ଅଂଶୁଙ୍କ ଆଶା ଏଟିପି

ଭୁବନେଶ୍ୱର,: ରାଜ୍ୟର ଉଦୀୟମାନ ଟେନିସ୍‌ ପ୍ରତିଭା ଅଂଶୁ କୁମାର ଭୂୟାଁ ଏବେ ସ୍ପେନୀୟ ଅଭିଜ୍ଞତା ବଳରେ ନିଜ ଖେଳ ଜୀବନକୁ ଉପରକୁ ଉଠାଇବାକୁ ଉଦ୍ୟମରତ। ବିଦାୟୀ ୨୦୧୭ ମସିହାରେ ଏକାଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ (ଆମନ୍ତ୍ରଣୀୟ) ସଫଳତା ପାଇଥିବା ଅଂଶୁଙ୍କ ଅସଲ ଲକ୍ଷ୍ୟ କିନ୍ତୁ ଏଟିପି ସର୍କିଟରେ ଖେଳିବା। ଆହତ ସମସ୍ୟା କାରଣରୁ କିଛି ବର୍ଷ ହରାଇବା ପରେ ଏବେ ସରକାରୀ ପ୍ରୋତ୍ସାହନ ପାଇଥିବାରୁ ଚାପମୁକ୍ତ ହୋଇଛନ୍ତି ଏହି ୨୧ ବର୍ଷୀୟ ଯୁବ ପ୍ରତିଭା। ଓଡ଼ିଶା ଟେନିସ୍‌ର ଭବିଷ୍ୟତ ବିବେଚିତ ହେଉଥିବା ଅଂଶୁ ସ୍ପେନ୍‌ରେ ରହୁଛନ୍ତି ସତ କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ପଢ଼ୁଛନ୍ତି ଏବଂ ଓଡ଼ିଶାରେ ହେଉଥିବା ପ୍ରମୁଖ ପ୍ରତିଯୋଗିତା ବି ଛାଡ଼ୁନାହାନ୍ତି। କଳିଙ୍ଗ ଷ୍ଟାଡିୟମ୍‌ରେ ସଦ୍ୟ ସମାପ୍ତ ଉତ୍କଳ ଓପନ୍‌ରେ ହ୍ୟାଟ୍ରିକ୍‌ ଗୌରବ ଅର୍ଜନ କରିବା ପରେ ‘ସମ୍ବାଦ’ ଭେଟିଥିଲା ଏହି ରାଫେଲ୍‌ ନାଦାଲ ହେୟାରଷ୍ଟାଇଲ୍‌ ଖେଳାଳିଙ୍କୁ।
ସ୍ପେନ୍‌ ଅଭିଜ୍ଞତା ମୋ ପାଇଁ ନୂଆ ନୁହେଁ, ମୁଁ ଆଗରୁ ମଧ୍ୟ ଏକାଧିକ ଧର ସ୍ପେନ୍‌ ଗସ୍ତ କରି ବିଭିନ୍ନ ପ୍ରତିଯୋଗିତା ଖେଳିଛି। କିନ୍ତୁ ଏଥର ସରକାର ମୋତେ ପ୍ରୋତ୍ସାହିତ କରିଥିବାରୁ ଚାପମୁକ୍ତ ହୋଇଛି ଏବଂ ଖେଳ ଉପରେ ଅଧିକ ଏକଗ୍ରତା ରଖିପାରୁଛି। ଗତ ନଭେମ୍ବରରୁ ମୁଁ ସ୍ପେନ୍‌ ଗସ୍ତ କରି ସେଠାରେ ରହୁଛି ଏବଂ ବିଭିନ୍ନ ପ୍ରତିଯୋଗିତା ଖେଳି ନିଜ ଖେଳକୁ ଅଧିକ ଶାଣିତ କରୁଛି। ମୋଟା ମୋଟି ଭାବେ ଦେଖିଲେ ମୋ ଖେଳ ଜୀବନ ଟିକିଏ ମନ୍ଥର ଚାଲିଛି। କିନ୍ତୁ ଭଲ ଚାଲିଛି ଏବଂ ଠିକଣା ବାଟରେ ରହିଛି। ମାନ୍ୟତା ବଢ଼ାଇବା ମୋ ମୁଖ୍ୟ ଲକ୍ଷ୍ୟ ଏବଂ ଏଟିପି ସ୍ତରରେ ଖେଳିବା ମୋ ଅସଲ ଉଦ୍ଦେଶ୍ୟ ବୋଲି କହିଥିଲେ ଅଂଶୁ। ଟେନିସ ଏବେ ଦୀର୍ଘମିଆଦୀ ଖେଳ ହୋଇଗଲାଣି, ସେ ଦୃଷ୍ଟିରୁ ଖେଳ ଜୀବନକୁ ବେଶ ଲମ୍ବା କରାଯାଇ ପାରିବ।
ଟେନିସ୍‌ ମୋତେ ଭଲ ଲାଗୁଥିବାରୁ ଏବଂ ପ୍ରଶଂସକଙ୍କ ପସନ୍ଦର ଖେଳ ହୋଇଥିବାରୁ ମୁଁ ଏହାକୁ ଆପଣାର କରିଛି। ବାପା ଅରୁଣ କୁମାର ଭୂୟାଁ ମୋ ପାଠ ପଢ଼ା ଦେଖନ୍ତି ଏବଂ ଟେନିସ୍‌ ବି ଶିଖାଇଛନ୍ତି। ପରବର୍ତୀ ସମୟରେ ଅଜୟ ନିଶଙ୍କ ଓ ଫାରହାନ୍‌ ଅଲୀଙ୍କଠାରୁ ପ୍ରଶିକ୍ଷିତ ହୋଇଛି। ମୋ ସ୍ମରଣଶକ୍ତି ଭଲ ଥିବାରୁ ମୁଁ ବିନା ପରିଶ୍ରମରେ ବି ପରୀକ୍ଷାରେ ଭଲ କରିପାରିଥାଏ। ପାଠ ପଢ଼ିଥିଲେ ନିଶ୍ଚିତ ଭଲ କରିପାରିଥାନ୍ତି। କିନ୍ତୁ ଯେଉଁଥିରେ ଆସିଛି ସେଥିରେ ଖୁସୀ ଅଛି। ଭାରତରେ ଏବେ ଟେନିସ୍‌ ମଧ୍ୟ ଭଲ ଉନ୍ନତି କରୁଛି। ଓଡ଼ିଶାରେ କିନ୍ତୁ ମୋତେ ଓ ଚିଣ୍ଟୁ ଭାଇ (ଚିନ୍ମୟ ପ୍ରଧାନ)ଙ୍କୁ ଛାଡ଼ିଦେଲେ କେହି ଉପରକୁ ଉଠୁନାହାନ୍ତି। ଅନ୍ୟ ରାଜ୍ୟରେ ପ୍ରତିଯୋଗିତା ବେଳେ ୨୦/୩୦ ଜଣ ସମାନ ସ୍ତରର ଖେଳାଳି ଥିବାବେଳେ ଏଠି ଆମ ଦୁହିଁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ସୀମିତ ରହୁଛି। ପରବର୍ତୀ ପିଢ଼ିଙ୍କ ପ୍ରଦର୍ଶନକୁ ଅପେକ୍ଷା କରିବାକୁ ପଡ଼ିବ କିମ୍ବା ଆମକୁ ଅଧିକ ଉଚ୍ଚସ୍ତରର ପ୍ରଦର୍ଶନ ରଖି ନିଜ ପାଇଁ ସ୍ୱୀକୃତି ଆଣିବାକୁ ପଡ଼ିବ ବୋଲି କହିଥିଲେ ସମ୍ପ୍ରତି ଜାତୀୟ ମାନ୍ୟତାରେ ଶୀର୍ଷ ୫୦ ଭିତରେ ଥିବା ଅଂଶୁ।

ସମ୍ବନ୍ଧିତ ଖବର