ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍‌:ଆଶୁତୋଷଙ୍କ ଶତକ; ସେମିରେ ରାମେଶ୍ୱର

ଭୁବନେଶ୍ୱର:ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଅରବିନ୍ଦ ସ୍ମାରକୀ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ ଗେଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ବୃହତ୍‌ ବ୍ୟବଧାନର ବିଜୟ ଦେଖିବାକୁ ମିଳିଲା। ରବିବାର କଟକର ୟୁନିୟନ୍‌ ସ୍ପୋର୍ଟିଂ ବିପକ୍ଷରେ ପାରାମାଉଣ୍ଟ୍‌-ଏ ଦଳ ୧୯୫ ରନ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା ବେଳେ ମଙ୍ଗଳବାର ତୃତୀୟ କ୍ୱାର୍ଟର ଫାଇନାଲ୍‌ରେ ରାମେଶ୍ୱର ସ୍ପୋର୍ଟିଂ ୧୦୪ ରନ୍‌ରେ ପାରାମାଉଣ୍ଟ୍‌-ବି ଦଳକୁ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଛି।

ଟସ୍‌ ଜିତି ରାମେଶ୍ୱର ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ପୂର୍ବ ମ୍ୟାଚ୍‌ରେ ୯୦ ରନ୍‌ର ବିଜୟୀ ପାଳି ଖେଳିଥିବା ଆଶୁତୋଷ ସାହୁ ମଙ୍ଗଳବାର ପାରାମାଉଣ୍ଟ୍‌-ବି ବିପକ୍ଷରେ ଶତକ ଜମାଇଥିଲେ। ସେ ୯୯ ବଲ୍‌ରୁ ଦ୍ରୁତ ୧୦୧ (୧୧ ଚୌକା, ୩ ଛକା) ରନ୍‌ କରିଥିଲା ବେଳେ ଏମ୍‌ ଗୌତମ ଗୋପାଳ ୩୨ ଓ ଚାନ୍ଦ କୋଠାରୀ ୧୫ ରନ୍‌ର ଅବଦାନ ରଖିଥିଲେ। ଫଳରେ ରାମେଶ୍ୱର ନିର୍ଧାରିତ ୪୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୯୮ ରନ୍‌ କରିନେଇଥିଲା। ପାରାମାଉଣ୍ଟ୍‌ ପକ୍ଷରୁ ପ୍ରତ୍ୟୁଷ ସାହୁ, ଚିରାଗ ମିଶ୍ର, ଓ ସ୍ପନ୍ଦନ ମହାନ୍ତି ୨ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ।

ଜବାବରେ ରାମେଶ୍ୱରର ଚାନ୍ଦ କୋଠାରୀ (୮-୨-୧୩-୩) ଏବଂ ଅନୁଜ ମହାସୁପକାର (୬.୨-୧-୨୦-୨)ଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ପାରାମାଉଣ୍ଟ୍‌ ଦଳ ୩୪.୨ ଓଭରରେ ୯୪ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଶତକୀୟ ପାଳି ଖେଳିଥିବା ବିଜୟୀ ଦଳର ଆଶୁତୋଷ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବତନ ରଣଜୀ ଖେଳାଳି ତଥା ମନୋନୟନକର୍ତା ଶୁଭାଶିଷ ଭୂୟାଁ ଅତିଥି ଭାବେ ଯୋଗଦେଇ ଆଶୁତୋଷଙ୍କୁ ପୁରସ୍କୃତ କରିଥିଲେ। ପ୍ରଦୀପ ଜେନା ଓ ଅସିତ୍‌ ପଟ୍ଟନାୟକ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ମହମ୍ମଦ ଅଜିଜ୍‌ ମ୍ୟାଚ୍‌ ରେଫରି ରହିଥିଲେ। ବୁଧବାର ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ ଏବଂ କଟକର ଜୁଭେନାଇଲ୍‌ ମଧ୍ୟରେ ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ୍‌ ମୁକାବିଲା ହେବ।

ସମ୍ବନ୍ଧିତ ଖବର