ଅର୍ଜୁନ ପୁରସ୍କାର ବିଜେତା ସୌମ୍ୟଜିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

କୋଲକାତା: ଅର୍ଜୁନ ପୁରସ୍କାର ବିଜେତା ଟେବୁଲ ଟେନିସ୍‌ ଖେଳାଳି ସୌମ୍ୟଜିତ ଘୋଷଙ୍କ ବିରୋଧରେ ଜଣେ ୧୮ ବର୍ଷୀୟା ବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସୌମ୍ୟଜିତ ତାଙ୍କୁ ଶାରୀରିକ ଶୋଷଣ କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ବୋଲି ସଂପୃକ୍ତ ବାଳିକା ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ପାଇବା ପରେ କୋଲକାତାର ବାରାସତ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୌମ୍ୟଜିତଙ୍କ ବିରୋଧରେ ଦୁଷ୍କର୍ମ, ଅପରାଧିକ ଷଡ଼ଯନ୍ତ୍ର, ଜୋର ଜବରଦସ୍ତ ଗର୍ଭପାତ କରିବା ଓ ଠକାମି ଭଳି ଧାରା ଲାଗୁ କରାଯାଇଥିବା ପୁଲିସ କହିଛି। ସୌମ୍ୟଜିତ କିନ୍ତୁ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବାଳିକା ଜଣକ ମୋ ଖେଳ ଜୀବନ ନଷ୍ଟ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ଯାହା ହୋଇଛି ଉଭୟଙ୍କ ସମ୍ମତିରେ ହୋଇଛି। ତାଙ୍କ ସହ ମୋ ସଂପର୍କ ବହୁ ପୂର୍ବରୁ ତୁଟି ଯାଇଥିଲା। ଏହା ପରେ ସେ ମୋ ପରିବାର, ବନ୍ଧୁବର୍ଗ ଏବଂ ମୋତେ ଧମକ ଚମକ ଦେଇ ଆସୁଛନ୍ତି। ଗତ ଦେଢ଼ ବର୍ଷ ହେବ ମୋତେ ସେ ଏଭଳି ଭାବେ ହଇରାଣ କରି ଆସୁଛନ୍ତି। ଏପରିକି ବାଳିକା ଜଣଙ୍କର ବାପା ଡାକ୍ତରଖାନାରେ ଭର୍ତି ହୋଇଥିଲା ବେଳେ ମୁଁ ତାଙ୍କୁ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ଦେଇଥିଲି। ଯାହାର ପ୍ରମାଣ ଏବେବି ମୋ ପାଖରେ ଅଛି। ସୂଚନାଯୋଗ୍ୟ ଯେ ସୌମ୍ୟଜିତ ସଂପ୍ରତି ଜର୍ମାନିରେ ରହି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ପ୍ରସ୍ତୁତି କରୁଛନ୍ତି। ତେବେ ମହିଳା ଜଣକ ସଂଗୀନ ଅଭିଯୋଗ ଆଣିବା ପରେ ସେ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାରେ ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ଭାରତୀୟ ଟେବୁଲ ଟେନିସ୍‌ ମହାସଂଘ ତାଙ୍କୁ ନିଲମ୍ବନ କରିବ ବୋଲି ଘୋଷଣା କରିବା ପରେ ସୌମ୍ୟଜିତଙ୍କ ସମସ୍ୟା ବହୁଗୁଣରେ ବଢ଼ି ଯାଇଛି।

ସମ୍ବନ୍ଧିତ ଖବର