ଅନୁରାଗଙ୍କ ପ୍ରଥମ ଶତକ, ଓଡ଼ିଶା ୨୩୨/୬

ଭୁବନେଶ୍ବର: ନୂଆ ଋତୁ ଓ ନୂଆ ଦାୟିତ୍ବର ଭରପୁର ସୁଯୋଗକୁ ହାତେଇ ବାମହାତୀ ବ୍ୟାଟସମ୍ୟାନ ଅନୁରାଗ ଷଡ଼ଙ୍ଗୀ ନିଜ ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନର ପ୍ରଥମ ଶତକ ହାସଲ କରି ନେଇଛନ୍ତି। ଗୁରୁବାରଠାରୁ ସ୍ଥାନୀୟ କିଟ୍ କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିର ପ୍ରଥମ ରାଉଣ୍ଡ୍ ମୁକାବିଲାରେ ଓଡ଼ିଶା ପ୍ରତିପକ୍ଷ ହରିଆଣା ବିପକ୍ଷରେ ପ୍ରଥମ ଦିନରେ ୬ ୱିକେଟ୍‌ରେ ୨୩୨ ରନ୍ କରିଛି। ପ୍ରଥମ ଦିନର ସମ୍ମାନକୁ ଉଭୟ ଦଳ ଭାଗ ବାଣ୍ଟିଛନ୍ତି। ଓଡ଼ିଶା ଗୁରୁବାର ସକାଳେ ମ୍ୟାଚ୍ ଖେଳିବାକୁ ଯିବା ପୂର୍ବରୁ ଦଳର ସବୁଠୁ ଅଭିଜ୍ଞ ଖେଳାଳି ବସନ୍ତ ମହାନ୍ତିଙ୍କ ବିନା ପଡ଼ିଆକୁ ଓହ୍ଲାଇଥିବାରୁ ଝଟକା ପାଇଥିଲା। କିନ୍ତୁ ବ୍ୟାଟିଂ ଅନୁକୂଳ ପିଚ ଦେଖି ଅଧିନାୟକ ବିପ୍ଳବ ସାମନ୍ତରାୟ ଟସ୍ ଜିତି ବ୍ୟାଟିଂ କରିଥିଲେ। ପ୍ରଥମ ୱିକେଟ୍‌ ପାଇଁ ମଧ୍ୟ ଅନୁରାଗ ଷଡ଼ଙ୍ଗୀ ଏବଂ ସନ୍ଦୀପ ପଟ୍ଟନାୟକ ଭଲ ଆରମ୍ଭ କରିଥିଲେ। ୧୮ତମ ଓଭରରେ ସନ୍ଦୀପଙ୍କୁ ଅଜିତ ଚହଲ ବୋଲ୍ଡ କରି ଦେବା ପରେ ଗୋବିନ୍ଦ‌ ପୋଦ୍ଦାର (୧୪)ଙ୍କୁ ମୋହିତ ଶର୍ମା ଏଲବିଡବୁଲ୍ୟ କରିଥିଲେ। ଓଡ଼ିଶା ୧୧୦/୨ରେ ମଧ୍ୟାହ୍ନ‌ ଭୋଜନକୁ ଯାଇଥିଲା। ମଝି ଅଧିବେଶନ କିନ୍ତୁ ହରିଆନାର ରହିଥିଲା। ଏହି ସମୟରେ ଓଡ଼ିଶାର ୩ ପ୍ରମୁଖ ଖେଳାଳି ଶୁଭ୍ରାଂଶୁ ସେନାପତି (୧୧), ବିପ୍ଳବ ସାମନ୍ତରାୟ (୯) ଏବଂ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଅନୁରାଗ ଷଡ଼ଙ୍ଗୀ (୧୧୪, ୧୯୦ ବଲ, ୧୭ ଚୌକା, ୨ ଛକା)ଙ୍କ ୱିକେଟ୍‌ ହରାଇ ବଡ଼ ସ୍କୋର ସମ୍ଭାବନାକୁ ହାତଛଡ଼ା କରିବା ସହ ସଙ୍କଟ ଭିତରକୁ ଚାଲି ଆସିଥିଲା। ଚା’ପାନ ବିରତିର ଠିକ୍ ପୂର୍ବରୁ ଏକାଠି ହୋଇଥିବା ଯୁବ ତାରକା ଶାନ୍ତନୁ ମିଶ୍ର ଏବଂ ୱିକେଟରକ୍ଷକ ସୁଜିତ ଲେଙ୍କା ପାଳି ସଜାଡ଼ିବାକୁ ଚେଷ୍ଟା କରିଥିଲେ। ଷଷ୍ଠ ୱିକେଟ୍‌ ପାଇଁ ୪୫ ରନ୍ ଯୋଡ଼ିବା ପରେ କିନ୍ତୁ ଦ୍ବିତୀୟ ନୂଆ ବଲ୍ (୮୦.୧ ଓଭର) ଆଗମନ ହେବା ମାତ୍ରେ ଅଲଗା ହୋଇଯାଇଥିଲେ। ସୁଜିତ (୧୫, ୬୧ ବଲ)ଙ୍କୁ ନିଜ ବୋଲିଂରେ କ୍ୟାଚ୍ କରାଇ ହର୍ଷଲ ପଟେଲ ହରିଆଣାକୁ ପୁଣି ପ୍ରତ୍ୟାବର୍ତନ ସୁଯୋଗ ଦେଇଛନ୍ତି। ପ୍ରଥମ ଦିନ ଖେଳ ‌େ‌ଶଷ ବେଳକୁ କିନ୍ତୁ ଶାନ୍ତନୁ ମିଶ୍ର (୩୦*, ୧୦୮ ବଲ, ୪ ଚୌକା) ଏବଂ ଦେବବ୍ରତ ପ୍ରଧାନ (୭*, ୧୯ ବଲ, ୧ ଚୌକା) ବ୍ୟାଟିଂ କରୁଥିଲେ।

ଅନୁରାଗଙ୍କ ପ୍ରତୀକ୍ଷାର ଅନ୍ତ
ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନର ଚତୁର୍ଥ ଋତୁ ଏବଂ ୧୮ତମ ମ୍ୟାଚ୍‌ରେ ଅନୁରାଗ ଷଡ଼ଙ୍ଗୀ ପ୍ରଥମ ଶତକ ହାସଲ କରିଛନ୍ତି। ଆହତ କାରଣରୁ ଗତବ‌ର୍ଷ ଦଳଠୁ ଦୂରେଇ ରହିଥିବା ଏହି ବାମହାତୀ ଭୁବନେଶ୍ବର ଯୁବକ ନିଜ ଘରୋଇ ସହର ପଡ଼ିଆରେ ଏହି ଗୌରବ ଅର୍ଜନ କରି ମଧ୍ୟ ଖୁସି ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଓଡ଼ିଶା ପାଳି ଆରମ୍ଭରୁ ହରିଆଣା ବୋଲିଂକୁ ବିଗାଡ଼ିବାରେ ପ୍ରମୁଖ ଭୂମିକା ନେଇଥିଲେ। ଭାଗୀଦାରି ଅଭାବାରୁ ଓଡ଼ିଶା ବଡ଼ ସ୍କୋର ସୁଯୋଗ ହାତଛଡ଼ା କରି ଦେଇଛି, କିନ୍ତୁ ଏହି ୨୫ ବର୍ଷୀୟ ମୁକ୍ତେଶ୍ବର କ୍ରିକେଟର ଶତକ ସୁଯୋଗ ହାତଛଡ଼ା କରି ନ‌ଥିଲେ। ଏତେ ଆତ୍ମବିଶ୍ବାସରେ ଥିଲେ ଯେ ଦ୍ରୁତ ବୋଲର ଅଜିତ ଚହଲଙ୍କୁ ଲଗାତାର ବଲରେ ଛକା ଓ ଚୌକା ମାରି ସିଧାସଳଖ ୯୩ରୁ ୧୦୩ରେ ପହଞ୍ଚିଥିଲେ। ଏହା ପରେ ଅବଶ୍ୟ ପ୍ରଥମ ପଦାର୍ପଣକାରୀ ବାମହାତୀ ସ୍ପିନର ଟିଟୁ କୁଣ୍ଡୁଙ୍କୁ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରି ଆଗକୁ ବଢ଼ିବାରୁ ଷ୍ଟମ୍ପିଂ ହୋଇଯାଇଥିଲେ।

୩ ପ୍ରଥମ ପଦାର୍ପଣକାରୀ

କିଟ୍ କ୍ରିକେଟ୍ ଷ୍ଟାଡିୟମକୁ ଓଡ଼ିଶାର ୩ ଜଣ ଖେଳାଳି କେବେ ବି ଭୁଲି ପାରିବେ ନାହିଁ। ସେମା‌ନଙ୍କ ଖେଳ ଜୀବନ ଯେତେବାଟ ଯାଉ ପଛେ ସେମାନେ ଏହାକୁ ନିଶ୍ଚିତ ମନେ ରଖିବେ। ଏକକାଳୀନ ୩ ଜଣ ଖେଳାଳି ଦ୍ରୁତ ବୋଲର ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ ଏବଂ ଉଦିତ ତଥା ଚର୍ଚିତ ଅଫସ୍ପିନର ପପୁ ରୟ ଏହି ପଡ଼ିଆରୁ ସେମାନଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଜୀବନ ଆରମ୍ଭ କରିବାର ସ‌ୁଯୋଗ ପାଇଛନ୍ତି। ସଦ୍ୟ କନିଷ୍ଠ ଏସିଆ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ରାଜେଶ ମହାନ୍ତି ଏବଂ ଦେଓଧର ଟ୍ରଫି ବିଜେତା ଅଜିଙ୍କ୍ୟ ରାହାଣେଙ୍କ ଦଳର ସଦସ୍ୟ ପପୁ ରୟଙ୍କ ପଦାର୍ପଣ ନେଇ ପୂର୍ବଦିନରୁ ସଙ୍କେତ ଥିଲା। କିନ୍ତୁ ଗୁରୁବାର ସକାଳେ ଓଡ଼ିଶାର ସବୁଠୁ ଅଭିଜ୍ଞ‌ ଖେଳାଳି ବସନ୍ତ ମହାନ୍ତି ପାରିବାରିକ କାରଣରୁ ଉପଲବଧ ନ‌ ହେବାରୁ ଅପ୍ରତ୍ୟାଶିତ ଭାବେ ସମ୍ବଲପୁର ପ୍ରତିଭା ଦେବବ୍ରତ ପ୍ରଧାନଙ୍କୁ ଖେଳିବା ସୁଯୋଗ ମିଳିଥିଲା। ଗୋଟିଏ ମ୍ୟାଚରେ ଏକକାଳୀନ ୩ ଜଣ ପଦାର୍ପଣ କରିବା ଓଡ଼ିଶା ପାଇଁ ମଧ୍ୟ ଥିଲା ଦୀର୍ଘଦିନ ପରେ ବିରଳ।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୯୦ ଓଭରରେ ୨୩୨/୬ (ଅନୁରାଗ ଷଡ଼ଙ୍ଗୀ-୧୧୪, ସନ୍ଦୀପ ପଟ୍ଟନାୟକ-୨୦, ଶାନ୍ତନୁ ମିଶ୍ର-୩୦*, ଦେବବ୍ରତ ପ୍ରଧାନ-୭*, ମୋହିତ ଶର୍ମା-୨/୩୮, ହର୍ଷଲ ପଟେଲ-୨/୫୮, ଟିନୁ କୁଣ୍ଡୁ-୧/୨୯, ଅଜିତ ଚହଲ-୧/୫୨)।

ଏଭଳି ଏକ ପାଳିକୁ ମୁଁ ଅନେକ ଦିନରୁ ଅପେକ୍ଷା କରିଥିଲି। ବହୁବାର ୮୦/୯୦ ରନ୍ ପରେ ୱିକେଟ୍ ଫିଙ୍ଗି ଦେଇଥିଲି। ଏଥର କିନ୍ତୁ ମୋତେ ପାଳି ଆରମ୍ଭ କରିବା ସ‌ୁଯୋଗ ମିଳିଥିବାରୁ ଦାୟିତ୍ବ ବଢ଼ିଥିଲା। ଏବେ ଆତ୍ମବିଶ୍ବାସ ଆସିଥିବାରୁ ଆଗକୁ ଲମ୍ବା ଲମ୍ବା ପାଳି ଖେଳିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ପ୍ରଥମ ଦିନର ତାରକା ଅନୁରାଗ ଷଡ଼ଙ୍ଗୀ। ହରିଆଣା ବିପକ୍ଷରେ ‌ମୁଁ ଭଲ ଖେଳିବାକୁ ଭାଗ୍ୟ କି ଭଲ ପାଇବା ବୋଲି କହି ପାରିବି ନାହିଁ। କିନ୍ତୁ ଓଡ଼ିଶା ଏହି ମ୍ୟାଚ୍‌କୁ ବିଜୟରେ ଶେଷ କରିପାରିଲେ ମୁଁ ଅଧିକ ଖୁସି ହେବି ବୋଲି ମ୍ୟାଚ୍ ପରେ ସାମ୍ବାଦିକମାନଙ୍କ ସହ କଥା ହେବାବେଲେ କହିଥ‌ିଲେ ଅନୁରାଗ। ସକାଳେ ବ୍ୟାଟିଂ କରିବା ସହଜ ଥିଲା। ତଥାପି ସେମାନେ ଦ୍ବିତୀୟ ସେସନରେ ମୋତେ ଟାର୍ଗେଟ କରିଥିଲେ। ଶାନ୍ତନୁ ଭଲ ଖେଳୁଥିବାରୁ ଓଡ଼ିଶା ପ୍ରଥମ ପାଳିରେ ୩୨୦ ରନ୍ କରିପାରିଲେ ଭଲ ହେବ। ଦ୍ବିତୀୟ ଏବଂ ତୃତୀୟ ଦିନରୁ ବଲ ଟର୍ନ କରିବାର ସମ୍ଭାବନା ଥିବାରୁ ଆମେ ଚାପ ପକାଇପାରିବୁ ବୋଲି କହିଥିଲେ ଏହି ଷ୍ଟାଇଲିସ୍ ବ୍ୟାଟସମ୍ୟାନ। ଅଧିନାୟକ ବିପ୍ଳବ ସାମନ୍ତରାୟ ସ୍ବାଭାବିକ ଭାବେ ପ୍ରଥମ ଦିନର ଖେଳରେ ସନ୍ତୁଷ୍ଟ ହୋଇନାହାନ୍ତି। ଏକ ସମୟରେ ଲାଗୁଥିଲା ଆମେ ପ୍ରଥମ ଦିନରେ ହିଁ ୩୦୦ରୁ ଊର୍ଧ୍ବ ରନ୍ କରିନେବୁ। ହରିଆନା ବୋଲିଂ ୟୁନିଟ୍ ଭଲ ପ୍ରତ୍ୟାବର୍ତନ କଲା ଏବଂ ଆ‌ମ ରନ୍ ହାରରେ ଅଙ୍କୁଶ ଲାଗିଗଲା। ଆମେ ଅଧିକ ୩ ୱିକେଟ୍ ହରାଇବା ସହିତ ୬୦/୭୦ ରନ୍ କମ କରିଛୁ। ଶାନ୍ତନୁ ଭଲ ଖେଳୁଥିବାରୁ ଆଶା ରଖିଛୁ ୩୦୦ରୁ ଅଧିକ ରନ୍ ପାଇଁ। ସେଟ ହେବା ପରେ ମୋ ସହିତ ଅନ୍ୟ ବ୍ୟାସମମ୍ୟାନ୍ ଭୁଲ କରିନଥିଲେ ୱିକେଟ୍ ଯାଇନଥାନ୍ତା। ତେଣୁ ଆମ ଭୁଲରୁ ହିଁ ୱିକେଟ୍ ଯାଇଛି। ଛୋଟ ପାଳିକୁ ବଡ଼ରେ ପରିଣତ କରିବା ଯୋଜନାରେ ବିଫଳ ହୋଇଛୁ ବୋଲି ବିପ୍ଳବ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର