ନଟିଂହାମ: ତୃତୀୟ ଟେଷ୍ଟରେ ଭାରତର ବିଜୟ ନେଇ ଅଧିନାୟକ ବିରାଟ କୋହଲି କହିଛନ୍ତି, ଏହା ଅନୁଷ୍କା ଶର୍ମାଙ୍କ ପ୍ରେରଣା ଥିଲା। ଇଂଲଣ୍ଡ ବିପକ୍ଷରେ ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ ଷ୍ଟାଡିୟମରେ ଐତିହାସିକ ବିଜୟ ପରେ କୋହଲି ଏଭଳି ମନ୍ତବ୍ୟ ଦେଇଛନ୍ତି। ପ୍ରଥମ ଇନିଂସରେ ୯୭ ରନ୍‌ ଓ ୨ୟ ଇନିଂସରେ ୧୦୩ ରନ୍‌ ଯୋଡ଼ି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଜିତିଥିବା କୋହଲି ଏହି ବିଜୟକୁ ଶତାଦ୍ଦୀର ବଡ଼ ବିପର୍ଯ୍ୟୟ କୁହାଯାଉଥିବା ‘କେରଳ ବନ୍ୟା ପୀଡ଼ିତ’ଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।

Advertisment

ବଲିଉଡ଼ ସିନେମାରେ ଅଗ୍ରଣୀ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଅନୁଷ୍କା ଶର୍ମା ଇଂଲଣ୍ଡରେ କୋହଲିଙ୍କ ପ୍ରଥମ ଶତକ ହାସଲ କରିବା ସମୟରେ ଉପସ୍ଥିତ ଥିଲେ। ସେ ମଧ୍ୟ ଟ୍ରେଣ୍ଟ ବ୍ରିଜ ଷ୍ଟାଡିୟମରେ କୋହଲି ଯେତେବେଳେ ଶତକ(୧୦୩) ହାସଲ କରିଥିଲେ, ସେହି ସମୟରେ ଛିଡ଼ା ହୋଇଥିଲେ। କୋହଲି କହିଛନ୍ତି, ଅନୁଷ୍କାଙ୍କ ପ୍ରେରଣାରେ ସେ ଭଲ ପ୍ରଦର୍ଶନ କରିଛନ୍ତି।

publive-image

ତୁସକେନି ଠାରେ ଗତ ଡିସେମ୍ବରରେ କୋହଲି ଓ ଅନୁଷ୍କାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। କୋହଲି ତାଙ୍କ ଟେଷ୍ଟ କ୍ୟାରିୟରର ୨୩ତମ ଶତକ ସୋମବାର ହାସଲ କରିଥିଲେ। ଏହି ଅବସରରେ ଅନୁଷ୍କା ଚିୟର କରିଥିଲେ। ଏହାକୁ ନେଇ ସମଗ୍ର ବିଶ୍ୱ କ୍ରିକେଟ ଜଗତରେ ଆଲୋଚନା ହୋଇଥିଲା। ପୂର୍ବରୁ ଅନେକ ଥର ଭାରତୀୟ ଟିମର ମ୍ୟାଚ ଚାଲିଥିବା ବେଳେ ଅନୁଷ୍କା ଉପସ୍ଥିତ ରହିଛନ୍ତି। କିନ୍ତୁ ଅନେକ ମ୍ୟାଚରେ ଭାରତ ହାରିଛି। ସେହି ସମୟରେ ପ୍ରଶଂସକମାନେ ଅନୁଷ୍କା ଓ ବିରାଟଙ୍କୁ ସମାଲୋଚନା କରିଛନ୍ତି।

୫ ମ୍ୟାଚ ଶୃଙ୍ଖଳାର ୩ୟ ଟେଷ୍ଟରେ ଭାରତ ବିଜୟୀ ହେବା ସହିତ ସୌରଭ ଗାଙ୍ଗୁଲିଙ୍କ ପରେ ବିରାଟ କୋହଲି ଦ୍ୱିତୀୟ ସଫଳତମ ଭାରତୀୟ ଟେଷ୍ଟ ଅଧିନାୟକ ହୋଇପାରିଛନ୍ତି। ଚଳିତ ଶୃଙ୍ଖଳା ୨୦୧୪ ଶୃଙ୍ଖଳା ଠାରୁ ଭିନ୍ନ। ସେହି ସମୟରେ କୋହଲି ୧୦ଟି ଇନିଂସରେ ୧୩୪ ରନ୍‌ ସଂଗ୍ରହ କରିଥିଲେ। ମାତ୍ର ଚଳିତ ବର୍ଷ ୬ଟି ଇନିଂସରେ ୪୪୦ ରନ୍‌ ସଂଗ୍ରହ କରିସାରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସାମିଲ ଅଛି।

ସୂଚନାଯୋଗ୍ୟ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୩୨ ବର୍ଷ ମଧ୍ୟରେ ଶ୍ରେଷ୍ଠ ବିଜୟ ହାସଲ କରିଛି। କ୍ରମାଗତ ଭାବରେ ୨ଟି ଟେଷ୍ଟରେ ପରାଜିତ ହେବା ପରେ ୩ୟ ଟେଷ୍ଟରେ ବିଜୟୀ ହୋଇଛି। ଇଂଲଣ୍ଡକୁ ୨୦୩ରେ ପରାସ୍ତ କରିଛି।