ଆଇପିଏଲ୍‌ରେ ଅଲ୍‌ଷ୍ଟାର୍‌ ମ୍ୟାଚ୍, ମାର୍ଚ ୨୯ରୁ ମେ ୨୪ ପର୍ଯ୍ୟନ୍ତ ଚାଲିବ

ବଦଳିବନି ରାତି ମ୍ୟାଚ୍ ସମୟ

ନୂଆଦିଲ୍ଲୀ: ଚଳିତ ବର୍ଷର ଆଇପିଏଲ୍‌ରେ ଅନେକଗୁଡ଼ିକ ନୂଆ କଥା ଦେଖିବାକୁ ମିଳିବ। ପ୍ରଥମ ଥର ଲାଗି ଏହି ଲୋକପ୍ରିୟ ଲିଗ୍ ଉଦଘାଟିତ ହେବାର ତିନି ଦିନ ପୂର୍ବରୁ ଏକ ଅଲଷ୍ଟାର ମ୍ୟାଚ୍ ଖେଳାଯିବ। ଏଥିରେ ସମସ୍ତ ୮ଟି ଯାକ ଦଳର ଖେଳାଳି ଅଂଶଗ୍ରହଣ କରିବେ। ଉତ୍ତର ଏବଂ ପୂର୍ବ ଭାରତର ଚାରିଟି ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବ, ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସର ଖେଳାଳି ଗୋଟିଏ ପଟେ ଏବଂ ଦକ୍ଷିଣ ପଶ୍ଚିମ ଭାରତର ଚାରିଟି ଦଳ ଚେନ୍ନାଇ ସୁପରକିଙ୍ଗ୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର, ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଖେଳାଳି ଅନ୍ୟପଟେ ରହିବେ। ଅଲଷ୍ଟାର ମ୍ୟାଚ୍ ପ୍ରସ୍ତାବ ବିସିସିଆଇର ନୂଆ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଦେଇଥିଲା ବେଳେ ଏହାକୁ ଆଇପିଏଲ୍ ମୁଖ୍ୟ ବ୍ରିଜେଶ ପଟେଲ ସମର୍ଥନ କରିଛନ୍ତି। ତେବେ ଆଇପିଏଲ୍‌-୨୦୨୦ର ଉଭୟ ଉଦ୍‌ଘାଟନୀ ଏବଂ ଉଦ୍‌ଯାପନୀ ମ୍ୟାଚ୍ ମୁମ୍ବାଇରେ ଅନୁଷ୍ଠିତ ହେବ। ନୂଆଦିଲ୍ଲୀଠାରେ ସୋମବାର ବସିଥିବା ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ମହିଳା ପ୍ରଦର୍ଶନୀ ପ୍ରତିଯୋଗିତାରେ ୪ ଦଳ
ନୋ’ ବଲ୍ ଅମ୍ପାୟାରଙ୍କୁ ମଞ୍ଜୁରି
ମସ୍ତିଷ୍କାଘାତ ପାଇଁ ବଦଳ ଖେଳାଳି ବ୍ୟବସ୍ଥା

ବୈଠକରେ ମଧ୍ୟ ଆହୁରି ଅନେକ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୨୦ ଆଇପିଏଲ୍‌ରେ ମାତ୍ର ପାଞ୍ଚ ଦିନ ଦିନ ଅପରାହ୍‌ଣ ଓ ରାତି ମ୍ୟାଚ୍ ଖେଳାଯିବ। ବୈଠକରେ ନିଆଯାଇଥିବା ଅନ୍ୟ ମହତ୍ବପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ହେଲା, ରାତି ମ୍ୟାଚ୍‌ର ସମୟରେ କୌଣସି ପରିବର୍ତନ କରାଯିବ ନାହିଁ। ପୂର୍ବବତ୍ ମ୍ୟାଚ୍ ଅପରାହ୍‌ଣ ୪ଟା ଓ ରାତି ୮ଟାରୁ ଆରମ୍ଭ ହେବ। ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ମହିଳା ପ୍ରଦର୍ଶନୀ ପ୍ରତିଯୋଗିତାରେ ଏଥର ଚାରିଟି ଦଳ ଖେଳିବେ। ପ୍ରଥମ ଋତୁରେ ସୁପରନୋଭାସ୍ ଓ ଟ୍ରେଲବ୍ଲେଜର୍ସ ନାମରେ ମାତ୍ର ଦୁଇଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଗତବର୍ଷ ଭେଲୋସିଟି ନାମରେ ଆଉ ଏକ ଦଳ ଖେଳିଥିଲା। ଚଳିତ ବର୍ଷ ଏକ ନୂଆ ଦଳକୁ ଏଥିରେ ସାମିଲ କରିବାର ବ୍ୟବସ୍ଥା କରାଯାଇଛି। ଏହି ଦଳଗୁଡ଼ିକ ମୋଟ ୭ ମ୍ୟାଚ୍ ଖେଳିବେ। ଆଇପିଏଲ୍ ପ୍ଲେ ଅଫ୍ ସହ ସମାନ୍ତରାଳ ଭାବେ ଏହା ଖେଳାଯିବ। ସେହିଭଳି ଚଳିତ ବର୍ଷ ଜଣେ ପଡ଼ିଆ ଭିତର ଅମ୍ପାୟାରଙ୍କୁ ନୋ’ ବଲ୍ ଡାକିବା ଦାୟିତ୍ବ ଦିଆଯିବ। ବିଗତ ଦିନଗୁଡ଼ିକରେ ନୋ’ ବଲ୍‌କୁ ନେଇ ଅଧିନାୟକମାନେ ଅସନ୍ତୋଷ ଜାହି କରି ଆସୁଥିବାକୁ ଆଖି ଆଗରେ ରଖି ପରିଚାଳନା ପରିଷଦ ଏଭଳି ନିଷ୍ପତ୍ତି ‌ନେଇଛି। ଚଳିତ ଥର ମଧ୍ୟ ମସ୍ତିଷ୍କ ଆଘାତ ଲାଗି ବଦଳ ଖେଳାଳି ବ୍ୟବସ୍ଥା ଲାଗୁ କରାଯିବ। ଅର୍ଥାତ୍ କୌଣସି ଖେଳାଳି ମସ୍ତିଷ୍କ ଆଘାତରେ ପଡ଼ିଆ ଛାଡ଼ି‌ଲେ, ତାଙ୍କ ବଦଳରେ ଅନ୍ୟ ଜଣେ ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳିବ। ଚଳିତ ବର୍ଷର ଆଇପିଏଲ୍ ମାର୍ଚ ୨୯ରୁ ଆରମ୍ଭ ହୋଇ ମେ ୨୪ ତାରିଖରେ ଶେଷ ହେବ।

ସମ୍ବନ୍ଧିତ ଖବର