କ୍ୟାରିୟରର ଶେଷ ଟେଷ୍ଟରେ ଆଲେଷ୍ଟର କୁକଙ୍କ ସ୍ମରଣୀୟ ଶତକ, ଇଂଲାଣ୍ଡ ୨୩୨/୨

ସାଉଥମ୍ପଟନ୍: ସାଉଥମ୍ପଟନ୍ ଟେଷ୍ଟ୍କୁ ଘରୋଇ ଇଂଲଣ୍ଡ ଧିରେ ଧିରେ ନିଜ କବ୍ଜାକୁ ନେବା ଆରମ୍ଭ କରିଛି। ଭାରତ ପ୍ରଥମ ପାଳିରେ ୨୯୨ ରନ୍ କରି ୪୦ ରନ୍ରେ ପଛୁଆ ରହିବା ପରେ ଇଂଲଣ୍ଡ ଦ୍ୱିତୀୟ ପାଳିରେ (ଶେଷ ଖବର ମିଳିବା ପର୍ଯନ୍ତ) ୨ ଓ୍ଵିକେଟ୍ ବିନିମୟରେ ୨୩୨ ରନ ସଂଗ୍ରହ କରିଛି ଓ ମୋଟ ୨୭୨ ରନରେ ଆଗୁଆ ରହିଛି ।

ନିଜର ଶେଷ ଟେଷ୍ଟ ଖେଳୁଥିବା ଇଂଲାଣ୍ଡର ମହାନ ତାରକା ଓପନର ଆଲେଷ୍ଟର କୁକ ଏକ ଚିତ୍ତାକର୍ଷକ ଶତକ ହାସଲ କରିଛନ୍ତି । ଏହି ଶତକ ସହ ସ୍ମରଣୀୟ ଭାବେ ସେ ନିଜର କ୍ରିକେଟ ଜୀବନକୁ ସମାପ୍ତ କରିଛନ୍ତି । କୁକଙ୍କ ସହିତ ଜୋ ରୁଟ ମଧ୍ୟ ନିଜର ଶତକର ନିକଟତର ହୋଇଛନ୍ତି ।
ଗତକାଲି ଇଂଲାଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କିଟନ ଜେନିଙ୍ଗ୍ସ (୧୦) ଙ୍କୁ ମହମ୍ମଦ ସାମି ଓ ମୋଇନ ଅଲ୍ଲୀ (୨୦)ଙ୍କୁ ରବୀନ୍ଦ୍ର ଜାଦେଜା ବୋଲ୍ଡ କରି ଭାରତକୁ ଦୁଇଟି ପ୍ରାରମ୍ଭକ ସଫଳତା ଦେଇଥିଲେ । କିନ୍ତୁ କୁକଙ୍କ ଶତକ ଭାରତର ଆଶାକୁ ନିରାଶାରେ ପରିଣତ କରିଛି ।

ପ୍ରଥମ ପାଳିରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଜାଦେଜା (୮୬*) ଏବଂ ହନୁମା ବିହାରୀ (୫୬) ହିଁ ଭାରତର ସମ୍ମାନ ରଖିଥିଲେ। ଶୃଙ୍ଖଳାରେ ପ୍ରଥମ ଥର ପାଇଁ ସୁଯୋଗ ପାଇଥିବା ଜାଦେଜା ଓ ପଦାର୍ପଣକାରୀ ହନୁମାଙ୍କ ଲଢ଼ୁଆ ଅର୍ଧଶତକ ବଳରେ ଭାରତ ପ୍ରଥମ ପାଳିରେ ୨୯୨ ରନ୍ କରି ସମ୍ମାନ ରଖିଥିଲା। ତଥାପି ଇଂଲଣ୍ଡର ୩୩୨ ରନ୍ଠାରୁ ୪୦ ରନ୍ ପଛରେ ଅଟକି ଯାଇଥିଲା।

ସମ୍ବନ୍ଧିତ ଖବର