ଚର୍ଚିତ ବିବାହ: ବିରାଟ ଅନୁଷ୍କା

ମିଲାନରେ ବରଣମାଳା, ମୁମ୍ବାଇରେ ଭୋଜି

ମିଲାନ: ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି। ଶେଷରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ତଥା ବିଶ୍ୱର ଶ୍ରେଷ୍ଠ କ୍ରିକେଟର ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋମବାର ଇଟାଲିର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସହର ମିଲାନର ଟସ୍କାନି ନିକଟସ୍ଥ ୮୦୦ ବର୍ଷ ପୁରୁଣା ବୋର୍ଗୋ ଫିନୋଚିଟୋ ରିସୋର୍ଟରେ ଏହି ଚର୍ଚିତ ବିବାହ ସଂପନ୍ନ ହୋଇଛି। ସେଠାରେ ଆୟୋଜିତ ଆଡ଼ମ୍ବରପୂର୍ଣ୍ଣ ଘରୋଇ ଉତ୍ସବରେ ଉଭୟ ପରସ୍ପରକୁ ବରଣମାଳା ପିନ୍ଧାଇ ଜୀବନ ସାଥୀ ଭାବେ ବାଛିଛନ୍ତି। କ୍ରିକେଟ୍‌ ପଡ଼ିଆରେ ଅନେକ ଭାଗୀଦାରି କରି ଭାରତକୁ ବହୁ ବିଜୟ ଉପହାର ଦେଇଥିବା ବିରାଟଙ୍କର ବ୍ୟକ୍ତିଗତ ଜୀବନର ସବୁଠାରୁ ଲମ୍ବା ଭାଗୀଦାରି ଏଥିସହ ଆରମ୍ଭ ହୋଇଛି।
ବିରାଟ ଟ୍ଵିଟ୍‌ କରି ବିବାହ ସଂପନ୍ନ ହୋଇଥିବାର ଖୁସି ଖବର ସାରା ଦୁନିଆକୁ ଜଣାଇଛନ୍ତି। ନିଜ ଟ୍ଵିଟର ପୃଷ୍ଠରେ ବିବାହର ଉତ୍ସବର ଏକ ଫଟୋ ପକାଇ ସେ ପ୍ରଶଂସକ ତଥା ଶୁଭେଚ୍ଛଙ୍କ ପାଇଁ ଆବେଗପୂର୍ଣ୍ଣ ବାର୍ତା ବି ଲେଖିଛନ୍ତି। ବିରାଟ ଲେଖିଛନ୍ତି ଯେ ଭଲ ପାଇବାର ବନ୍ଧନରେ ସାରା ଜୀବନ ବାନ୍ଧି ହେବା ଲାଗି ଆମେ ଆଜି ପରସ୍ପରକୁ ପ୍ରତିଶ୍ରୁତି ଦେଲୁ। ଏହି ଖବର ଆପଣଙ୍କ ସହ ବାଣ୍ଟୁଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁଛୁ। ଏହି ସୁନ୍ଦର ଦିବସ ଆମ ପରିବାର, ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କ ଭଲ ପାଇବା ଏବଂ ସମର୍ଥନରେ ଅହୁରି ସୁନ୍ଦର ହୋଇଯାଇଛି। ଆମ ଯାତ୍ରାର ମହତ୍ୱପୂର୍ଣ୍ଣ ସାଥୀ ହୋଇଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଅନୁଷ୍କା ମଧ୍ୟ ନିଜ ଟ୍ଵିଟର ପୃଷ୍ଠାରେ ଏହି ବାର୍ତାକୁ ସାମିଲ କରିଛନ୍ତି। ବିରାଟ-ଅନୁଷ୍କା ବିବାହ ଖବର ପଦାକୁ ଆସିଲା ପରେ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୂଆ ଛୁଟିଛି। କ୍ରିକେଟ୍‌ ଜଗତ ଏବଂ ବଲିଉଡ୍‌ ଏକ ପ୍ରକାର ଉତ୍ସବ ମୁଖର ହୋଇଛି।

ବିରାଟ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିବା ପରେ ହିଁ ତାଙ୍କ ବିବାହକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଥିଲା। ବିରାଟଙ୍କ ସହ ଅନୁଷ୍କାଙ୍କ ପରିବାର ଯେତେବେଳେ ଇଟାଲି ଅଭିମୁଖେ ଯାତ୍ରା କଲେ ସେତେବେଳେ ସେଠାରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା। ସେଥିଲାଗି ସାରା ଦୁନିଆର ଗଣମାଧ୍ୟମ ପ୍ରତିନିଧି ଏବେ ମିଲାନରେ ଡେରା ଜମାଇଥିଲେ। ହେଲେ ବିରାଟ ଆଜି ନିଜେ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଖବର ମୁତାବକ ଦୁଇ ପରିବାର ସହ ଏହି ଚର୍ଚିତ ବିବାହ ଉତ୍ସବରେ ହାତଗଣତି ବଲିଉଡ୍‌ ଏବଂ କ୍ରିକେଟ୍‌ ସେଲିବ୍ରିଟି ଯୋଗ ଦେଇଥିଲେ। ଆସନ୍ତା ୨୧ରେ ଦିଲ୍ଲୀ ଓ ୨୬ ତାରିଖରେ ମୁମ୍ବାଇରେ ବିବାହ ଭୋଜି ଅନୁଷ୍ଠିତ ହେବ। ସେଥିରେ ବହୁ ନାମୀ ଦାମୀ ବ୍ୟକ୍ତି ଯୋଗ ଦେବେ। ପ୍ରକାଶ ଥାଉ କି କୋହଲି ଏବଂ ଅନୁଷ୍କା ପ୍ରଥମ ଥର ପାଇଁ ଏକ ସାମ୍ପୁ ବିଜ୍ଞାପନର ସୁଟିଂ ବେଳେ ଭେଟାଭେଟି ହୋଇଥିଲେ। ୨୦୧୪ରେ ଏକ ଫୁଟବଲ୍‌ ମ୍ୟାଚ୍‌ ବେଳେ ଉଭୟଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଭାରତୀୟ କ୍ରିକେଟର ଜାହିର ଖାନ୍‌, ଭୁବନେଶ୍ୱର କୁମାରଙ୍କ ପରେ ଏବେ ବିରାଟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେଥିପାଇଁ ସତରକୁ କ୍ରିକେଟରଙ୍କୁ ବିବାହ ଋତୁ କୁହାଯାଉଛି। ହେଲେ କ୍ରିକେଟ୍‌ ଜଗତର ସବୁଠାରୁ ଦାମୀ ତାରକା କୋହଲି ଏବଂ ସୁନ୍ଦରୀ ଅନୁଷ୍କାଙ୍କ ବିବାହ ସବୁଠାରୁ ଅଧିକ ଚର୍ଚିତ ହୋଇଛି।

ଦକ୍ଷିଣ ଆଫ୍ରିକାରେ ନୂଆବର୍ଷ ପାଳିବେ

ଇଟାଲିରେ ବାହା ହୋଇଥିବା ବିରାଟ-ଅନୁଷ୍କା ଦକ୍ଷିଣ ଆଫ୍ରିକାରେ ନୂଆବର୍ଷ ପାଳିବେ। ଭାରତୀୟ ଦଳ ଜାନୁଆରିରେ ଦକ୍ଷିଣ ଆଫ୍ରିକାରେ ଶୃଙ୍ଖଳା ଖେଳିବାର ଥିବାରୁ ବିରାଟଙ୍କ ସହ ଅନୁଷ୍କା ମଧ୍ୟ ସେଠାକୁ ଯିବେ। ସେହିଠାରେ ହିଁ ଉଭୟ ପତି-ପତ୍ନୀ ଭାବେ ନିଜର ପ୍ରଥମ ନୂଆବର୍ଷା ଧୁମଧାମରେ ମନେଇବେ। ଏହା ପରେ ଅନୁଷ୍କା ମୁମ୍ବାଇ ଫେରି ଶାହାରୁଖ ଖାନଙ୍କ ସହ ନିଜ ନୂଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବେ।

ଓ୍ଵର୍ଲିରେ କିଣା ହୋଇଛି ନୂଆ ଘର

ବିରାଟ ଦିଲ୍ଲୀ ବାସିନ୍ଦା ହୋଇଥିଲେ ମଧ୍ୟ ବିବାହ ପରେ ମୁମ୍ବାଇକୁ ନିଜ ଘର କରିବେ। ସେଥିପାଇଁ ବହୁ ଆଗରୁ ସେ ମାୟାଗନରୀ ମୁମ୍ବାଇର ଓ୍ଵର୍ଲି ଅଞ୍ଚଳରେ ସେ ଏକ ଘର କିଣି ସାରିଛନ୍ତି। ବିରାଟ ଏବଂ ଅନୁଷ୍କାଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସମର୍ଥନ ପାଇଁ ସେ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି।

ବଲିଉଡ୍‌ ଶୁଭେଚ୍ଛା

ବିଶ୍ୱର ସୁନ୍ଦରତମ ଯୋଡ଼ି, ବୈବାହିକ ଜୀବନ ସୁଖମୟ ହେଉ: ଶାହାରୁଖ ଖାନ୍‌
ବିଶ୍ୱର ଶ୍ରେଷ୍ଠ ଯୋଡ଼ି, ସବୁବେଳେ ଖୁସି ରୁହ: ଅମିର ଖାନ୍‌
ଅଭିନନ୍ଦନ, ତୁମ ଯୋଡ଼ି ସବୁଦିନ ପର୍ଯ୍ୟନ୍ତ ଅତୁଟ ରହୁ, ଭଗବାନଙ୍କ ପାଖରେ ଏତିକି ଗୁହାରୀ: ଶ୍ରୀଦେବୀ
ଉଭୟଙ୍କୁ ଅଭିନନ୍ଦନ, ତୁମର ବୈବାହିକ ଜୀବନ ସୁଖମୟ ହେଉ: ମାଧୁରୀ ଦୀକ୍ଷିତ
ଓ୍ଵାଃ, ସର୍ବଦା ଖୁସି ରୁହ ବିରାଟ ଓ ଅନୁଷ୍କା: ଅଲିଆ ଭଟ୍ଟ

ଖେଳ ଦୁନିଆ ଶୁଭେଚ୍ଛା

ତୁମ ଏକତ୍ର ଜୀବନ ଭଲରେ ବିତୁ: ପ୍ରଜ୍ଞାନ ଓଝା
ଉଭୟଙ୍କୁ ଅଭିନନ୍ଦନ, ଭାରି ସୁନ୍ଦର ଓ ଖୁସୀ ଲାଗୁଛ। ବିଶ୍ୱର ସବୁ ଖୁସୀ ମିଳୁ: ସାନିଆ ମିର୍ଜା
ଦାମ୍ପତ୍ୟ ଜୀବନ ସୁଖମୟ ହେଉ: ଭିଭିଏସ୍‌ ଲକ୍ଷ୍ମଣ
ମୁଁ ବହୁତ ଖୁସି,କ’ଣ କହିବି ମୋ ପାଖରେ ଭାଷା ନାହିଁ!! ତୁମେ ଦୁଇ ଜଣ ପରସ୍ପର ପାଇଁ ଜନ୍ମ ନେଇଛ, ଯିଏ ମୋର ଏହି କମେଣ୍ଟ୍‌କୁ ପସନ୍ଦ କରିବ କିମ୍ବା ଏଥିରେ କମେଣ୍ଟ କରିବ ତାକୁ ଜଲ୍‌ଦି ଗୋଟେ ପ୍ରେମିକା ମିଳିଯିବ: ହାର୍ଦିକ ପାଣ୍ଡ୍ୟା
ବହୁତ ବହୁତ ଅଭିନନ୍ଦନ: ସାଇନା ନେହଓ୍ଵାଲ୍‌

ସମ୍ବନ୍ଧିତ ଖବର