ବିଶ୍ୱ ର‍୍ୟାପିଡ୍‌ ଟ୍ରଫି ଜିତିଲେ ଆନନ୍ଦ

ରିୟାଦ: ଅପ୍ରତ୍ୟାଶିତ ଭାବେ ଶେଷ ରାଉଣ୍ଡ୍‌ରେ ନାଟକୀୟ ଫଳାଫଳ ମିଳିବାରୁ ଭାରତୀୟ ଗ୍ରାଣ୍ଡମାଷ୍ଟର୍‌ ବିଶ୍ୱନାଥନ୍‌ ଆନନ୍ଦ ବିଶ୍ୱ ର‍୍ୟାପିଡ୍‌ ମୁକୁଟ ଜିତିଛନ୍ତି। ଭ୍ଲାଦିମିର୍‌ ଦ୍ୱିତୀୟ ଏବଂ ଅନ୍ୟତମ ରୁଷୀୟ ଖେଳାଳି ନେପୋନିଆଚି ପ୍ରଥମ ୩ ସ୍ଥାନରେ ରହିଥିଲେ। ଏହି ୩ ଜଣଙ୍କ ପଏଣ୍ଟ୍‌ ସମାନ ୧୦.୫ରେ ଟାଇ ହେବାରୁ ଟ୍ରାଇବ୍ରେକର୍‌ ଆବଶ୍ୟକତା ପଡ଼ିଥିଲା। ଗୁରୁବାର ୪୮ ବର୍ଷୀୟ ଆନନ୍ଦ ଟାଇବ୍ରେକର୍‌ରେ ତାଙ୍କଠାରୁ ୨୬ ବର୍ଷ ସାନ ରୁଷୀୟ ଖେଳାଳି ଭ୍ଲାଦିମିର ଫେଦୋସିଭ୍‌ଙ୍କୁ ୨-୦ରେ ହରାଇ ଦେଇଥିଲେ। ଫଳରେ ପ୍ରଥମେ ବିଶ୍ୱ ବିଜେତା ନରେଓ୍ଵ ଖେଳାଳି ମାଗ୍ନସ ଲାର୍ସନଙ୍କୁ ହରାଇଥିବା ଆନନ୍ଦ ଏବେ ବିଶ୍ୱ ମୁକୁଟ ଜିତି ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ପି ହରିକୃଷ୍ଣ ୧୬ତମ, ସୂର୍ଯ୍ୟ ଶେଖର ଗାଙ୍ଗୁଲି ୬୦ତମ, ଭିଦିତ ଗୁଜରାଟୀ ୬୧ତମ, ବି ଅଧିବନ ୬୫ତମ, ଏସ୍‌ପି ସେଥୁରମଣ ୯୬ତମ ସ୍ଥାନରେ ରହିଥିଲେ। ମହିଳା ବିଭାଗରେ ଚୀନ୍‌ର ଜୁ େଓ୍ଵନ୍‌ଜୁନ୍‌ ମଧ୍ୟ ଟାଇବ୍ରେକର ଜିତି ଟଫି ହାତେଇଥିଲେ। ଭାରତରୁ ଦ୍ରୋଣୋଭାଲି ହାରିକା ୧୯ତମ, ପଦ୍ମିନୀ ରାଉତ ୨୨ତମ, ଏସ୍‌ ବିଜୟଲକ୍ଷ୍ମୀ ୩୪ତମ ଏବଂ ଈଶା କରାଭାଡ଼େ ୩୫ତମ ସ୍ଥାନରେ ରହିଥିଲେ।

‘ଚମତ୍କାର ଅନୁଭବ’

ଏ ବିଜୟ ମୋ ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ଚମତ୍କାର ଅନୁଭବ ଦେଇଛି ବୋଲି କହିଛନ୍ତି ବିଶ୍ୱନାଥନ୍‌ ଆନନ୍ଦ। ବିଗତ ୨ ର‍୍ୟାପିଡ୍‌ ପ୍ରତିଯୋଗିତା ମୋ ପାଇଁ ବିପର୍ଯ୍ୟୟ ଭଳି ଥିଲା। ଆଶାବାଦୀ ମନୋଭାବରେ ମୁଁ ଏଥର ପ୍ରତିଯୋଗିତାକୁ ଆସିଥିଲି। କିନ୍ତୁ ପ୍ରାରମ୍ଭିକ ରାଉଣ୍ଡ୍‌ରେ ଲଗାତାର ୩ ଅମୀମାଂସିତ ପାଇବାରୁ ପ୍ରଥମ ୩ ସ୍ଥାନରେ ରହିବା ନେଇ ଆଶା ହରାଇଥିଲି। କିନ୍ତୁ ଅପରାଜିତ ରହି ପ୍ରତିଯୋଗିତା ଜିତିବା ଖୁସୀ ଦେଇଛି ବୋଲି ଆନନ୍ଦ କହିଛନ୍ତି। ଶେଷକୁ ଆନନ୍ଦ ନିଜ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଥିଲେ। ୫ ଥର ବିଜେତା ହୋଇଥିବା ଆନନ୍ଦ ୨୦୧୩ ମସିହାରେ ବିଶ୍ୱ ମୁକୁଟ ହରାଇଥିଲେ। ୨୦୦୩ ମସିହାରେ ପ୍ରଥମ ଥର ବିଶ୍ୱ ର‍୍ୟାପିଡ୍‌ ମୁକୁଟ ପିନ୍ଧିଥିଲେ।

ସମ୍ବନ୍ଧିତ ଖବର