ଅନୀଲ ଗୋଚ୍ଛିକାର ମିଷ୍ଟର୍ ଇଣ୍ଡିଆ

ଭୁବନେଶ୍ବର: ଚେନ୍ନାଇରେ ମାର୍ଚ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଦ୍ବାଦଶ ଜାତୀୟ ବରିଷ୍ଠ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାର ଅନୀଲ ଗୋଚ୍ଛିକାର ମିଷ୍ଟର୍ ଇଣ୍ଡିଆ ମୁକୁଟ ହାସଲ କରିଛନ୍ତି। ୭୦ କିଲୋଗ୍ରାମ ଓଜନ ବର୍ଗରେ ପ୍ରଥମ ସ୍ଥାନରେ ରହି ଏହି ଗୌରବ ଆଣିଛନ୍ତି। ଏଥି ସହିତ ଜାତୀୟ ସ୍ତରରେ ସୁନ୍ଦରସ୍ବାସ୍ଥ୍ୟ ସଂଘଗୁଡ଼ିକ ଏକତ୍ର ହୋଇ ଭାରତ ସରକାରଙ୍କ ଅନୁବଂଧିତ ଲାଭ କରିବା ପରେ ପ୍ରଥମ ଓଡ଼ିଆ ଭାବେ ଅନୀଲ ମିଷ୍ଟର୍ ଇଣ୍ଡିଆ ହେବାର ଗୌରବ ଅର୍ଜନ କରିଛନ୍ତି। ଅନୀଲ ମଧ୍ୟ ଲଗାତାର ତୃତୀୟ ବର୍ଷ ପାଇଁ ଜାତୀୟ ସଫଳତା ଅର୍ଜନ କରିବାର ଗୌରବ ପାଇଛନ୍ତି। ଅନୀଲ ୨୦୧୭ରେ ସ୍ବର୍ଣ୍ଣ ଏବଂ ୨୦୧୮ରେ ‌ରୌପ୍ୟ ପଦକ ଜିତିଥିଲେ। ଅନୀଲଙ୍କ ଏହି ବିରଳ ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଅନୀଲଙ୍କ ନିରଂତର ସଫଳତା ଓଡ଼ିଶ‌ାରେ ସୁନ୍ଦରସ୍ବାସ୍ଥ୍ୟ ଏବଂ ଏହାର ଖେଳାଳିମାନଙ୍କୁ ଉତ୍ସାହ, ଉଦ୍ଦିପନା, ପ୍ରେରଣା ଯୋଗାଇବ ବୋଲି ଓଡ଼ିଶା ସୁନ୍ଦରସ୍ବାସ୍ଥ୍ୟ ସଂଘର ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ କୁମାର ଗୁରୁ ଆଶା ପ୍ରକାଶ କରିଛନ୍ତି। ଅନୀଲଙ୍କ ଚେନ୍ନାଇ ସଫଳତା ସମୟରେ ରାଜ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ଜାତୀୟ ବିଚାରକ ତରୁଣ କୁମାର ଚାଟାର୍ଜୀଙ୍କ ସହିତ ଅନ୍ୟ ଅଂଶଗ୍ରହଣକାରି ବଡିବିଲଡ୍‌ର ଉପସ୍ଥିତ ଥିଲେ। ଏଭଳି ଗୌରବମୟ ସଫଳତା ପାଇଁ ଅନୀଲଙ୍କୁ ରାଜ୍ୟ ସଂଘ କାର୍ଯ୍ୟନିର୍ବାହୀ ଉପ ସଭାପତି ବାବୁଲି ସ୍ବାଇଁ, କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ଭାରତୀକୃଷ୍ଣ ବ୍ରହ୍ମା, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ କୁମାର ଗୁରୁଙ୍କ ସହିତ ସମସ୍ତ ଜିଲ୍ଲା କର୍ମକର୍ତା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର