ଆର୍ଜେଣ୍ଟିନା ଘା’ରେ ମଲମ: ମାରାଡୋନାଙ୍କ ମାଗଣା ପ୍ରଶିକ୍ଷଣ ପ୍ରସ୍ତାବ

ମସ୍କୋ: ଆର୍ଜେଣ୍ଟିନା ଫୁଟବଲ୍‌ ଦଳ ମସ୍କୋ ବିଶ୍ୱକପର ପ୍ରି-କ୍ୱାର୍ଟରରୁ ବିଦାୟ ନେବା ପରେ ଏହି ଦେଶର ପ୍ରଶଂସକଙ୍କ ସହ ଖେଳାଳିମାନେ ବି ପୂରା ଭାଙ୍ଗି ପଡ଼ିଛନ୍ତି। ଏଭଳି ଦୁଃସମୟରେ ସେମାନଙ୍କ କଟା ଘା’ରେ ମଲମ ଲଗାଇବାକୁ ଆଗେଇ ଆସିଛନ୍ତି ଏହି ଦେଶର ମହାନ ଖେଳାଳି ଡିଏଗୋ ମାରାଡୋନା। ଆର୍ଜେଣ୍ଟିନା ଜାତୀୟ ଦଳକୁ ମାଗଣାରେ ପ୍ରଶିକ୍ଷଣ ଦେବାର ପ୍ରସ୍ତାବ ସେ ମଙ୍ଗଳବାର ଦେଇଛନ୍ତି। ହେଲେ ୮ ବର୍ଷ ତଳେ ଅର୍ଥାତ୍‌ ୨୦୧୦ରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଖେଳିଥିଲା। ହେଲେ ବିଶ୍ୱକପ୍‌ ଜିତିବାରେ ପୂରା ବିଫଳ ହୋଇଥିଲା। କ୍ୱାର୍ଟର ଫାଇନାଲରେ ଜର୍ମାନିଠାରୁ ଶୋଚନୀୟ ଭାବେ ୦-୪ରେ ହାରି ବିଦାୟ ନେଇଥିଲା। ଆର୍ଜେଣ୍ଟିନାର ସାଂପ୍ରତିକ ପ୍ରଶିକ୍ଷକ ଜର୍ଜ ସାମ୍ପୋଲିଙ୍କ କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ଥିଲା ବେଳେ ମାରାଡୋନାଙ୍କ ମାଗଣା ପ୍ରଶିକ୍ଷଣ ପ୍ରସ୍ତାବ ଆର୍ଜେଣ୍ଟିନାରେ ନୂଆ ବିତର୍କକୁ ଜନ୍ମ ଦେଇଛି। ଭେନେଜୁଏଲାର ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ମାରାଡୋନା କହିଛନ୍ତି ଯେ ହଁ ମୁଁ ଏହାକୁ ମାଗଣାରେ କରିବି। ପ୍ରତିବଦଳରେ ମୁଁ କିଛି ଚାହେଁ ନାହିଁ। ଆର୍ଜେଣ୍ଟିନାକୁ ପ୍ରଶିକ୍ଷଣ ଦେବା ପରଠାରୁ ମାରାଡୋନା କିନ୍ତୁ ୟୁଏଇରେ କେବଳ ଦୁଇଟି କ୍ଲବକୁ ପ୍ରଶିକ୍ଷଣ ଦେଇଛନ୍ତି। ଏଣୁ ତାଙ୍କ ପ୍ରଶିକ୍ଷକ ଦକ୍ଷତା ମଧ୍ୟ ସଂଶୟ ଭିତରେ ରହିଛି। ଲୋକମାନେ ଭାବୁଛନ୍ତି ମୁଁ ବହୁତ ଖୁସି ଅଛି। ହେଲେ ସତ କହିବାକୁ ଗଲେ ଆର୍ଜେଣ୍ଟିନାର ବିଦାୟ ପରେ ମୁଁ ପୂରା ହତାଶ ହୋଇ ଯାଇଛି ବୋଲି ୧୯୮୬ରେ ଆର୍ଜେଣ୍ଟିନାକୁ ବିଶ୍ୱକପ୍‌ ଜିତାଇଥିବା ମାରାଡୋନା କହିଛନ୍ତି।

ସମ୍ବନ୍ଧିତ ଖବର