ଲର୍ଡସ୍‌ରେ ୧୦୦ ଓ୍ଵିକେଟ୍‌ ନେବାରେ ଆଣ୍ଡରସନ୍‌ ପ୍ରଥମ

ଲର୍ଡସ୍‌: ଜେମ୍‌ସ ଆଣ୍ଡରସନ୍‌ କ୍ରିକେଟ୍‌ର ମକ୍କା ତଥା ଐତିହାସିକ ଲର୍ଡସ୍‌ ପଡ଼ିଆରେ କୀର୍ତିମାନ ରଚିଛନ୍ତି। ଇଂଲଣ୍ଡର ଏହି ଦ୍ରୁତ ବୋଲର ଲର୍ଡସ୍‌ରେ ୧୦୦ ଟେଷ୍ଟ ଓ୍ଵିକେଟ୍‌ ପୂରଣ କରିବାରେ ବିଶ୍ୱର ପ୍ରଥମ ବୋଲର ହୋଇଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ୫ ଓ୍ଵିକେଟ୍‌ ନେଇ ୯୯ରେ ପହଞ୍ଚିଥିବା ଆଣ୍ଡରସନ୍‌ ରବିବାର ଭାରତର ଦ୍ୱିତୀୟ ପାଳିରେ ମୁରଲୀ ବିଜୟ (୦)ଙ୍କୁ ଶିକାର କରି ଶତକୀୟ ସଫଳତା ସାଉଁଟିଥିଲେ। ଏପରିକି ବିଜୟଙ୍କୁ ଉଭୟ ପାଳିରେ ମଧ୍ୟ ଆଣ୍ଡରସନ୍‌ ଖାତା ଖୋଲିବାକୁ ଦେଇନଥିଲେ। ଅବଶ୍ୟ ଏହାପରେ ଆଣ୍ଡରସନ୍‌ ଆଉ ୩ ଓ୍ଵିକେଟ୍‌ ନେଇ ଲର୍ଡସ୍‌ରେ ତାଙ୍କ ସଂଖ୍ୟା ୧୦୩ରେ ପହଞ୍ଚାଇଥିଲେ। ଆଣ୍ଡରସନ୍‌ ଲର୍ଡସ୍‌ରେ ଟେଷ୍ଟ ଓ୍ଵିକେଟ୍‌ ଦଖଲରେ ଶତକ ପୂରଣ କରିଥିଲା ବେଳେ ସିଂହଳୀ କିମ୍ବଦନ୍ତୀ ସ୍ପିନର ମୁଥେୟା ମୁରଲୀଧରନ୍‌ ଅନ୍ୟ ଏକମାତ୍ର ବୋଲର ଯିଏକି ଗୋଟିଏ ଲେଖାଏଁ ପଡ଼ିଆରେ ୧୦୦ ଟେଷ୍ଟ୍‌ ଓ୍ଵିକେଟ୍‌ ଦଖଲ ସଫଳତା ପାଇଥିଲେ। ମୋଟ ୮୦୦ ଓ୍ଵିକେଟ୍‌ ସହ ବିଶ୍ୱର ଅଗ୍ରଣୀ ବୋଲର ବିବେଚିତ ମୁରଲୀଧରନ୍‌ ଗଲ୍‌, କାଣ୍ଡି ଓ କଲମ୍ବୋର ସିଂହଳୀ ସ୍ପୋର୍ଟସ୍‌ କ୍ଲବ୍‌ ପଡ଼ିଆରେ ୧୦୦ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର