ଅପୂର୍ବୀ-ରବି ଦେଲେ ପ୍ରଥମ ପଦକ

ଜାକର୍ତା: ଶନିବାର ଉଦ୍‌ଘାଟିତ ହୋଇଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାର ପ୍ରତିଦ୍ୱନ୍ଦ୍ୱିତା ପର୍ବ ରବିବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତକୁ ଦୁଇଟି ପଦକ ମିଳିଛି। ପୁରୁଷ କୁସ୍ତିରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ତେବେ ଦିନର ପ୍ରଥମ ପଦକ ବନ୍ଧୁକ ଚାଳନା ରେଞ୍ଜ୍‌ରୁ ଆସିଛି। ୧୦ ମିଟର ଏୟାର ରାଇଫଲରେ ରବି କୁମାର ଓ ଅପୂର୍ବୀ ଚାନ୍ଦିଲା ଯୋଡ଼ି ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ଜିତିଥିଲେ। ଯାହା ପ୍ରଥମ ଦିନରେ ଭାରତର ପ୍ରଥମ ପଦକ ଥିଲା। ରବି-ଅପୂର୍ବୀ ୪୨୯.୯ ପଏଣ୍ଟ୍‌ ପାଇ କାଂସ୍ୟ ପାଇଥିଲେ। ୪୯୪.୧ ପଏଣ୍ଟ ସହ ଚାଇନିଜ୍‌ ତାଇପେ ସ୍ୱର୍ଣ୍ଣ ଏବଂ ଚୀନ ୪୯୨.୫ ପଏଣ୍ଟ ପାଇ ଏହି ଇଭେଣ୍ଟର ରୌପ୍ୟ ପଦକ ଜିତି ନେଇଥିଲା। ଅନ୍ୟତମ ଭାରତୀୟ ଯୋଡ଼ି ମନୁ ଭାକର ଓ ଅଭିଷେକ ବର୍ମା କିନ୍ତୁ ନିରାଶ କରିଥିଲେ। ଉଭୟ ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ପାରି ନଥିଲେ। ସେପଟେ ସ୍ୱର୍ଣ୍ଣିମ ସଫଳତା ସହ କୁସ୍ତି ଆଖଡ଼ାରେ ଆଜି ମଧ୍ୟ ଭାରତକୁ ଦିନର ସବୁଠାରୁ ବଡ଼ ଝଟକା ମିଳିଥିଲା। ବଜରଙ୍ଗ ପୁନିଆ ୬୫ କିଲୋଗ୍ରାମ ଫ୍ରି-ଷ୍ଟାଇଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ହେଲେ ଅଲିମ୍ପିଆନ୍‌ ତଥା ସ୍ୱର୍ଣ୍ଣ ଦାବିଦାର ସୁଶୀଲ କୁମାର ଅପ୍ରତ୍ୟାଶିତ ଭାବେ ଯୋଗ୍ୟତା ପର୍ଯ୍ୟାୟରେ ହିଁ ପରାଜିତ ହୋଇଥିଲେ। ଯାହାକୁ ଭାରତୀୟ ଦଳ ଆଦୌ ବିଶ୍ୱାସ କରି ପାରି ନଥିଲା। ଦୁଇଥର ଅଲିମ୍ପିକ୍ସ ପଦକ ଜିତିଥିବା ସୁଶୀଲ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ହାରିବା ତାଙ୍କ ପ୍ରଶଂସକଙ୍କ ସହ ସମସ୍ତ ଭାରତୀୟ କ୍ରୀଡ଼ା ଜଗତକୁ ଚକିତ କରିଛି। ପ୍ରଳୟଙ୍କାରୀ ବନ୍ୟା କେରଳକୁ ଅସ୍ତବ୍ୟସ୍ତ କରୁଥିଲା ବେଳେ ଏହି ଦକ୍ଷିଣ ରାଜ୍ୟର ସନ୍ତରଣ ତାରକା ସଜନ ପ୍ରକାଶ କିନ୍ତୁ ସମଗ୍ର ଦେଶକୁ ଗୌରବାନ୍ଵିତ କରିଛନ୍ତି। ୨୪ ବର୍ଷୀୟ ପ୍ରକାଶ ୨୦୦ ମିଟର ବଟରଫ୍ଲାଏର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଦୀର୍ଘ ୩୨ ବର୍ଷର ବ୍ୟବଧାନ ପରେ କୌଣସି ଭାରତୀୟ ଏହି ବର୍ଗର ଫାଇନାଲ୍‌ ଟିକେଟ ହାସଲ କରିଛନ୍ତି। ବାସ୍କେଟବଲ୍‌ରେ ଭାରତ ଚାଇନିଜ୍‌ ତାଇପେଠାରୁ ହାରି ଯାଇଛି। ବ୍ୟାଡମିଣ୍ଟନରେ କିନ୍ତୁ ରୋମାଞ୍ଚକର ବିଜୟ ହାସଲ କରିଛି। ସେହିଭଳି କବାଡ଼ିରେ ଭାରତୀୟ ମହିଳା ଦଳ ୪୩-୧୨ରେ ଜାପାନକୁ ଧୂଳି ଚଟାଇଥିଲା। ଯାହା ପ୍ରଥମ ଦିନରେ ଭାରତର ପ୍ରଥମ ବିଜୟ ଥିଲା।

ସମ୍ବନ୍ଧିତ ଖବର