ଅଂଶୁଙ୍କୁ ହ୍ୟାଟ୍ରିକ୍‌, ଋତୁପର୍ଣ୍ଣା ୪/୪

ଉତ୍କଳ ଓପନ୍‌ ଟେନିସ୍‌: ସୋହିନୀ ଓ ରବିଙ୍କୁ କନିଷ୍ଠ ଟ୍ରଫି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ପଞ୍ଚମ ଉତ୍କଳ ଓପନ୍‌ ଟେନିସ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ସ୍ପେନ୍‌ ଫେରନ୍ତା ଉଦୀୟମାନ ଅଂଶୁ କୁମାର ଭୂୟାଁ ଲଗାତାର ଭାବେ ତୃତୀୟ ବର୍ଷ ପୁରୁଷ ଏକକ ପ୍ରତିଯୋଗିତା ଜିତି ହ୍ୟାଟ୍ରିକ୍‌ ଗୌରବ ଅର୍ଜନ କରିଛନ୍ତି। ରବିବାର ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଅଂଶୁ ଦ୍ୱିତୀୟ ମାନ୍ୟତା ଚିନ୍ମୟ ପ୍ରଧାନଙ୍କୁ ୬-୪, ୭-୬ (୩)ରେ ପରାସ୍ତ କରି ଏହି ଗୌରବ ଅର୍ଜନ କରିଥିଲେ। ସେହିଭଳି ମହିଳା ଏକକରେ ରାଜ୍ୟର ଉଦୀୟମାନ ତାରକା ଋତୁପର୍ଣ୍ଣା ଚୌଧୁରୀ ୬-୦, ୬-୨ ସିଧାସଳଖ ସେଟ୍‌ରେ ଅମିକ କିରଣ ବଟ୍ଟଙ୍କୁ ହରାଇ ଲଗାତାର ଚତୁର୍ଥ ବର୍ଷ ପାଇଁ ମୁକୁଟ ବିଜୟିନୀ ହୋଇଥିଲେ। ଲଗାତାର ଦ୍ୱିତୀୟ ବର୍ଷ ମଧ୍ୟ ଫାଇନାଲ୍‌ରେ ସେ ଅମିକ୍‌ଙ୍କୁ ପରାସ୍ତ କରିଥିଲେ। ପୁରୁଷ ଯୁଗଳ ଫାଇନାଲ୍‌ରେ ଅଜୟ ନିଶଙ୍କ-କବିର ହଂସ ଯୋଡ଼ି ୫-୭, ୭-୬ (୩), ୧୦-୭ରେ ଅଂଶୁ କୁମାର ଭୂୟାଁ-ସତୀର୍ଥ ପଟ୍ଟନାୟକଙ୍କ ଯୋଡ଼ିକୁ ପରାସ୍ତ କରି ବିଜେତା ହୋଇଥିଲେ। ଫଳରେ ଅଂଶୁ ଦ୍ୱିମୁକୁଟରୁ ବଞ୍ଚିତ ହୋଇଥିଲେ।ଅନ୍ୟପକ୍ଷରେ ୧୪ ବର୍ଷରୁ କମ୍‌ ବାଳିକା ଫାଇନାଲ୍‌ରେ ଭୁବନେଶ୍ୱରର ସୋହିନୀ ମହାନ୍ତି ୬-୨, ୭-୬ (୩)ରେ ଆଲିନା ସୟଦଙ୍କୁ ଏବଂ ବାଳକରେ ରାଉରକେଲାର ରବି ନାରାୟଣ ସାହୁ ୬-୨, ୭-୫ରେ ଯଶରାଜ ନାୟକଙ୍କୁ ପରାସ୍ତ କରି ଟ୍ରଫି ହାତେଇଥିଲେ। ରବି ନାରାୟଣଙ୍କ ପାଇଁ ଏହା ପ୍ରଥମ ବଡ଼ ସଫଳତା ବୋଲି କହିଛନ୍ତି ତାଙ୍କ ପ୍ରଶିକ୍ଷକ ରଜୁ ସାହୁ। ଭେଟେରାନ୍‌ ବର୍ଗର ୪୦ ବର୍ଷରୁ ଊର୍ଧ୍ୱ ଯୁଗଳ ଫାଇନାଲ୍‌ରେ ଶାଶ୍ୱତ ଜେନା-ହିମାଦ୍ରୀ କାନୁନଗୋ ଯୋଡ଼ି ୫-୭, ୭-୫, ୧୦-୫ରେ ସୁରଜ କୁମାର ସାହୁ-ଡକ୍ଟର ପ୍ରଭାକରନ୍‌ଙ୍କୁ ହରାଇ ବିଜେତା ହୋଇଥିଲେ। ୫୦ ବର୍ଷରୁ ଊର୍ଧ୍ୱ ଯୁଗଳ ଫାଇନାଲ୍‌ରେ ଗଙ୍ଗାଧର ଲେଙ୍କା-ଝାଡ଼େଶ୍ୱର ଦାସ ୮-୩ରେ ଅଜୟ ସାହୁ-ରଜ୍ଜୁ ସାହୁଙ୍କୁ, ୬୦ ବର୍ଷରୁ ଊର୍ଧ୍ୱ ଯୁଗଳ ଫାଇନାଲ୍‌ରେ ପ୍ରଭାତ ବକ୍ସି-ଜଗନନ୍ଦା ପଟ୍ଟନାୟକ ୭-୧ରେ ଅରୁଣ ବିର୍ଲା-ବ୍ରହ୍ମା ମିଶ୍ରଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ।

ଉତ୍କଳ ଓପନ୍‌ର ମୁଖ୍ୟ ଆୟୋଜକ ଡାକ୍ତର ବିଶ୍ୱଜିତ୍‌ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଦୁଇ ଆଇଏଫ୍‌ଏସ୍‌ ହରିଶଙ୍କର ଉପାଧ୍ୟାୟ ଏବଂ ଦେବୀଦତ୍ତ ବିଶ୍ୱାଳଙ୍କ ସହିତ ଉତ୍କଳ ବିଲ୍‌ଡର୍ସର ପରିଚାଳନା ନିର୍ଦେଶକ ପ୍ରକାଶ କୁମାର ଭୂରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏମ୍‌ଭି ରାଓ, ଜିଆର୍‌ ଦାସଙ୍କୁ ଜୀବନବ୍ୟାପୀ ସେବା ପୁରସ୍କାର ପ୍ରଦାନ କରାଯାଇଥିଲା। ଆଦିତ୍ୟ ଶତପଥୀ (ଖେଳୁଆଡ଼ ମନୋଭାବ), କବିର ହଂସ (ଶ୍ରେଷ୍ଠ ଆଭୂଷିତ), ଅଭିଷେକ ମହାପାତ୍ର (ଉଦୀୟମାନ), ରଜ୍ଜୁ ସାହୁ (ଶ୍ରେଷ୍ଠ ପ୍ରଶିକ୍ଷକ) ବ୍ୟକ୍ତିଗତ ପୁରସ୍କାର ମାନ ଜିତିଥିଲେ। ୪୫୦ରୁ ଊର୍ଧ୍ୱ ଖେଳାଳି ଭାଗ ନେଇଥିବା ଏହି ୩ ଦିନିଆ ପ୍ରତିଯୋଗିତାରେ ଅନ୍ୟୁନ କ୍ୱାର୍ଟରଫାଇନାଲ୍‌ ପ୍ରବେଶ କରିଥବା ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ପୁରୁଷ ଓ ମହିଳା ଏକକ ସହିତ ପୁରୁଷ ଯୁଗଳ ଏବଂ ୪୦ ବର୍ଷରୁ ଉର୍ଧ୍ୱ ଯୁଗଳ ବିଜେତାଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର