ସବୁ ବ୍ୟାଟ୍‌ସମ୍ୟାନ୍‌ ଶୂନ; ଦଳ ୭୫୪ ରନ୍‌ରେ ପରାସ୍ତ

ହାରିସ୍‌ ସିଲ୍‌ଡରେ ଅଲୋଡ଼ା କୀର୍ତ୍ତି

ମୁମ୍ବାଇ: କ୍ରିକେଟ୍‌କୁ ଅନିଶ୍ଚିତତାର ଖେଳ କୁହାଯାଉଥିବା ବେଳେ ଏହାର ଏକ ଜ୍ବଳନ୍ତ ଉଦାହରଣ ମୁମ୍ବାଇରେ ଦେଖିବାକୁ ମିଳିଛି। ମୁମ୍ବାଇର ଅନ୍ତଃବିଦ୍ୟାଳୟ ହାରିସ୍ ସିଲ୍ଡ କ୍ରିକେଟ୍‌ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ସ୍ବାମୀ ବିବେକାନନ୍ଦ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍ (ଏସ୍‌ଭିଆଇଏସ୍‌) ଦଳ ବିପକ୍ଷରେ ଦି ଚିଲ୍‌ଡ୍ରେନ୍‌ସ ୱେଲ୍‌ଫେୟାର ସେଣ୍ଟର ସ୍କୁଲ୍‌ ଦଳ ଏକ ଅଲୋଡ଼ା କୀର୍ତ୍ତିମାନ ପାଇଛି। ଏହି ଦଳର ୧୦ ଜଣଯାକ ବ୍ୟାଟ୍‌ସମ୍ୟାନ୍‌ ଶୂନରେ ଆଉଟ୍‌ ହୋଇଥିଲା ବେଳେ ଅପରାଜିତ ଥିବା ବ୍ୟାଟ୍‌ସମ୍ୟାନ୍‌ ମଧ୍ୟ ଖାତା ଖୋଲିପାରିନଥିଲେ। ଫଳରେ ଦଳ ମାତ୍ର ୭ ରନ୍‌ କରିପାରିଥିଲା। ଯାହାକି କେବଳ ଅତିରିକ୍ତ (୬ ୱାଇଡ୍‌, ୧ ବାଇ) ଭାବେ ଦଳକୁ ମିଳିଥିଲା। ବିଜୟୀ ଦଳ ପକ୍ଷରୁ ମଧ୍ୟମଗତି ବୋଲର ଆଲୋକ ପାଲ୍‌ ହ୍ୟାଟ୍ରିକ୍‌ ସହିତ ୩ ରନ୍‌ରେ ୬ ୱିକେଟ୍‌ ଅକ୍ତିଆର କରିଥଲେ। ଏଥି ସହିତ ଦି ଚିଲ୍‌ଡ୍ରେନ୍‌ସ ୱେଲ୍‌ଫେୟାର ସେଣ୍ଟର ସ୍କୁଲ୍‌ ଦଳ ୭୫୪ ରନ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲା। ଏଭଳି ଅଲୋଡ଼ା କୀର୍ତ୍ତି ପାଇବାରେ କୌଣସି ଦଳ ପାଇଁ ଏହା ପ୍ରଥମ ଘଟଣା। ପ୍ରଥମ ଥର ଲାଗି ଗୋଟିଏ ଦଳର କୌଣସି ବି ବ୍ୟାଟ୍‌ସମ୍ୟାନ୍‌ ଖାତା ଖୋଲିବାକୁ ସମର୍ଥ ହୋଇନଥିଲା ବେଳେ ୧୨୬ ବର୍ଷର ହାରିସ୍‌ ସିଲ୍‌ଡ ପ୍ରତିଯୋଗିତା ଇତିହାସରେ ଏହା ସର୍ବବୃହତ୍‌ ବ୍ୟବଧାନର ପରାଜୟ ମଧ୍ୟ ଥିଲା।

ଏହି ୪୫ ଓଭର ବିଶିଷ୍ଟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଏସ୍‌ଭିଆଇଏସ୍‌ ଦଳ ୩୯ ଓଭରରେ ୪ ୱିକେଟ୍‌ ବିନିମୟରେ ୭୬୧ ରନ୍‌ କରିଥିଲା। ସେଥିରେ ମିତ୍‌ ମାୟେକରଙ୍କ ଅପରାଜିତ ୩୩୮ ରନ୍‌ ଉଲ୍ଲେଖନୀୟ ଥିଲା। ମିତ୍‌ ତାଙ୍କ ମାରାଥନ୍‌ ପାଳିରେ ୫୬ ଚୌକା ଓ ୭ ଛକା ମାରିଥିଲେ। ଦଳର ୭୬୧ ରନ୍‌ ମଧ୍ୟରେ ୫୭ ଅତିରିକ୍ତ ଥିଲା ବେଳେ ପ୍ରତିପକ୍ଷ ଦଳ ନିର୍ଧାରିତ ସମୟ ମଧ୍ୟରେ ୪୫ ଓଭର ବୋଲିଂ ପୂର୍ଣ୍ଣ କରିପାରିନଥିବାରୁ ପେନାଲ୍‌ଟି ଭାବେ ଏସ୍‌ଭିଆଇଏସ୍‌ ଦଳକୁ ୧୫୬ ରନ୍‌ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ, ଏବର ଭାରତୀୟ ଦଳର ସୁପରଷ୍ଟାର ରୋହିତ ଶର୍ମା ଏକଦା ସ୍ବାମୀ ବିବେକାନନ୍ଦ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍ ଦଳରୁ ପ୍ରତିନିଧିତ୍ବ କରିଥିଲେ।

ସମ୍ବନ୍ଧିତ ଖବର