ଆଣ୍ଡ୍ରୋଜେନ୍‌ ସ୍ତର ନେଇ ନୂଆ ନିୟମ

ନୂଆଦିଲ୍ଲୀ: ମହିଳା ଖେଳାଳିଙ୍କ ଦେହରେ ଥିବା ହାଇପରଆଣ୍ଡ୍ରୋଜେନ ବା ପୁରୁଷ ହର୍ମୋନର ସ୍ତର ଓ ମାତ୍ରାକୁ ନେଇ ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ (ଆଇଏଏଏଫ୍‌) ଗୁରୁବାର ନୂଆ ନିୟମ ଆଣିଛି। ତଦନୁଯାୟୀ ଏଣିକି ଏଭଳି ବ୍ୟତିକ୍ରମ ଥିବା ଧାବିକାମାନଙ୍କୁ ୪୦୦ ମିଟର ଦୌଡ଼, ବାଧାଦୌଡ଼, ୮୦୦ ମିଟର ଓ ୧୫୦୦ ମିଟର ଭଳି ମଧ୍ୟମ ଦୂର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଆଉ ଅନୁମତି ମିଳିବ ନାହିଁ। ଲିଙ୍ଗ ବିକାଶରେ ପାର୍ଥକ୍ୟ ବା ଡିଏସ୍‌ଡିର ଲକ୍ଷଣ ଥିବା ଏଭଳି ଧାବିକାଙ୍କ ଟେଷ୍ଟୋଷ୍ଟେରନ୍‌ ମାତ୍ରା ଲିଟର ପିଛା ୫ ଏନଏମଓଏଲ୍‌ (ନାନୋମଲ୍‌) ରହିବା ବାଞ୍ଛନୀୟ। ଯେଉଁ ଖେଳାଳିଙ୍କ ଟେଷ୍ଟୋଷ୍ଟେରନ୍‌ ପ୍ରବାହ ମାତ୍ରା ଏହାଠାରୁ ଅଧିକ ଥିବ ସେମାନଙ୍କୁ ଚିକିତ୍ସା ପରେ ଯାଇ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାର ସୁଯୋଗ ମିଳିବ। ସେହିଭଳି ସଂପୃକ୍ତ ଖେଳାଳିଙ୍କୁ ୬ ମାସ ଧରି ଏହି ସ୍ତରକୁ ସ୍ଥିର ରଖିବାକୁ ହେବ।

ନୂଆ ନିୟମକୁ ଆଇଏଏଫ୍‌ ପରିଷଦ ମଞ୍ଜୁରି ଦେଇ ସାରିଥିଲା ବେଳେ ଏହା ଚଳିତ ବର୍ଷ ନଭେମ୍ବର ପହିଲାରୁ ଲାଗୁ କରାଯିବ। ନୂଆ ନିୟମ ଆସିବା ପରେ କେତେକ ଖେଳାଳି ଖୁସି ଜାହିର କରିଥିଲା ବେଳେ ଆଉ କେତେକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବିଶେଷ କରି ୪୦୦ ମିଟରରୁ ଅଧିକ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଖେଳାଳି ଯାହାଙ୍କ ଶରୀରରେ ପୁରୁଷ ହର୍ମୋନ ମାତ୍ରା ଅଧିକ ଅଛି ସେମାନେ ନିରାଶ ହୋଇଛନ୍ତି। ନୂଆ ନିୟମ ନେଇ ପ୍ରତିକ୍ରିୟା ପ୍ରକାଶ କରି ଆଇଏଏଏଫ୍‌ର ସଭାପତି ସେବାସ୍ତିଆନ କୋଏ କହିଛନ୍ତି ଯେ କ୍ରୀଡ଼ାରେ ସଫଳତା ପାଇବାକୁ ହେଲେ ଖେଳାଳିଙ୍କୁ ଅନେକ କିଛି ବଳିଦାନ ଦେବାକୁ ପଡ଼ିଥାଏ। ଆମକୁ କିନ୍ତୁ ଆଗାମି ପିଢ଼ି ପାଇଁ ସମାନ ସ୍ତରର ପ୍ରତିଦ୍ୱନ୍ଦ୍ୱିତା ଦେବାକୁ ପଡ଼ିବ। ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତି ୧,୦୦୦ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ୭.୧ ପ୍ରତିଶତଙ୍କଠାରେ ହର୍ମୋନ୍‌ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଯାହା ଚିନ୍ତାର ବିଷୟ। ହେଲେ କୌଣସି ଖେଳାଳିଙ୍କୁ ଆମେ ଏଥିଲାଗି ଅସ୍ତ୍ରୋପଚାର କରିବାକୁ ବାଧ୍ୟ କରିବୁ ନାହିଁ। ସେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବାରେ କୌଣସି ଅସୁବିଧା ନାହିଁ।
ଦୂତି ଆଶ୍ୱସ୍ତ
ଭୁବନେଶ୍ୱର,୨୬|୪ (ଇମିସ): ଆଇଏଏଏଫ୍‌ର ନୂଆ ନିୟମ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ଆଶ୍ୱସ୍ତ କରିଛି। ନୂଆ ନିୟମ ଅଧୀନରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୦୦ ଏବଂ ୨୦୦ ମିଟର ବର୍ଗକୁ ସାମିଲ କରାଯାଇ ନଥିବାରୁ ଦୂତି ବହୁତ ଖୁସି ଅଛନ୍ତି। ସେଥିପାଇଁ ଏଣିକି ସେ ବିନା ଚାପ ଏବଂ ଚିନ୍ତାରେ ନିଜ ପ୍ରଶିକ୍ଷଣ ଉପରେ ଧ୍ୟାନ ଦେଇ ପାରିବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ଶରୀରରେ ପୁରୁଷ ହର୍ମୋନର ମାତ୍ରା ଅଧିକ ଦର୍ଶାଇ ଦୂତିଙ୍କୁ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଘୋଷିତ ଭାରତୀୟ ଦଳରୁ ଶେଷ ମୁହୂର୍ତରେ ବାଦ୍‌ ଦିଆଯାଇଥିଲା। ଏପରିକି ଏଥିଲାଗି ତାଙ୍କୁ ଦୌଡ଼କୁଦ ଜଗତରୁ କିଛି ମାସ ଲାଗି ବାସନ୍ଦ କରାଯାଇଥିଲ। ହେଲେ ଦୂତି ହାରି ନଥିଲେ। ଲମ୍ବା ଆଇନ ଲଢ଼େଇ ପରେ ସେ ପୁଣି ଥରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟକୁ ଫେରିଥିଲେ। ଏପରିକି ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ବି କରି ନେଇଥିଲେ।

ତଥାପି ତାଙ୍କ ଉପରେ ସବୁବେଳେ ଆଇଏଏଏଫ୍‌ ଖଣ୍ଡା ଝୁଲି ରହିଥିଲା। ଅନ୍ୟ ଉପାୟ ନପାଇ ଦୂତି ସ୍ୱିଜରଲାଣ୍ଡର ଲୁସାନେଠାରେ ଥିବା କାସ୍‌ (କୋର୍ଟ ଅଫ୍‌ ଆର୍ବିଟ୍ରେସନ୍‌ ଫର ସ୍ପୋର୍ଟସ)ର ଦ୍ୱାରସ୍ଥ ହୋଇଥିଲା। ଏବେ ବି ସେ ସେହି ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ତେବେ ଆଇଏଏଏଫ୍‌ ନୂଆ ନିୟମ ତାଙ୍କୁ ଏହି ମାମଲାରେ ବିଜୟୀ ହେବାରେ ଯଥେଷ୍ଟ ସହାୟ ହେବ ବୋଲି ଆଶା କରାଯାଉଛି। ଦୂତି ଏହି ବିଷୟରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୁଁ ଯେମିତି ଜନ୍ମ ନେଇଛି ସେମିତି ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପାଇବି। ଚାପ ମୁକ୍ତ ହୋଇ ନିଜ ଖେଳ ଉପରେ ଧ୍ୟାନ ଦେଇ ପାରିବି। ପୁରୁଣା ନିୟମ ପାଇଁ ମୁଁ ଏକ ପ୍ରକାର ଅଣନିଶ୍ୱାସୀ ହୋଇ ଯାଇଥିଲି। ମୁଁ ଯେଉଁ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଛି ତାହା ଆଉ କାହା ଭାଗ୍ୟରେ ନମିଳୁ। ହେଲେ ନୂଆ ନିୟମ ଯେଉଁ ଖେଳାଳିଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ସେମାନଙ୍କ ପାଇଁ ମୋତେ ବହୁତ ଦୁଃଖ ଲାଗୁଛି। ଏଭଳି ପରିସ୍ଥିତିର ସମ୍ମୁଖୀନ ହେବା ଲାଗି ଭଗବାନ ସେମାନଙ୍କୁ ଶକ୍ତି ଏବଂ ସାମର୍ଥ୍ୟ ଦିଅନ୍ତୁ।

ସମ୍ବନ୍ଧିତ ଖବର