ପିଟରସନ୍‌ ଦେବେ ପଟୌଦି ବକ୍ତୃତା

ପୁଣି ପ୍ରଶ୍ନ ଉଠାଇଲେ ଅମିତାଭ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମନସୁର ଅଲ୍ଲୀ ଖାନ୍‌ ପଟୌଦିଙ୍କ ସମ୍ମାନାର୍ଥେ ବିସିସିଆଇ ପ୍ରତିବର୍ଷ ଆୟୋଜନ କରି ଆସୁଥିବା ‘ପଟୌଦି ସ୍ମାରକୀ ବକ୍ତବ୍ୟ’ର ଏଥର ମୁଖ୍ୟ ବକ୍ତା ହେବେ ପୂର୍ବତନ ଇଂଲଣ୍ଡ କ୍ରିକେଟର୍‌ କେଭିନ୍‌ ପିଟରସନ୍‌। ଆସନ୍ତା ଜୁନ୍‌ ୧୨ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ଉତ୍ସବରେ ପିଟରସନ୍‌ ମୁଖ୍ୟ ବକ୍ତା ଭାବେ ଏହି ସୁଯୋଗ ପାଇଛନ୍ତିି। ଶୁକ୍ରବାର ଏଥିପାଇଁ ପିଟରସନ୍‌ଙ୍କ ନାମ ବଛାଯାଇଛି ଏବଂ ବକ୍ତବ୍ୟ ରଖିବାକୁ ବିସିସିଆଇ ତାଙ୍କୁ ଆମନ୍ତ୍ରଣ ଜଣାଇଛି। ଫଳରେ ପ୍ରଥମ ଅଣଭାରତୀୟ କ୍ରିକେଟର୍‌ ଭାବେ ପିଟରସନ୍‌ ଏଭଳି ସୁଯୋଗ ଲାଭ କରିଛନ୍ତି। ଏହା ପୂର୍ବରୁ ସୁନିଲ ଗାଭାସ୍କର, ଅନିଲ କୁମ୍ବଲେ, ଭିଭିଏସ୍‌ ଲକ୍ଷ୍ମଣ, ରାହୁଲ୍‌ ଦ୍ରାବିଡ୍‌ ଓ ଫାରୁକ୍‌ ଇଞ୍ଜିନିୟର ଏହି ବକ୍ତବ୍ୟ ପ୍ରଦାନ କରିବାରୁ ସୁଯୋଗ ପାଇଥିଲେ। ହେଲେ ଏଥର ମୁଖ୍ୟ ବକ୍ତା ଚୟନକୁ ନେଇ ବିବାଦ ଥମିବାରେ ନାଁ ଧରୁନି। ପୂର୍ବରୁ ଏଥିପାଇଁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ, କେଭିନ ପିଟରସନ୍‌ ଏବଂ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କ ମଧ୍ୟରୁ ଜଣକୁ ବାଛିବାକୁ ବିସିସିଆଇର କ୍ରିକେଟ୍‌ ମହାପ୍ରବନ୍ଧକ ସବା କରିମ ପ୍ରସ୍ତାବ ଦେଇଥିଲା ବେଳେ ତାହାକୁ ବିସିସିଆଇ କାର୍ଯ୍ୟନିର୍ବାହୀ ସଂପାଦକ ଅମିତାଭ ଚୌଧୁରୀ ବିରୋଧ କରିଥିଲେ। ଏହାକୁ ନେଇ ଟଣାଓଟରା ଲାଗିଥିଲା। ହେଲେ ଶୁକ୍ରବାର କେଭିନ୍‌ ପିଟରସନ୍‌ ବକ୍ତବ୍ୟ ଦେବାଲାଗି ମନୋନୀତ ହେବା ପରେ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ନିଯୁକ୍ତ ସିଓଏ (ପ୍ରଶାସନିକ ସମିତି) ଏବଂ ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) କର୍ମକର୍ତାଙ୍କ ମଧ୍ୟରେ ପୁନର୍ବାର ଭିଡ଼ାଭିଡ଼ି ଲାଗିଯାଇଛି। କୁମାର ସାଙ୍ଗାକାରା ଏହି ଦୌଡ଼ରେ ଆଗରେ ରହିଥିଲେ ମଧ୍ୟ ସେ ଉପସ୍ଥିତ ହୋଇପାରିବେନି ବୋଲି କହିବାରୁ ପିଟରସନ୍‌ଙ୍କୁ ମନୋନୀତ କରାଯାଇଛି। ହେଲେ ପଟୌଦି ସ୍ମାରକୀ ବକ୍ତବ୍ୟ ପାଇଁ ଜଣେ ବିଦେଶୀଙ୍କୁ ବାଛିଲା ବେଳେ ବିସିସିଆଇର ତିନି କର୍ମକର୍ତାଙ୍କୁ ଅନ୍ଧାରରେ ରଖାଯାଇଥିଲା ବେଳେ କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀ ଅଭିଯୋଗ ବାଢ଼ିଛନ୍ତି। ପିଟରସନ୍‌ଙ୍କ ମନୋନୟନ ନେଇ ବିସିସିଆଇ କର୍ମକର୍ତାମାନେ ଅସନ୍ତୁଷ୍ଟ ବୋଲି ଚୌଧୁରୀ କହିଛନ୍ତି। ଚୌଧୁରୀଙ୍କ କହିବା କଥା ହେଲା, ଗତ ୮ ତାରିଖରେ ବାଙ୍ଗାଲୋରରେ ଏହି ପ୍ରସଙ୍ଗ ନେଇ ମୋ ସହିତ ସାବା କରିମ୍‌ ଆଲୋଚନା କରିଥିଲେ। ସେତେବେଳେ ମୁଁ ବିଗତ ଦିନର ୪ କ୍ରିକେଟର୍‌ ନରି କଣ୍ଟ୍ରାକ୍ଟର, ଚନ୍ଦୁ ବୋର୍ଡେ, ଏରାପଲ୍ଲୀ ପ୍ରସନ୍ନା ଏବଂ ଆବାସ ଅଲ୍ଲୀ ବେଗ୍‌ଙ୍କ ନାମ ପ୍ରସ୍ତାବ ଦେଇଥିଲି। ଏହି କ୍ରିକେଟର୍‌ମାନେ ବିଶେଷକରି ପଟୌଦିଙ୍କ ସହ ଖେଳିଥିଲେ। ଯଦି ସେମାନଙ୍କ ମଧ୍ୟରୁ କେହି ଜଣେ ବି ରାଜି ହୁଅନ୍ତି, ତେବେ ତାଙ୍କୁ ବକ୍ତବ୍ୟ ରଖିବାରୁ ସୁଯୋଗ ଦେବା ପାଇଁ ମୁଁ ପତ୍ର ଜରିଆରେ ଜଣାଇଥିଲି ବୋଲି ଚୌଧୁରୀ କହିଛନ୍ତି। ହେଲେ ଯେତେବେଳେ ପ୍ରସ୍ତାବ ଆସିଲା ଦୁଭାଗ୍ୟବଶତଃ ଏହି ୪ ଜଣଙ୍କ ମଧ୍ୟରୁ କାହାରି ବି ନାମ ସ୍ଥାନିତ ହୋଇନଥିଲା। ଏପରିକି ଏହି ୪ ଜଣ ନହେଲେ ବି କିମ୍ବଦନ୍ତୀ କ୍ରିକେଟର୍‌ ସୁନିଲ ଗାଭାସ୍କରଙ୍କୁ କାହିଁକି ମଧ୍ୟ ବକ୍ତବ୍ୟ ପ୍ରଦାନ ପାଇଁ ବଛାନଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ପୁଣି କେଉଁ ଭିତ୍ତିରେ ସିଧାସଳଖ ପିଟରସନ୍‌ଙ୍କ ପାଖକୁ ଲମ୍ପମାରିଲେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଅଭିଯୋଗ ଉଠିଛି। ବରଂ ଆମକୁ ଅନ୍ଧାରରେ ରଖି ଜଣେ ବିଦେଶୀ ଖେଳାଳିଙ୍କୁ ବକ୍ତବ୍ୟ ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା ବୋଲି ଚୌଧୁରୀ ଅଭିଯୋଗ ଆଣିଛନ୍ତି। ଏନେଇ ଅମିତାଭ୍‌ ମଧ୍ୟ କରିମ୍‌ଙ୍କୁ ସମାଲୋଚନା କରିଛନ୍ତି। ଏହାକୁ ନେଇ ଏବେ ପୁଣି ଥରେ ସିଓଏ ଏବଂ ବିସିସିଆଇ ମଧ୍ୟରେ ଟଣାଓଟଣା ଲାଗିଯାଇଛି।

ସମ୍ବନ୍ଧିତ ଖବର