ଓସ୍‌ଜା ପାଳିଲା ଅଶୋକ ପଟ୍ଟନାୟକ ସ୍ମୃତି ସଭା

ଭୁବନେଶ୍ବର: ଓଡ଼ିଶାରେ କ୍ରୀଡ଼ା ସାମ୍ବାଦିକତାର ଧାରାକୁ ଆଗେଇ ନେବାରେ ଅଗ୍ରଣୀ ଭୂମିକା ତୁଲାଇଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ରବିବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା) ପକ୍ଷରୁ ସ୍ଥାନୀୟ ସହିଦ ସ୍ପୋର୍ଟିଂ କ୍ଲବ୍ ସ୍ଥିତ ପ୍ରେସ୍ ବକ୍ସରେ ପାଳିତ ହୋଇ ଯାଇଛି। ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର ଏଥିରେ ସଭାପତିତ୍ବ କରିଥିଲେ। ଏହି ଅବସରରେ ସ୍ବର୍ଗତ ପଟ୍ଟନାୟକଙ୍କ ସହ ‘ସାମ୍ବାଦ’ର ଦିବଂଗତ ବରିଷ୍ଠ ସାମ୍ବାଦିକ ରଣଜୀତ ଗୁରୁ ଏବଂ ସିଦ୍ଧାନ୍ତ ପଟ୍ଟନାୟକଙ୍କ ପାଇଁ ପ୍ରଥମେ ନିରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ସ୍ମୃତି ସଭା ଆରମ୍ଭ ହୋଇଥିଲା। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ତଥା ଓସ୍‌ଜାର ପୂର୍ବତନ ସଂପାଦକ ସନାତନ ପାଣି ଏକଦା ନିଜ ସହକର୍ମୀ ଥିବା ସ୍ବର୍ଗତ ଅଶୋକ ପଟ୍ଟନାୟକଙ୍କ ଅନେକ ନିଆରା ଗୁଣକୁ ମନେ ପକାଇଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବରିଷ୍ଠ କ୍ରୀଡ଼ା ପ୍ରଶାସକ ଅଶୋକ କୁମାର ମହାନ୍ତି ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ। ସେ ମଧ୍ୟ ‘ଧ୍ୟାନଚାନ୍ଦ ଓ ଓଡ଼ିଶା’ ଶୀର୍ଷକ ଆଲୋଚନା ଚକ୍ରରେ ନିଜ ବହୂମୂଲ୍ୟ ବକ୍ତବ୍ୟ ରଖିଥିଲେ। କଟକ ରହଣୀ ସମୟରେ ସେ କିଭଳି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ସହ ସମୟ କଟାଇବାର ସୁଯୋଗ ପାଇଥିଲେ ସେହି ଅଭିଜ୍ଞତାଙ୍କୁ ନିଖୁଣ ଭାବେ ବର୍ଣ୍ଣନା କରିଥିଲେ ଶ୍ରୀ ମହାନ୍ତି। ଆଇରନ୍ ମ୍ୟାନ୍ ଟାଇଟଲ ହାସଲ କରିଥିବା ଓସ୍‌ଜାର ଅନ୍ୟତମ ସଦସ୍ୟ ସୌଭାଗ୍ୟ କୁମାର ରଥଙ୍କୁ ମଧ୍ୟ ସଭାରେ ସମ୍ବର୍ଧିତ କରାଯାଇଥିଲା। ଓସ୍‌ଜା ସଂପାଦକ ସମ୍ବିତ ମହାପାତ୍ର ସଭା ସଂଯୋଜନା କରିଥିଲେ। କାର୍ଯ୍ୟନିର୍ବାହୀ ସଭାପତି କେ ରବିଙ୍କ ସହ ସଂଘର ବହୁ ସଦସ୍ୟ, କ୍ରୀଡ଼ାପ୍ରେମୀ ଓ ସହିଦ ସ୍ପୋର୍ଟିଂର ସଂପାଦକ ପଙ୍କଜ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର