ଆମେରିକା, ନେଦରଲାଣ୍ଡ୍‌କୁ ମିଳିଲାନି ବିଶ୍ୱକପ୍‌ ଟିକେଟ

ଜୁରିକ୍‌: ଆମେରିକା ଏବଂ ନେଦରଲାଣ୍ଡ୍‌ ରୁଷିଆରେ ହେବାକୁଥିବା ୨୦୧୮ ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି। ଅନ୍ୟପଟେ ଉରୁଗୁଏ, ଆର୍ଜେଣ୍ଟିନା, କଲମ୍ବିଆ, ପର୍ତୁଗାଲ ଏବଂ ଫ୍ରାନ୍ସ ମଙ୍ଗଳବାର ନିଜ ନିଜର ବିଶ୍ୱକପ୍‌ ଟିକେଟ୍‌ ପକ୍କା କରି ନେଇଛନ୍ତି। ପାନାମା ମଧ୍ୟ ବିଶ୍ୱକପ୍‌ ପଦାର୍ପଣ କରିବା ଲାଗି ଯୋଗ୍ୟତା ଅର୍ଜନ କରିନେଇଛି।
ଉତ୍ତର, ମଧ୍ୟ ଅମେରିକୀୟ ଏବଂ କାରବୀୟ ଦେଶ ସମୂହକୁ ନେଇ ଗଠିତ ଗ୍ରୁପ୍‌ରେ ମଙ୍ଗଳବାର ମ୍ୟାଚ୍‌ରେ ପାନାମା ୨-୧ ଗୋଲ୍‌ରେ କୋଷ୍ଟାରିକାକୁ ହରାଇ ତୃତୀୟରେ ରହି ଯୋଗ୍ୟତା ଅର୍ଜନ କରିଥିଲା। ତେବେ ଆମେରିକା ୧-୨ ଗୋଲ୍‌ରୁ ତ୍ରିନିଦାଦ୍‌ ଓ ଟୋବାଗୋ ହାରି ବିଶ୍ୱକପ୍‌ରୁ ବଞ୍ଚିତ ହୋଇଥିଲା। ପରାଜୟ ସହ ଆମେରିକା ୧୯୮୬ ପରେ ପ୍ରଥମ ଥର ଲାଗି ଏହି ବୃହତ ପ୍ରତିଯୋଗିତା ଖେଳିବା ଲାଗି ଟିକେଟ୍‌ ହାସଲ କରିପାରି ନାହିଁ। ଏହି ଗ୍ରୁପ୍‌ର ବିଜେତା ମେକ୍ସିକୋକୁ ୨-୩ ଗୋଲ୍‌ରେ ହଣ୍ଡୁରାସ ହରାଇ ଚତୁର୍ଥ ସ୍ଥାନରେ ରହି ପରବର୍ତୀ ପର୍ଯ୍ୟାୟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ପୂର୍ବରୁ ମେକ୍ସିକୋ ଏବଂ କୋଷ୍ଟାରିକା ବିଶ୍ୱକପ୍‌ ଟିକେଟ୍‌ ହାସଲ କରି ନେଇଥିଲେ।
ଦକ୍ଷିଣ ଆମେରିକୀୟ ଗ୍ରୁପ୍‌ରେ ବ୍ରାଜିଲ ପୂର୍ବରୁ ଟିକେଟ୍‌ ହାସଲ କରି ସାରିଥିଲା ବେଳେ ଉରୁଗୁଏ, ଆର୍ଜେଣ୍ଟିନା ଏବଂ କଲମ୍ବିଆ ମଙ୍ଗଳବାର ଯୋଗ୍ୟତା ଅର୍ଜନ କରିନେଇଛନ୍ତି। ଲିଓନେଲ୍‌ ମେସି (୧୧, ୧୮, ୬୨ ମିନିଟ୍‌)ଙ୍କ ହ୍ୟାଟ୍ରିକ୍‌ ବଳରେ ଆର୍ଜେଣ୍ଟିନା ୩-୧ ଗୋଲ୍‌ରେ ଏକ୍ୱେଡରକୁ ହରାଇ ଗ୍ରୁପ୍‌ର ତୃତୀୟ ସ୍ଥାନରେ ରହି ରୁଷିଆ ଟିକେଟ୍‌ ହାସଲ କରିଥିଲା। ସେହିଭଳି ଉରୁଗୁଏ ୪-୨ ଗୋଲ୍‌ରେ ବଲିଭିଆକୁ ପରାସ୍ତ କରି ଦ୍ୱିତୀୟରେ ରହି ବିଶ୍ୱକପ୍‌ ଖେଳିବା ପକ୍କା କରିଥିଲା। ଅନ୍ୟଏକ ମୁକାବିଲାରେ କଲମ୍ବିଆ ୧-୧ ଗୋଲ୍‌ରେ ପେରୁ ସହ ମ୍ୟାଚ୍‌ ଅମୀମାଂସିତ ରଖି ମଧ୍ୟ ଯୋଗ୍ୟତା ଅର୍ଜନ କରି ନେଇଛିା।
ୟୁରୋପୀୟ ଦେଶ (ୟୁଫା)ରୁ ଫ୍ରାନ୍ସ ଏବଂ ପର୍ତୁଗାଲ ବିଶ୍ୱକପ୍‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲା ବେଳେ ନେଦରଲାଣ୍ଡ ଏଥିରେ ବିଫଳ ହୋଇଛି। ୟୁଫା ଗ୍ରୁପ୍‌-ଏରେ ଫ୍ରାନ୍ସ ୨-୧ ଗୋଲ୍‌ରେ ବେଲାରୁଷକୁ ହରାଇ ଶୀର୍ଷରେ ରହିଥିଲା। ଏହି ଗ୍ରୁପ୍‌ରେ ନେଦରଲାଣ୍ଡ୍‌ ୨-୦ ଗୋଲ୍‌ରେ ସ୍ୱିଡେନ୍‌କୁ ହରାଇଥିଲେ ମଧ୍ୟ ତୃତୀୟ ସ୍ଥାନରେ ରହିଥିଲା। ସ୍ୱିଡେନ୍‌ ଦ୍ୱିତୀୟ ରହି ପରବର୍ତୀ ପର୍ଯ୍ୟାୟ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲା। ଗ୍ରୁପ୍‌-ବି’ରେ ପର୍ତୁଗାଲ୍‌ ୨-୧ ଗୋଲ୍‌ରେ ସ୍ୱିଜରଲାଣ୍ଡକୁ ହରାଇ ଶୀର୍ଷରେ ରହିବା ସହ ବିଶ୍ୱକପ୍‌ରେ ସ୍ଥାନ ସୁରକ୍ଷିତ କରିଥିଲା।

ରୋବେନ୍‌ଙ୍କ ଅବସର
ଅମଷ୍ଟରଡାମ: ନେଦରଲାଣ୍ଡ ଅଧିନାୟକ ଅରେନ୍‌ ରବିନ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ନେଇଛନ୍ତି। ମଙ୍ଗଳବାର ତାଙ୍କ ଦଳ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହେବା ପରେ ସେ ଏହି ଘୋଷଣା କରିଥିଲେ। ବିଶ୍ୱକପ୍‌ ଟିକେଟ ଲାଗି ନେଦରଲାଣ୍ଡକୁ ଯୋଗ୍ୟତା ପର୍ଯ୍ୟାୟର ଶେଷ ମୁକାବିଲାରେ ୭-୦ ଗୋଲ୍‌ ଜିତିବର ଦରକାର ଥିଲା। ହେଲେ ଏହି ଦଳ ୨-୧ ଗୋଲ୍‌ରେ ସ୍ୱିଡେନ୍‌କୁ ହରାଇଥିଲା। ଫଳରେ ଦୁଃଖଦ ବିଦାୟ ନେଇଥିଲା। ନେଦରଲାଣ୍ଡକୁ ୨୦୧୦ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚାଇଥିବା ରବିନ୍‌ ୯୬ ମ୍ୟାଚ୍‌ରୁ ୩୭ ଅନ୍ତର୍ଜାତୀୟ ଗୋଲ୍‌ ଦେଇସାରିଛନ୍ତି। ୨୦୧୪ରେ ରବିନ୍‌ଙ୍କ ଦଳ ସେମିଫାଇନାଲ୍‌ରେ ପହଞ୍ଚିଥିଲା। ତେବେ ଆର୍ଜେଣ୍ଟିନାଠୁ ହାରି ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଥିଲା। ୧୪ ବର୍ଷର ଏହି କ୍ରୀଡ଼ା ଜୀବନ ଅତି ଚମତ୍କାର ଥିଲା। ୨୦୧୦ ଏବଂ ୨୦୧୪ ବିଶ୍ୱକପ୍‌ ସର୍ବଦା ସ୍ମରଣୀୟ ରହିବ ବୋଲି ୨୦୦୩ରେ ପର୍ତୁଗାଲ ବିପକ୍ଷରୁ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଆରମ୍ଭ କରିଥିବା ଏହି ୩୩ ବର୍ଷୀୟ ଡଚ୍‌ ତାରକା କହିଛନ୍ତି।

ସମ୍ବନ୍ଧିତ ଖବର