ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଫିଟନେସ୍ ଟେଷ୍ଟ ଆଗାମୀ ଜୁନ ୧୫ରେ ହେବ। ସେଥିପାଇଁ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ସେ ବେଙ୍ଗାଲୁରୁ ଗସ୍ତ କରିଛନ୍ତି। ଦର୍ଶକ ଓ ପ୍ରଶଂସକମାନେ ମଙ୍ଗଳବାର ବିରାଟ ଓ ଅନୁଷ୍କାଙ୍କ ଯୋଡ଼ିକୁ ମୁମ୍ବାଇ ବିମାନବନ୍ଦରରେ ଦେଖିଛନ୍ତି। ବିଗତ କିଛି ଦିନ ହେବ ଭାରତୀୟ ଅଧିନାୟକ ବିରାଟ କୋହଲି ଫିଟ୍ନେସ ଜନିତ ସମସ୍ୟାରେ ପଡ଼ିଛନ୍ତି। ବେକରେ ଆଘାତ ଯୋଗୁଁ ତାଙ୍କର ଇଂଲଣ୍ଡ ଗସ୍ତର ପ୍ରସ୍ତୁତିକୁ ଝଟକା ଲାଗିଛି ଓ ସେ ଇଂଲିଶ କାଉଣ୍ଟି ସର୍କିଟରେ ମଧ୍ୟ ଖେଳି ପାରିବେ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
କୋହଲିଙ୍କ ଏହି ଫିଟ୍ନେସ୍ ଟେଷ୍ଟ ପରେ ବ୍ରିଟେନ ଗସ୍ତର ସୀମିତ ଓଭରର ପ୍ରାଥମିକ ପର୍ଯ୍ୟାୟରେ ତାଙ୍କର ଉପସ୍ଥିତି ସମ୍ପର୍କରେ କୁହାଯାଇ ପାରିବ। ଏହି ଗସ୍ତର ଆରମ୍ଭ ଜୁନ ଶେଷ ସପ୍ତାହରେ ଆର୍ୟରଲାଣ୍ଡ ବିରୋଧରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ହେବ। ଏହି ଫିଟ୍ନେସ ଟେଷ୍ଟ କୋହଲିଙ୍କ ପାଇଁ ‘ଅଗ୍ନିପରୀକ୍ଷା’ ହେବ।
ସୂଚନାଯୋଗ୍ୟ, କୋହଲି ଏହି ଟେଷ୍ଟ ପାଇଁ ପ୍ରସ୍ତୁତି ହେବା ଓ ଫିଟ ରହିବା ପାଇଁ ଆଇପିଏଲ୍ ପରେ ବହୁତ ପରିଶ୍ରମ କରିଛନ୍ତି। ବର୍ଷ ୨୦୧୪ରେ ବିରାଟ କୋହଲିଙ୍କ ଇଂଲଣ୍ଡ କାଉଣ୍ଟି ଗସ୍ତ ଖରାପ ହୋଇଥିଲା କିନ୍ତୁ ଏଥର ସେ ଏହି ରେକର୍ଡ ସୁଧାରିବା ପାଇଁ ଉତ୍ସାହିତ ଥିଲେ। ଅଗଷ୍ଟ ୧ରୁ ଭାରତକୁ ଇଂଲଣ୍ଡ ବିରୋଧରେ ୫ଟି ମ୍ୟାଚର ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଆର୍ୟରଲାଣ୍ଡ ସହିତ ୨ଟି ଟି-୨୦ ଖେଳିବାକୁ ହେବ। ଇଂଲଣ୍ଡର ବିରୋଧରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳିବାର ଅଛି।
ଜୁନ ୧୫ରେ ହେବାକୁ ଥିବା ଫିଟନେସ ଟେଷ୍ଟରେ କୋହଲି ପାସ୍ ହେବେ ନା ନାହିଁ ଆଉ ୨ ଦିନ ପରେ ଜଣାପଡ଼ିବ। ବିଗତ କିଛି ବର୍ଷର ରେକର୍ଡ ଯଦି ଦେଖାଯିବା କୋହଲି ଏହି ସମୟରେ ଅଧିକ ଝାଳ ବୁହାଇଛନ୍ତି। ୨ ବର୍ଷ ମଧ୍ୟରେ ଭାରତୀୟ ଟିମ୍ ଦ୍ୱାରା ମୋଟ୍ ୯୫ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ କି କୋହଲି ୭୬ଟି ମ୍ୟାଚ୍ରେ ଖେଳିଛନ୍ତି। କୋହଲି ୨୫ଟି ଟେଷ୍ଟ, ୩୭ଟି ଦିନିକିଆ ମ୍ୟାଚ୍ ବ୍ୟତୀତ ୧୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।