ସର୍ବଭାରତୀୟ ଡାକ ଚେସ୍‌ ପ୍ରତିଯୋଗିତା ଆରମ୍ଭ

ପୁରୀ: ସ୍ଥାନୀୟ ହଲିଡେ ରିସର୍ଟ ହୋଟେଲ ପରିସରରେ ସୋମବାର ୩୩ତମ ସର୍ବଭାରତୀୟ ଡାକ ଚେସ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଓଡ଼ିଶା ଡାକ ପରିମଣ୍ଡଳ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ୧୭ଟି ଡାକ ପରିମଣ୍ଡଳରୁ ୧୧୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଉଭୟ ଦଳଗତ ଏବଂ ବ୍ୟକ୍ତିଗତ ବିଭାଗରେ ୬ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅନେକ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ଖେଳାଳି ସାମିଲ ହୋଇଛନ୍ତି। ଦଳଗତ ବିଭାଗରେ ତାମିଲନାଡ଼ୁ ଟପ୍‌ସିଡ୍‌ର ମାନ୍ୟତା ପାଇଥିବା ବେଳେ ରାଜସ୍ଥାନ ଏବଂ ଓଡ଼ିଶା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସିଡ୍‌ର ମାନ୍ୟତା ପାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଡାକ ବିଭାଗର ପରିଚାଳନା ସଦସ୍ୟା ଉମା ଚନ୍ଦ୍ରଶେଖର ଉଦ୍‌ଘାଟନ କରିଥିଲେ। ଓଡ଼ିଶାର ମୁଖ୍ୟ ମହାଡାକପାଳ ଡକ୍ଟର ସନ୍ତୋଷ କାମିଲା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଧାମାଧବ ଦାଶ, ବ୍ରହ୍ମପୁର ମହାଡାକପାଳ କର୍ଣ୍ଣେଲ ଜଳେଶ୍ୱର କହଁର, ସମ୍ବଲପୁର ମହାଡାକପାଳ ଲଲିତେନ୍ଦୁ ପ୍ରଧାନ, ଡାକଲେଖା ନିର୍ଦ୍ଦେଶକ ଲୋପାମୁଦ୍ରା ମହାନ୍ତି, ଡାକସେବା ମୁଖ୍ୟାଳୟର ନିର୍ଦ୍ଦେଶକ ଜି. ଗୁରୁନାଥନ ପ୍ରମୁଖ ଉପସ୍ଥିତ ଥିଲେ। ଖେଳାଳିଙ୍କ ପକ୍ଷରୁ ମନୋଜ ପାଣିଗ୍ରାହୀ ଶପଥ ଗ୍ରହଣ କରାଇଥିଲେ। ଏହି ଅବସରରେ ଚେସ୍‌ ଖେଳ ଉପରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଦଳଗତ ବିଭାଗରେ ଆଜି ତାମିଲନାଡ଼ୁ ଉତ୍ତର ପ୍ରଦେଶକୁ, ରାଜସ୍ଥାନ ଦିଲ୍ଲୀକୁ, ଓଡ଼ିଶା ମହାରାଷ୍ଟ୍ରକୁ, ବିହାର ଗୁଜୁରାଟକୁ, ଆନ୍ଧ୍ରପ୍ରଦେଶ ହିମାଚଳ ପ୍ରଦେଶକୁ ଏବଂ ତେଲେଙ୍ଗାନା ଛତିଶଗଡ଼କୁ ପରାସ୍ତ କରିଥିବା ବେଳେ କର୍ଣ୍ଣାଟକ-ପଶ୍ଚିମବଙ୍ଗ ଓ ଆସାମ-ମଧ୍ୟପ୍ରଦେଶ ମ୍ୟାଚ୍‌ ଡ୍ର ରହିଛି। ଆନ୍ତର୍ଜାତୀୟ ଆର୍ବିଟର ନିହାର ରଞ୍ଜନ ସାସମଲ ଏବଂ ତାପସ ମହାନ୍ତି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର