ଅଂଶୁ ଭୂୟାଁ ଉପ ବିଜେତା, ଆଇଟା ୧ ଲକ୍ଷ ପୁରୁଷ ପ୍ରତିଯୋଗିତା

ଭୁବନେଶ୍ୱର: ପାଟଣାରେ ରବିବାର ଉଦଯାପିତ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଆଇଟା (ସର୍ବଭାରତୀୟ ଟେନିସ୍‌ ସଂଘ) ପୁରୁଷ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଅଂଶୁ କୁମାର ଭୂୟାଁ ଉପ ବିଜେତା ହୋଇଛନ୍ତି। ଫାଇନାଲରେ ଅଂଶୁ ଚେନ୍ନାଇର ଡେଭିସ୍‌ କପ୍‌ ଖେଳାଳି ଭିଏମ୍‌ ରଂଜିତ୍‌ଙ୍କଠାରୁ ୩-୬, ୪-୬ରେ ହାରିଯାଇଥିଲେ। ପୂର୍ବରୁ ଅଂଶୁ ସେମିଫାଇନାଲ୍‌ରେ ପୁନେର ଅଥର୍ବ ଶର୍ମାଙ୍କୁ ୬-୪, ୬-୩ରେ ପରାସ୍ତ କରି ଫାଇନାଲକୁ ଉଠିଥିଲେ। ନିଜ ସାଥୀଙ୍କୁ ଆଘାତ ଜନିତ କାରଣରୁ ଅଂଶୁ ଯୁଗଳ ବର୍ଗର ସେମିଫାଇନାଲରୁ ଓହାରିଯାଇଥିଲେ। ତେବେ ପୁରୁଷ ଏକକରେ ଉପ ବିଜେତା ହୋଇଥିବାରୁ ଅଂଶୁ ୧୨ ପଏଣ୍ଟ୍‌ ପକେଟସ୍ଥ କରି ନେଇଛନ୍ତି। ପ୍ରଥମ ଥର ଏକ ୧ ଲକ୍ଷ ପୁରସ୍କାର ରାଶି ବିଶିଷ୍ଟ ଖେଳି ଉପ ବିଜେତା ହୋଇଥିବାରୁ ଅଂଶୁ ଖୁସି ହୋଇଛନ୍ତି। ଅଂଶୁ ଆସନ୍ତା ସପ୍ତାହରେ ଉଗାଣ୍ଡା ଗସ୍ତ କରି ସେଠାରେ ଆଇଟିଏଫ୍‌ ପ୍ରତିଯୋଗିତା ଖେଳିବେ ବୋଲି ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ହେବା ପରେ ଅଂଶୁ ଆଇଟିଏଫ୍‌ ସର୍କିଟରେ ଖେଳିବାର ସୁଯୋଗ ପାଉଛନ୍ତି। ସେହିଭଳି ରାଜ୍ୟର ଅଭିଜ୍ଞ ଟେନିସ୍‌ ପ୍ରଶିକ୍ଷକ ସୁଭ୍ରାଂଶୁ ଚରଣ ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରଶିକ୍ଷିତ ହେବା ପରେ ତାଙ୍କ ପ୍ରତିଭା ଅଧିକ ପ୍ରଷ୍ଫୁଟିତ ହୋଇଥିବା ବିଶ୍ୱାସ କରାଯାଉଛି।

ସମ୍ବନ୍ଧିତ ଖବର