ଗଲ୍: ଶ୍ରୀଲଙ୍କା ଓ ଇଂଲଣ୍ଡ ପ୍ରଥମ ଟେଷ୍ଟ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଗୁରୁବାର ତୃତୀୟ ଦିବସ ସୁଦ୍ଧା ୨୬ ୱିକେଟ୍ର ପତନ ଘଟିସାରିଲାଣି। ୱିକେଟ୍ ରକ୍ଷକ ବେନ୍ ଫୋକ୍ସ (୧୦୭)ଙ୍କ ପଦାର୍ପଣ ଶତକ ବଳରେ ପ୍ରଥମ ପାଳିରେ ୩୪୨ ରନ୍ କରିଥିବା ଇଂଲଣ୍ଡ୍ ଦ୍ବିତୀୟ ଦିବସରେ ଘରୋଇ ଶ୍ରୀଲଙ୍କା ପ୍ରଥମ ପାଳିକୁ ୨୦୩ ରନ୍ରେ ସଫା କରିଦେଇଥିଲା। ଇଂଲଣ୍ଡ ପ୍ରଥମ ପାଳିରେ ସଫଳ ସିଂହଳୀ ବୋଲର ଭାବେ ଦିଲ୍ରୁୱାନ୍ ପେରେରା ୫ ଓ ସୁରଙ୍ଗା ଲାକ୍ମଲ ୩ ୱିକେଟ୍ ଅକ୍ତିଆର କରିଥିଲେ। ଭ୍ରମଣକାରୀ ଦଳର ତିନି ସ୍ପିନର ମୋଇନ୍ ଅଲ୍ଲୀ (୪/୬୬), ଆଦିଲ ରସିଦ୍ (୨/୩୦) ଓ ଜାକ୍ ଲିଚ୍ (୨/୪୧)ଙ୍କ ଚମତ୍କାର ବୋଲିଂ ଘରୋଇ ଶ୍ରୀଲଙ୍କା ଦଳକୁ ଆଗକୁ ବଢ଼ିବାକୁ ଦେଇନଥିଲା। ଆଞ୍ଜେଲୋ ମାଥ୍ୟୁସ୍ (୫୨)ଙ୍କ ଅର୍ଧଶତକ ସତ୍ତ୍ବେ ଶ୍ରୀଲଙ୍କା ୨୦୩ରେ ସମସ୍ତ ୱିକେଟ୍ ହରାଇ ୧୩୯ ରନ୍ ପଛୁଆ ରହିଥିଲା। ମଙ୍ଗଳବାର ୩୮ ରନ୍ରେ କୌଣସି ୱିକେଟ୍ ହରାଇନଥିବା ଇଂଲଣ୍ଡ ବୁଧବାର ୩୨୨/୬ରେ ତା’ର ଦ୍ବିତୀୟ ପାଳି ଘୋଷଣା କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କିଥ୍ ଜେନିଙ୍ଗ୍ସ (୧୪୬*)ଙ୍କ ଅପରାଜିତ ଶତକ ହିଁ ମୁଖ୍ୟାଂଶ ଥିଲା। ଜେନିଙ୍ଗ୍ସଙ୍କ ଏହା ମଧ୍ୟ ଦ୍ବିତୀୟ ଟେଷ୍ଟ ଶତକ। ତାଙ୍କୁ ବଢ଼ିଆ ସହଯୋଗ ଦେଇ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ (୬୨) ଚତୁର୍ଥ ୱିକେଟ୍ରେ ୧୦୭ ରନ୍ ଯୋଡ଼ି ଇଂଲଣ୍ଡକୁ ଦୃଢ଼ ସ୍ଥିତି ଦେଇଥିଲେ। ଏହାପରେ ଜୋସ୍ ବଟ୍ଟଲର୍ (୩୫) ଓ ଫୋକ୍ସ (୩୭) ରନ୍ ଗତି ବଢ଼ାଇଥିଲେ। ବିଦାୟୀ ଟେଷ୍ଟ ଖେଳୁଥିବା ରଙ୍ଗନା ହେରାଥ୍ ଓ ଦିଲ୍ରୁୱାନ୍ ପେରେରା ୨ ଲେଖାଏଁ ୱିକେଟ୍ ଦଖଲ କରିଥିଲେ। ଏଥି ସହିତ ହେରାଥ୍ ମୋଟ ୪୩୩ ୱିକେଟ୍ ଅକ୍ତିଆର କରି ସର୍ବକାଳୀନ ସର୍ବାଧିକ ଟେଷ୍ଟ୍ ୱିକେଟ୍ ଦଖଲକାରୀ ବୋଲରଙ୍କ ତାଲିକାରେ ଭାରତର କପିଳ ଦେବ (୪୩୪)ଙ୍କ ପଛକୁ ଏବଂ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ଙ୍କ ସହ ଯୁଗ୍ମ ଅଷ୍ଟମ ସ୍ଥାନରେ ରହିଲେ। ୧୩୯ ରନ୍ର ପ୍ରଥମ ପାଳି ଅଗ୍ରଣୀ ଯୋଗୁଁ ଶ୍ରୀଲଙ୍କା ସମ୍ମୁଖରେ ଇଂଲଣ୍ଡ ୪୬୨ ରନ୍ର ବିଜୟ ଲକ୍ଷ୍ୟ ଛାଡ଼ିଛି। ଜବାବରେ ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଘରୋଇ ଦଳ କୌଣସି ୱିକେଟ୍ ନହରାଇ ୧୫ ରନ୍ କରିଛି। ଫଳରେ ଶ୍ରୀଲଙ୍କାକୁ ଜିତିବା ପାଇଁ ଆହୁରି ୪୪୭ ରନ୍ର ଆବଶ୍ୟକ ରହିଛି। ଦୁଇ ଦିନ ମ୍ୟାଚ୍ ଥିବାରୁ ଏହି ଟେଷ୍ଟର ଫଳାଫଳ ମିଳିବା ସମ୍ଭାବନା ଅଧିକ ରହିଛି।
ଗଲ୍ ଟେଷ୍ଟ୍ରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଅଶୋଭନୀୟ ଆଚରଣ କରିଥିବା ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ଙ୍କୁ ବିଯୁକ୍ତ (ଡିମେରିଟ୍) ପଏଣ୍ଟ୍ ମିଳିଛି। ବୋଲିଂ ପରେ ସେ ପିଚ୍ ଉପରେ ଦୌଡ଼ୁଥିବାରୁ ସେଥିରୁ ନିବୃତ୍ତ ରହିବା ପାଇଁ ଅମ୍ପାୟାର କ୍ରିସ୍ ଗାଫେନି ଆଣ୍ଡରସନ୍ଙ୍କୁ ସତର୍କ କରାଇଥିଲେ। ଏହି ସତର୍କକୁ ଖାତିର କରିବା ପରିବର୍ତେ ଆଣ୍ଡରସନ୍ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ବଲ୍କୁ ମାଟିରେ ପିଟି ଦେଇଥିଲେ। କୌଣସି ଆନ୍ତର୍ଜାତିକ ମ୍ୟାଚ୍ରେ ଏହା ଆଇସିସି ଆଚରଣ ବିଧି ଉଲଂଘନ କରିଥିଲା। କ୍ରମାଗତ ଦ୍ବିତୀୟ ଟେଷ୍ଟ୍ରେ ଆଣ୍ଡରସନ୍ ଦୁଇ ଥର ବିଯୁକ୍ତ ପଏଣ୍ଟ୍ ପାଇଲେ। ଗତ ସେପ୍ଟେମ୍ବରରେ ଭାରତ ବିପକ୍ଷ ଓଭାଲ୍ ଟେଷ୍ଟର ଦ୍ବିତୀୟ ଦିବସରେ ଅମ୍ପାୟାର କୁମାର ଧର୍ମସେନାଙ୍କ ପ୍ରତି ଖରାପ ବ୍ୟବହାର କରିବା ସାଙ୍ଗକୁ ବିରାଟ କୋହଲିଙ୍କ ବିପକ୍ଷ ଏଲ୍ବିଡବ୍ଲୁ ନିଷ୍ପତ୍ତି ଖାରଜ ହେବାରୁ ନିଜ ଟୋପି ଫିଙ୍ଗି ଅଶୋଭନୀୟ କାର୍ଯ୍ୟକଳାପ କରିଥିବାରୁ ବିଯୁକ୍ତ ପଏଣ୍ଟ୍ ପାଇଥିଲେ। ମ୍ୟାଚ୍ ପାଉଣାର ୧୫ ପ୍ରତିଶତ ମଧ୍ୟ ଜରିମାନା ଗଣିଥିଲେ। ମଙ୍ଗଳବାର ଗଲ୍ରେ ଆଣ୍ଡରସନ୍ କରିଥିବା ଦୋଷ ସ୍ବୀକାର କରିନେଇଛନ୍ତି। ଫଳରେ ଶୁଣାଣିର ଆବଶ୍ୟକତା ନାହିଁ ବୋଲି ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ସ୍ପଷ୍ଟ କରିଦେଇଛନ୍ତି।