କେହି ବି କରାଟେ କରି ପାରିବେ

ଅସଂଖ୍ୟ ଅନ୍ତର୍ଜାତୀୟ ପଦକ ସହ ପାଞ୍ଚ ଥର ଏସୀୟ ଏବଂ ଦୁଇ ଥର ବିଶ୍ୱ ବିଜେତା। ଇରାନର ଯୁବ କରାଟେକା ଆମିର ମେହଦି ଜାଦେଙ୍କ ସଫଳତା ଧାରା ବେଶ୍‌ ଲମ୍ବା। କରାଟେ ଦୁନିଆର ଏହି ସୁପରିଚିତ ତାରକା ଜାତୀୟ କରାଟେ ସଂଘର ସ୍ୱତନ୍ତ୍ର ଆମନ୍ତ୍ରଣ କ୍ରମେ ଭାରତ ଆସିଛନ୍ତି। ସଂଘ ପକ୍ଷରୁ ଭୋପାଳ, ଦିଲ୍ଲୀ, ଚେନ୍ନାଇ ଓ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ସେ ଭାରତୀୟ କରାଟେକାଙ୍କୁ ନିଜ ଜ୍ଞାନ ବାଣ୍ଟିବେ। ସେମାନଙ୍କ ଦୋଷ ଦୁର୍ବଳତା ଚିହ୍ନି ଏହାକୁ ଦୂର କରିବାର କୌଶଳ ବତାଇବେ। ଏହି ଚାରିଟିକିଆ ପ୍ରଶିକ୍ଷଣ ଶିବିରର ପୂର୍ବାଞ୍ଚଳ ପର୍ବରେ ଯୋଗ ଦେବା ଲାଗି ଭୁବନେଶ୍ୱର ଆସିଥିଲା ବେଳେ ସେନ୍‌ସେଇ ଆମିରଙ୍କୁ ଭେଟିଥିଲେ ଦେବାଶିଷ ସୁନ୍ଦରାୟ
ଆପଣ ପୂର୍ବରୁ ଦୁଇ ଥର ଭାରତ ଆସିଛନ୍ତି। ହେଲେ ପ୍ରଥମ ଥର ପାଇଁ ଓଡ଼ିଶାରେ ପାଦ ଥାପିଛନ୍ତି। ଓଡ଼ିଶା ଆସିବାର ମୁଖ୍ୟ ଉଦ୍ଦେଶ୍ୟ କ’ଣ?
ଆମିର: ହଁ ମୁଁ ପୂର୍ବରୁ ଦୁଇ ଥର ଭାରତ ଆସିଛି। ଭାରତ ମୋତେ ବହୁତ ଭଲ ଲାଗେ। ହେଲେ ପ୍ରଥମ ଥର ଓଡ଼ିଶା ଆସି ସବୁଠୁ ବେଶି ଖୁସି ଲାଗୁଛି। ଏଠାରେ ଆୟେଜିତ ହେଉଥିବା ଜାତୀୟ କରାଟେ ପ୍ରଶିକ୍ଷଣ ଶିବିରରେ ମୁଁ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା କରାଟେକାଙ୍କୁ ପ୍ରଶିକ୍ଷଣ ଦେଉଛି। ଭାରତରେ ଏଭଳି ଚାରିଟି ଶିବିର ଆୟୋଜିତ ହେଉଛି। ପ୍ରତ୍ୟେକ ଶିବିରକୁ ମୁଁ ୧୦ ଦିନ ଲେଖାଏଁ ସମୟ ଦେବି। ଏଣୁ ଆସନ୍ତା ୪୦ ଦିନ ପର୍ଯ୍ୟନ୍ତ ଭାରତରେ ରହିବି। ଭାବୁଛି ଏହି ସମୟ ମଧ୍ୟରେ ଏଠାକାର ଯୁବ ଓ ଉଦୀୟମାନ କରାଟେକାଙ୍କ ଅଭିବୃଦ୍ଧିରେ ସହଯୋଗ କରିପାରିବି।
ପ୍ରଶିକ୍ଷଣ ଶିବିରରେ କେତେଜଣ ପିଲା ଅଛନ୍ତି? ଏମାନଙ୍କୁ ଆପଣ କି ପ୍ରକାର ଶିକ୍ଷା ଦେଉଛନ୍ତି। ଭାରତୀୟ ପ୍ରତିଯୋଗୀଙ୍କ କରାଟେ ଦକ୍ଷତା ଉପରେ ଆପଣଙ୍କ ମତ କ’ଣ?
ଆମିର: ଶିବିରରେ ମୋଟ ୬୫ ଜଣ ଖେଳାଳି ଅଛନ୍ତି। କେବଳ ଓଡ଼ିଶାରୁ ଏଥିରେ ୪୦ ଜଣ ସ୍ଥାନ ପାଇଛନ୍ତି। ମୁଁ ସେମାନଙ୍କୁ ଆଧୁନିକ ସହ ପାରମ୍ପରିକ ଶୈଳୀରେ ପ୍ରଶିକ୍ଷଣ ଦେଉଛି। ଶାରୀରିକ ସୁସ୍ଥତା ସହ କରାଟେର ବିଭିନ୍ନ କଳା ଶିଖାଉଛି। ମୋଟ ଉପରେ କହିବାକୁ ଗଲେ ସେମାନଙ୍କ କ୍ରୀଡ଼ା ପ୍ରତିଭାକୁ ଆହୁରି ଶାଣିତ କରିବାକୁ ଚେଷ୍ଟା କରୁଛି। ପିଲାମାନେ ବି ବହୁତ ଆଗ୍ରହ ଦେଖାଉଛନ୍ତି। ଭୁବନେଶ୍ୱରରେ ଭଲ ସୁବିଧା ସୁଯୋଗ ଅଛି। ଏହି କ୍ଷେତ୍ରରେ ଆପଣ ଉତ୍କଳ କରାଟେ ସ୍କୁଲକୁ ଏକ ଉଦାହରଣ ଭାବେ ନେଇ ପାରନ୍ତି। ଉପକରଣ, ଅର୍ଥ ଆଦି ସମସ୍ୟା ଥିଲେ ମଧ୍ୟ ସେମାନେ ଏସବୁ ପ୍ରତିବନ୍ଧକକୁ ଅତିକ୍ରମ କରିପାରିବେ ବୋଲି ଭାବୁଛି।
ଭାରତୀୟ କରାଟେକାଙ୍କ ପ୍ରମୁଖ ଶକ୍ତି ଏବଂ ଦୁର୍ବଳତାକୁ ଆପଣ କିଭଳି ଭାବେ ବର୍ଣ୍ଣନା କରିବେ। ଅନ୍ୟ ଦେଶର ଖେଳାଳିଙ୍କଠାରୁ ଭାରତୀୟଙ୍କର କିଛି ସ୍ୱତନ୍ତ୍ରତା ଅଛିକି?
ଆମିର: ଭାରତୀୟ ଖେଳାଳିଙ୍କ ସବୁଠାରୁ ଭଲ ଗୁଣ ହେଲା ସେମାନେ କେବେବି ପରିଶ୍ରମ କରିବାକୁ ପଛାନ୍ତି ନାହିଁ। ବୈଷୟିକ ଜ୍ଞାନ କମ୍‌ ଥିଲେ ମଧ୍ୟ ସେମାନେ ସହଜରେ ହାର ମାନନ୍ତି ନାହିଁ। ଇରାନରେ ମୁଁ ଦେଖିଛି କରାଟେକାମାନେ କିଛି ସମୟ ଅଭ୍ୟାସ କରିବେ, ତା’ ପରେ ଯାଇ ଶୋଇ ପଡ଼ିବେ। ଏଠାକାର ପିଲାମାନେ କିନ୍ତୁ ସେମିତି ନୁହନ୍ତି। ସେମାନେ ନୂଆ ନୂଆ କଥା ଶିଖିବାକୁ ସବୁବେଳେ ଆଗ୍ରହୀ। ହେଲେ ସେମାନଙ୍କର ଦୁର୍ବଳ ଦିଗ ବି ଅଛି। ଭାରତୀୟ କରାଟେକାମାନେ ନିୟମିତ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରୁ ନାହାନ୍ତି। ଫଳରେ ସେମାନଙ୍କ ପ୍ରତିଭାର ବିକାଶ ହୋଇ ପାରୁ ନାହିଁ। ବୈଷୟିକ ଜ୍ଞାନ ବଢ଼ୁ ନାହିଁ।
କରାଟେକୁ ସାଧାରଣତଃ ଆତ୍ମରକ୍ଷାର ଏକ ସାଧନ ଭାବେ ବିବେଚନା କରାଯାଏ। ଏହାକୁ ପେସା କରିହେବ କି? ଆପଣଙ୍କ ମତରେ କରାଟେର ଭବିଷ୍ୟତ କ’ଣ?
ଆମିର: ମୁଁ ଏକଥାରେ ଏକମତ। କରାଟେ ଦୀର୍ଘ ବର୍ଷ ହେବ ଆତ୍ମରକ୍ଷାର ଅନ୍ୟତମ ସାଧନ ଭାବେ ପରିଗଣିତ ହୋଇ ଅସୁଛି। ଏହାକୁ ଯେତିକି ଗୁରୁତ୍ୱ ମିଳିବା କଥା ମିଳୁନି। ଆଉ ଏକ କଥା ହେଲା କରାଟେ ଏକ ବିପଜ୍ଜନକ ଖେଳ ବୋଲି ଅନେକ ଭାବନ୍ତି। ହେଲେ ଏହା ଆଦୌ ସତ ନୁହେଁ। କରାଟେରେ ପ୍ରତିପକ୍ଷ ଖେଳାଳିଙ୍କ ଶରୀର ସହ ଖୁବ୍‌ କମ୍‌ ସଂପର୍କ ହୋଇଥାଏ। ଏଣୁ ଜଣେ ଖେଳାଳି ଆହତ ହେବାର ଆଶଙ୍କା କମ୍‌ ଥାଏ। ଏହା ତୁଳନାତ୍ମକ ଭାବେ କମ୍‌ ବିପଦ୍‌ଜନକ, ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ। କରାଟେ ଅତି ସହଜ। କିଛି ଦିନର ପ୍ରଶିକ୍ଷଣ ଏବଂ ଅଭ୍ୟାସ ପରେ ଏହାକୁ ଜଣେ ସାଧାରଣ ଲୋକ ମଧ୍ୟ କରିପାରିବ। କରାଟେ ପାଇଁ ଶକ୍ତିଶାଳୀ ହେବା ଦରକାର ନାହିଁ। ହେଲେ ଦକ୍ଷତା ଏବଂ କୌଶଳ ମହତ୍ୱପୂର୍ଣ୍ଣ। ମୁଁ ଦୃଢ଼ତାର ସହ କହିବି ଯେ ସଂପ୍ରତି ଏହାକୁ ପେସା କରିହେବ। କରାଟେ ବିଶ୍ୱର ପ୍ରାୟ ସବୁ ଦେଶରେ ଖେଳା ଯାଏ। ଏହାର ଭବିଷ୍ୟତ ନିଶ୍ଚିତ ଭାବେ ଉଜ୍ଜ୍ୱଳ ବୋଲି ଭାବୁଛି।
କରାଟେ ଏକ ପୂରାତନ ସାମରିକ କଳା। ହେଲେ ଅନ୍ୟ ଖେଳ ତୁଳନାରେ ଏହା ପଛରେ ପଡ଼ିଗଲା ଭଳି ମନେ ହୁଏ। ଫୁଟବଲ୍‌ ଏବଂ କ୍ରିକେଟ୍‌ ଭଳି ଲୋକପ୍ରିୟତା ଏହା କାହିଁକି ହାସଲ କରିପାରୁନାହିଁ?
ଆମିର: ଦେଖନ୍ତୁ ଫୁଟବଲ୍‌ ଏବଂ କ୍ରିକେଟ୍‌ ଭଳି ଖେଳ ଆପଣ ଟେଲିଭିଜନରେ ୨୪ ଘଣ୍ଟା ଦେଖିବାକୁ ପାଉଛନ୍ତି। ଏଥିରେ ଅଧିକ ଅର୍ଥ ଅଛି। ଦର୍ଶକ ସଂଖ୍ୟା ଢେର ଅଧିକ। କରାଟେ ମଧ୍ୟ ଏଭଳି ଲୋକପ୍ରିୟତା ପାଇପାରିବେ। ଏହାକୁ ଆମକୁ କିନ୍ତୁ ଟିକିଏ ଗ୍ଲାମରିଅସ୍‌ କରିବାକୁ ହେବ। କ୍ରିକେଟ୍‌, ଟେନିସ୍‌, ଫୁଟବଲ୍‌ ଭଳି ଲିଗ୍‌ ଆୟୋଜନ କରିବାକୁ ହେବ। ଟେଲିଭିଜନରେ କେମିତି ବଡ଼ ବଡ଼ ପ୍ରତିଯୋଗିତା ନିୟମିତ ପ୍ରସାରିତ ହୋଇ ପାରିବ ତାକୁ ଦେଖିବାକୁ ହେବ। ଏହା ହେଲେ ଅଧିକରୁ ଅଧିକ ଲୋକ କରାଟେ ପ୍ରତି ଆକର୍ଷିତ ହେବେ।
ଭାରତ ଓ ଇରାନରେ ଥିବା କରାଟେ ଭିତ୍ତିିଭୂମିର ମୁଖ୍ୟ ପାର୍ଥକ୍ୟ କ’ଣ। ବିଶ୍ୱ ସ୍ତରୀୟ ସଫଳତା ଲାଗି ଭାରତରେ ଥିବା ସୁବିଧା ସୁଯୋଗ ପର୍ଯ୍ୟାପ୍ତ କି?
ଆମିର: ଆମ ଦେଶରେ ବହୁ କରାଟେ ଲିଗ୍‌ ହୁଏ। ଆମେ ମଧ୍ୟ ବାହାରେ ଆୟୋଜିତ ହେଉଥିବା ଲିଗ୍‌ରେ ଖେଳିବାକୁ ଯାଉ। ଏହା ଦ୍ୱାରା ଆମକୁ ଅନ୍ୟ ଦେଶର ଖେଳାଳିଙ୍କ ସହ ଖେଳିବାର ସୁଯୋଗ ମିଳେ। ଆମେ ଆମ ଦୁର୍ବଳତା ଜାଣି ପାରୁ ଏବଂ ତଦନୁଯାୟୀ ଅଭ୍ୟାସ କରୁ। ଭାରତରେ ସବୁଠାରୁ ବଡ଼ ଅସୁବିଧା ହେଲା ଏଠାକାର ଖେଳାଳିଙ୍କୁ ଅନ୍ତର୍ଜାତୀୟ ଏକ୍ପପୋଜର ମିଳୁନି। ଅର୍ଥାତ୍‌ ଏମାନେ ଯେତିକି ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବା କଥା ସେତିକି ଖେଳୁ ନାହାନ୍ତି। ସେଥିପାଇଁ ସେମାନେ ବିଶ୍ୱ ପ୍ରତିଯୋଗିତା ଭଳି ବଡ଼ ବଡ଼ ପ୍ରତିଯୋଗିତାରେ ସଫଳ ହୋଇ ପାରୁ ନାହାନ୍ତି। ବଡ଼ ଖେଳାଳିଙ୍କ ବିପକ୍ଷରେ ଖେଳିଲେ ହିଁ ସେମାନଙ୍କ ଦକ୍ଷତା ବଢ଼ି ପାରିବ।
ଉତ୍କଳ କରାଟେ ସ୍କୁଲ ଏବଂ ଓଡ଼ିଶାରେ କରାଟେର ଲୋକପ୍ରିୟତା ବଢ଼ାଇବା ଲାଗି ଏହାର ପ୍ରତିଷ୍ଠାତା ହରି ପଟ୍ଟନାୟକ କରୁଥିବା ପ୍ରୟାସ ବିଷୟରେ ଆପଣ କ’ଣ କହିବେ?
ଆମିର: ହରି ସାର୍‌ ବହୁତ ଭଲ କାମ କରୁଛନ୍ତି। ସମଗ୍ର ଭାରତରେ ଉତ୍କଳ କରାଟେ ସ୍କୁଲର ଭଲ ନାଁ ରହିଛି। ହେଲେ ଏମିତି ଆହୁରି ଆନେକ ପ୍ରଶିକ୍ଷଣ କେନ୍ଦ୍ରର ଆବଶ୍ୟକତା ରହିଛି। ଯେତେ ଅଧିକ ପ୍ରଶିକ୍ଷଣ କେନ୍ଦ୍ର ହେବ ସେତେ ଅଧିକ ପିଲା କରାଟେ ପ୍ରତି ଆକର୍ଷିତ ହେବେ। ଭାରତରେ ବିଭିନ୍ନ ଖେଳର ବହୁ ଲିଗ୍‌ ଆୟୋଜିତ ହେଉଥିବା ମୁଁ ଶୁଣିଛି। କରାଟେର ମଧ୍ୟ ଲିଗ୍‌ ଆୟୋଜିତ ହେଉ। ଓଡ଼ିଶାରେ ଏହା ଉତ୍କଳ କରାଟେ ସ୍କୁଲ କରିପାରିବ ବୋଲି ମୁଁ ଭାବୁଛି। ଯୁବ କରାଟେକାଙ୍କୁ ମୁଁ ଏତିକି କହିବି ଯେ ସେମାନେ ନିଜ ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ। ଏହାକୁ ପୂରଣ କରିବା ପାଇଁ ଅବିରହ ଚେଷ୍ଟା କରନ୍ତୁ। ବହୁବର୍ଷ ପୂର୍ବେ ମୁଁ ବିଶ୍ୱ ବିଜେତା ହେବାର ସ୍ୱପ୍ନ ଦେଖିଥିଲି। ଏହାକୁ ଅନୁସରଣ କଲି ଏବଂ ଦୁଇ ଥର ବିଶ୍ୱ ବିଜୟୀ ହୋଇ ପାରିଲି।

ସମ୍ବନ୍ଧିତ ଖବର