ବିଶ୍ବକପ୍ ଗୋଲ୍‌ ତାଲିକାରେ ଅମିତ

ଭାରତ ସିଧା କ୍ବାର୍ଟରରେ, କ୍ରସ୍‌ ଓଭର ଖେଳିବେ କାନାଡା, ବେଲ୍‌ଜିୟମ୍‌

ଭୁବନେଶ୍ବର: ଭାରତ ପୁରୁଷ ହକି ବିଶ୍ବକପର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ଶନିବାର ୫-୧ ଗୋଲ୍‌ରେ କନାଡାକୁ ପରାସ୍ତ କରି ୧୩ ତାରିଖର କ୍ବାର୍ଟର ଫାଇନାଲ୍ ଲଢ଼େଇ ଲାଗି ଟିକେଟ ହାସଲ କରିନେଇଛି। ଓଡ଼ିଆ ତାରକା ଅମିତ ରୋହି ଦାସ ମଧ୍ୟ ଆଜି ବିଶ୍ବକପ୍ ଗୋଲ୍ ତାଲିକାବରେ ନିଜ ନାମ ଲିପିବଦ୍ଧ କରି ନେଇଛନ୍ତି। ଦିଲୀପ, ଇଗ୍ନେସ ତିର୍କିଙ୍କ ପରେ ବିଶ୍ବକପ୍‌ରେ ଗୋଲ୍ କରି ଅମିତ ଓଡ଼ିଆ ଛାପ ଛାଡ଼ିଛନ୍ତି। ସେପଟେ ପୁଲ-ସିର ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହି ବେଲଜିୟମ, କାନାଡା କ୍ରସଓଭର ଖେଳିବାକୁ ଯୋଗ୍ୟତା ଅଜର୍ନ କରିଛନ୍ତି। ପୁଲ-ସିରୁ ଶେଷ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକପରୁ ବିଦାୟ ନେଇଛି। ଶନିବାର ଭାରତ କଳିଙ୍ଗ ହକି କଂପ୍ଲେକ୍ସକୁ ଓହ୍ଲାଇବା ‌ବେଳକୁ ଆଶା ମୁତାବକ ଗୋଲ୍ ବ୍ୟବଧାନର ଚାପରେ ରହି ନ ଥିଲା। କିନ୍ତୁ ଚାପ ଥିଲା ନିଶ୍ଚିତ ବିଜୟର। କାରଣ ଶନିବାରର ପୂର୍ବ ମ୍ୟାଚ୍‌ରେ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ବେଲଜିୟମ୍ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଥିଲା। ଭାରତକୁ ଆଉ ଗୋଲ୍‌ ବ୍ୟବଧାନ ନୁହେଁ ଏକ ସାଧାରଣ ବିଜୟର ଆବଶ୍ୟକତା ପଡ଼ିଥିଲା। ପୂର୍ବରୁ ଭାରତ +୫ ଗୋଲ୍‌ ବ୍ୟବଧାନର ଫାଇଦାରେ ଥିଲା। ଯାହାକୁ ବେଲଜିୟମ୍ କାଟି ପାରିନଥିଲା। ଭାରତ ଏବଂ ବେଲଜିୟମ୍ ନିଜ ନିଜ ମ୍ୟାଚ୍ ଜିତିବା ସହିତ ପୁ୍ଲ୍‌ ‘ସି’ରେ ସମାନ ୭ ପଏଣ୍ଟ୍‌ରେ ରହିଥିଲେ। ଭାରତ (+୯) କିନ୍ତୁ ଗୋଲ୍‌ ବ୍ୟବଧାନରେ ବେଲଜିୟମ୍‌ (+୪)କୁ ମାତ ଦେଇଥିଲା। ଭାରତ ଶୀର୍ଷରେ ରହି ସିଧାସଳଖ କ୍ବାର୍ଟରଫାଇନାଲ ପହଞ୍ଚିଗଲା। ବେଲଜିୟମ୍ ଦ୍ବିତୀୟ ଏବଂ ଦୁଇଟି ପରାଜୟ ସତ୍ତ୍ବେ କାନାଡ଼ା ଗୋଟିଏ ଅମୀମାଂସିତ ବଳରେ କ୍ରସ୍ ଓଭର ଯୋଗ୍ୟତା ଅର୍ଜନ କରି ନେଇଥିଲେ। ଆଫ୍ରିକୀୟ ବିଜେତା ଦକ୍ଷିଣ ଆଫ୍ରିକା କିନ୍ତୁ ସେହି ଗୋଟିଏ ଅମୀମାଂସିତ ସହ ବିଦାୟ ନେବାକୁ ବାଧ୍ୟ ହେଲା।

ଭାରତ ଶନିବାର ମ୍ୟାଚ୍ ପ୍ରାରମ୍ଭରୁ ହିଁ ଗୋଲ୍ ପ୍ରୟାସରେ ଯାଇଥିଲା। ପ୍ରଥମ ମିନିଟରେ ଅଧିନାୟକ ମନପ୍ରୀତ୍ ସିଂହ କାନାଡ଼ା ବଳୟରେ ଚଢ଼ାଉ କରିଥିଲେ। କିନ୍ତୁ ଦଶମ ମିନିଟରେ ଦଳକୁ ମିଳିଥିବା ପେନାଲଟି କର୍ନରକୁ ମନପ୍ରୀତ୍ ପୁସ୍ ଏବଂ ବୀରେନ୍ଦ୍ର ଲାକ୍ରା ହିଟ୍‌ କରିଥି‌ଲେ ମଧ୍ୟ ଗୋଲ୍‌ ହୋଇପାରିନଥିଲା। ଦୁଇ ମିନିଟ୍‌ ପରେ ଭାରତକୁ ମିଳିଥିବା ଦ୍ବିତୀୟ ପେନାଲଟି କର୍ନରରୁ ପ୍ରଥମ ଗୋଲ୍‌ ମିଳିଥିଲା। ମନପ୍ରୀତ୍ ପୁସ୍ ଏବଂ ସୁମିତ୍ ଷ୍ଟପ୍‌ରୁ ହରମନପ୍ରୀତ୍ ସିଂହ ସିଧାସଳଖ ଗୋଲ୍‌ ଦେଇଥିଲେ। ପରେ ଭାରତକୁ ଉପ ଅଧିନାୟକ ଚିଙ୍ଗଲସାନା ଦେଇଥିବା ତୃତୀୟ ପେନାଲଟି କର୍ନରକୁ ଆକାଶଦୀପ ବେକାର କରିଥିଲେ। ପ୍ରଥମ କ୍ବାର୍ଟର ଭାରତ ସପକ୍ଷରେ (୧-୦) ରହିଥିଲା। ଦ୍ବିତୀୟ କ୍ବାର୍ଟର ଅପେକ୍ଷାକୃତ ମାନ୍ଦା ହକି ଦେଖାଇଥିଲା। ଗୋଟିଏ ବି‌ ପେନାଲଟି କର୍ନର ମିଳିନଥିଲା। ଆଶ୍ଚର୍ଯ୍ୟଜନକ ଭାବେ ବଲ୍ ନିୟନ୍ତ୍ରଣରେ ବି କାନାଡ଼ା (୫୩-୪୭) ଆଗୁଆ ରହିଥିଲା।

ତୃତୀୟ କ୍ବାର୍ଟରରେ ବି ଭାରତ ଖରାପ ଖେଳିଥିଲା ଏବଂ ୩୯ତମ ମିନିଟରେ ଭାରତର ମୁକୁଳା ରକ୍ଷଣଭାଗର ଫାଇଦା ନେଇ ଫ୍ଲୋରିସ୍ ଭାନ୍ ସନ୍ ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲେ। ଭାରତ ଉପରେ ଚାପ ପଡ଼ିଥିଲା। ୪୫ତମ ମିନିଟରେ ବି ମନଦୀପଙ୍କ କ୍ରସ୍ ଅଳ୍ପକେ ଗୋଲ୍‌ରୁ ବଞ୍ଚିତ ରଖିଥିଲା। ଚତୁର୍ଥ କ୍ବାର୍ଟରକୁ କିନ୍ତୁ ହରେନ୍ଦ୍ର ସିଂହଙ୍କ ଦଳ ଭିନ୍ନ ରଣନୀତି ଏବଂ ଆକ୍ରାମକ ରଣକୌଶଳରେ ଆସିଥିଲା। ପ୍ରଥମ ଦୁଇ ମିନିଟରେ ୨ ଗୋଲ୍‌ ‌େଦ‌ଇ ସବୁକିଛି ଓଲଟପାଲଟ୍ କରି ଦେଇଥିଲା। ଭାଗ୍ୟରେ ବଡ଼ ପରିବର୍ତନ ଘଟିଥିଲା ନାଟକୀୟ ଗୋଲ୍ ଦୁଇଟି ସହିତ। ୪୬ ତମ ମିନିଟରେ ଉପ ଅଧିନାୟକ ଚିଙ୍ଗଲାସନା କଙ୍ଗୁଜମ ଏବଂ ୪୭ତମ ମିନିଟରେ ଲଳିତ ଉପାଧ୍ୟାୟଙ୍କ ଗୋଲ୍‌ କଳିଙ୍ଗ କମ୍ପନ୍ ବଢ଼ାଇ ଦେଇଥିଲା। ସିମରନପ୍ରୀତଙ୍କ ପାସରୁ ଲଳିତ ଗୋଲ୍ ଦେବା ପରେ ଚିଙ୍ଗଲସାନା ଏହାକୁ ୩-୧ରେ ପରିଣତ କରି ଦେଇଥିଲେ। ଏହା ପରେ ଚତୁର୍ଥ ପେନାଲଟି କର୍ନର ଅର୍ଜନରେ ଲଳିତଙ୍କ ବଡ଼ ଯୋଗଦାନ ରହିଥିଲା। ଓଡ଼ିଆ ପୁଅ ଅମିତ ରୋହିଦାସ ନିଜର ପ୍ରଥମ ବିଶ୍ବକପ୍‌ରେ ଗୋଲ୍‌ ଦେବାର ଅବସର ପାଇଥିଲେ। ମନପ୍ରୀତଙ୍କ ପୁସ୍‌ରୁ ଆସିଥିବା ବଲ୍‌କୁ ଚିଙ୍ଗଲସାନା ରୋକିବା ପରେ ଅମିତଙ୍କ ଶକ୍ତିଶାଳୀ ହିଟ୍ କାନାଡ଼ା ଡିଫେଣ୍ଡର ଏବଂ ଗୋଲରକ୍ଷକ ଆଣ୍ଟୋନି କିଣ୍ଡଲରଙ୍କୁ ଚକିତ କରି ଦେଇଥିଲା। ଭାରତ ୪-୧ରେ ଆଗୁଆ ହୋଇଯିବା ପରେ ବିଜୟ ସୁନିଶ୍ଚିତ ‌‌ହୋଇଥିଲା। ତଥାପି ଲଳିତ ଉପାଧ୍ୟାୟ ୫୭ତମ ମିନିଟରେ ବ୍ୟକ୍ତିଗତ ଦ୍ବିତୀୟ ଫିଲଡ୍‌‌ ଗୋଲ୍‌ ଦେଇ ଚମତ୍କୃତ କରି ଦେଇଥିଲେ। ଭାରତ ଅପ୍ରତ୍ୟାଶିତ ଭାବେ ୫-୧ରେ ମ୍ୟାଚ୍ ଜିତି ଗୋଟିଏ ଗୁଳିରେ ଦୁଇଟି ଶିକାର କରି ଦେଇଥିଲା। ଲଳିତଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ଇଣ୍ଡିଆ ଟୁଡେର ଅନ୍ୟତମ ନିର୍ଦେଶକ ରାଜ ଚିଙ୍ଗାପ୍ପା। ପୂର୍ବରୁ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଏହି ମ୍ୟାଚ୍‌କୁ ‌ଖେଳାଳିଙ୍କ କରମର୍ଦନରେ ଶୁଭାରମ୍ଭ କରିଥିଲେ।

ପୂର୍ବରୁ ଅନୁଷ୍ଠିତ ପୁଲ୍ ‘ସି’ର ପ୍ରଥମ ମ୍ୟାଚ୍‌ରେ ବେଲଜିୟମ ମଧ୍ୟ ସମାନ ୫-୧ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକପ୍‌ର ଦ୍ରୁତତମ ଗୋଲ୍‌ ଦେଇଥିଲା। ମାତ୍ର ୩୬ତମ ସ‌େକେଣ୍ଡ୍‌ରେ ଦଳ ପାଇଁ ନିକୋଲାସ୍ ସ୍ପୁନର ଏହି ଗୋଲ୍ ଦେଇଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଖୁସୀ ଏତିକ‌ିରେ ସୀମିତ ରହିଥିଲା। ବେଲଜିୟମ୍ ପାଇଁ ଆଲେକଜାଣ୍ଡର୍ ହେଣ୍ଡ୍ରିକ୍ସ (୧୪ ଏବଂ ୨୨ ମିନିଟ) ଦୁଇଟି ଗୋଲ୍‌ ଦେବା ପରେ ସାଇମନ୍ ଗୁଗନାର୍ଡ (୧୮ ମିନିଟ), ଲୁଇକ୍ ଲୁଇପାର୍ଟ (୩୦+ ମିନିଟ), ସେଡ୍ରିକ୍ ଚାର୍ଲିୟର (୪୮ତମ ମିନିଟ) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ମ୍ୟାଚକୁ ଏକତରଫା ଏବଂ ଦଳର ଯୋଗ୍ୟତାକୁ ନିଶ୍ଚିତ କରି ଦେଇଥିଲେ। ମ୍ୟାଚ୍ ପ୍ରାରମ୍ଭରେ ଅଲିମ୍ପିଆନ୍ ବାସ୍କେଟବଲର୍ ଡିପି ଈରାନୀ ଅତିଥି ଥିଲେ। କିନ୍ତୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ସାଇମନ୍ ଗୁଗନାର୍ଡଙ୍କୁ କିଟ୍‌ ଓ କିସ୍ ପ୍ରତିଷ୍ଠାତା ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପୁରସ୍କାର ପ୍ରଦାନ କରିଥିଲେ। ଭାରତର ଏହି ଚିତ୍ତାକର୍ଷକ ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳକୁ ଅଭିନନ୍ଦନ ଜଣାଇଥିଲେ।

ଏବେ ଅସଲ ବିଶ୍ବକପ୍ ଆରମ୍ଭ ହେବ: ହରେନ୍ଦ୍ର
ଭାରତୀୟ ହକି ଦଳର ସ୍ମରଣୀୟ ବିଜୟରେ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଖୁସୀ ହେଲେ ମଧ୍ୟ ବିଶେଷ ଉଲ୍ଳସିତ ନୁହଁନ୍ତି। ଏବେ ଅସଲ ବିଶ୍ବକପ୍ ଆରମ୍ଭ ହେବ। ଏଇ ମାତ୍ର ୪ ଦେଶୀୟ ପୁଲର୍ ବିଶ୍ବକପ୍ ଶେଷ ହେଲା। କ୍ବାର୍ଟରଫାଇନାଲ୍‌ଠାରୁ ବାସ୍ତବ ଲଢ଼େଇ ଖେଳାଯିବ ବୋଲି କହିଛନ୍ତି ଦୁଇ ବର୍ଷ ତଳେ ତାଙ୍କ ପ୍ରଶିକ୍ଷଣରେ କନିଷ୍ଠ ହକି ବିଶ୍ବକପ୍ ଜିତିଥିବା ହରେନ୍ଦ୍ର। କ୍ବାର୍ଟରଫାଇନାଲ୍ ଠାରୁ ଆମେ ନୂଆ ଆରମ୍ଭ କରିବୁ। ବେଲଜିୟମ୍ ବିପକ୍ଷ ଭୁଲରୁ ଭାରତୀୟ ଖେଳାଳି ଢ଼େର ଶିଖିଛନ୍ତି। ସେମାନେ ବି ଭଲ ଭାବେ ଜାଣିଛନ୍ତି ମୋ ମାନସିକତା ଏବଂ ଏହାର ପରଣତି। ଦଳର ଖେଳାଳିମାନଙ୍କୁ ବି ପ୍ରଶଂସା କରିବାକୁ ଭୁଲି ନ ଥିଲେ ହରେନ୍ଦ୍ର। ଆମେ ୬ଟିରୁ ୨ଟି ପେନାଲଟି କର୍ନର ରୂପାନ୍ତର କରିଥିଲେ ବି କିଛି ସାମାନ୍ୟ ଭୁଲ କରିଛୁ। ଅଧିନାୟକ ମନପ୍ରୀତ୍ ସିଂହ ଥଣ୍ଡା ଜ୍ବର ଭିତରେ ଖେଳିଥିଲେ ଏବଂ ଲଳିତ ଉପାଧ୍ୟାୟ ମଧ୍ୟକ୍ରମକୁ ଭଲ ସମ୍ଭାଳିଥିଲେ। ମନପ୍ରୀତ୍ ପୂରା ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ଜାଣିଥିଲୁ, ମଧ୍ୟକ୍ରମରେ ଜଣଙ୍କ ଅଭାବ ଥିଲା ଏବଂ ସେଥି ପାଇଁ ଲଳିତଙ୍କ ଭୂମିକା ବଦଳିଥିଲା ବୋଲି ହରେନ୍ଦ୍ର କହିଥିଲେ। ଶେଷ ୩ ମିନିଟରେ ଶ୍ରୀ‌ଜେଶଙ୍କୁ ଗୋଲରୁ ହଟାଇବା ସମ୍ପର୍କରେ ଆମର ଢ଼େର ଆଗରୁ ନିଷ୍ପତ୍ତି ହୋଇଥିଲା ବୋଲି ମଧ୍ୟ ସେ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର