ପଣ କରି ଦେଇଛି ଓ କିଛି ଦେବାକୁ ମୋ ପାଖରେ ଆଉ କିଛି ନାହିଁ।’ ସେ କହିଛନ୍ତି, ମୁଁ ଯାହା ହାସଲ କରିଛି, ଏ ବାବଦରେ ମୁଁ କେବେ କିଛି ଭାବି ନଥିଲି। ଇଂଲଣ୍ଡ ଟିମ୍‌ରେ ଏତେ ଦିନ ପର୍ଯ୍ୟନ୍ତ ଖେଳି ମୁଁ ଗର୍ବ ଅନୁଭବ କରୁଛି।

ସୂଚନାଯୋଗ୍ୟ କୁକ୍‌ ନାଗପୁରରେ ୨୦୦୬ରେ ଭାରତ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେହି ମ୍ୟାଚ୍‌ରେ ସେ ଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର